ଏହି ବ୍ୟାଙ୍କ ଉପରେ ପ୍ରତିବନ୍ଧକ ଲଗାଇଲା ଆରବିଆଇ

ମୁମ୍ୱାଇ:ଭାରତୀୟ ରିଜର୍ଭ ବ୍ୟାଙ୍କ ଆସନ୍ତା ଛଅ ମାସ ପର‌୍ୟ୍ୟନ୍ତ ପଞ୍ଜାବ ଏବଂ ମହାରାଷ୍ଟ୍ର କୋ-ଅପୋରେଟିବ ବ୍ୟାଙ୍କ ଲିମିଟେଡ, ମୁମ୍ୱାଇ ଉପରେ ପ୍ରତିବନ୍ଧକ ଲାଗୁ କରିଛନ୍ତି । ପ୍ରତିବନ୍ଧ ପରେ ବ୍ୟାଙ୍କ ପକ୍ଷରୁ ନିଜର ଖାତା ଧାରକମାନଙ୍କୁ ଆଗାମୀ ଛଅ ମାସ ପର‌୍ୟ୍ୟନ୍ତ କେବଳ ଏକ ହଜାର ଟଙ୍କା ବାହାର କରିବାକୁ କୁହାଯାଇଛି । ଏହାପରେ ଗ୍ରାହକମାନଙ୍କୁ ଅନେକ ଅସୁବିଧାର ସାମ୍ନା କରିବାକୁ ପଡୁଛି ଏବଂ ଗ୍ରାହକମାନେ ବ୍ୟାଙ୍କର ଜୋଗେଶ୍ୱରୀ ବ୍ରାଞ୍ଚରେ ବିରୋଧ ପ୍ରଦର୍ଶନ କରିଛନ୍ତି ।

ଅନିୟମିତତା ଅଭିଯୋଗ ଦର୍ଶାଇ ଭାରତୀୟ ରିଜର୍ଭ ବ୍ୟାଙ୍କ ମୁମ୍ୱାଇ ସ୍ଥିତ ପଞ୍ଜାବ ଏବଂ ମହାରାଷ୍ଟ୍ର ସହକାରୀ ବ୍ୟାଙ୍କ ଉପରେ ୬ ମାସର ପ୍ରତିବନ୍ଧ ଲାଗୁ କରିଛି । ବ୍ୟାଙ୍କିଙ୍ଗ ରେଗୁଲେସନ ଆକ୍ଟ ୧୯୪୯ର ଧାରା ୩୫ଏ ଅନୁସାରେ ଏହି କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରିଛି ଆରବିଆଇ । ଆରବିଆଇ ନିଜର ନିର୍ଦ୍ଦେଶରେ ସମସ୍ତ ଖାତା ଧାରକମାନଙ୍କୁ ଆଗାମୀ ଛଅ ମାସ ପର‌୍ୟ୍ୟନ୍ତ ୧୦୦୦ ଟଙ୍କା ବାହାର କରିବାକୁ କହିଛନ୍ତି । କେବଳ ଏତିକି ନୁହେଁ ପଞ୍ଜାବ ଏବଂ ମହାରାଷ୍ଟ୍ର ସହକାରୀ ବ୍ୟାଙ୍କ ଗ୍ରାହାକମାନଙ୍କୁ କୌଣସି ପ୍ରକାର ଲୋନ ଦେଇ ପାରିବନି । ଏହାସହ ବ୍ୟାଙ୍କିଙ୍ଗ ସମ୍ୱନ୍ଧିତ ନେଣଦେଣ ପାଇଁ ବ୍ୟାଙ୍କକୁ ପ୍ରଥମେ ଆରବିଆଇଠାରୁ ଲିଖିତ ଅନୁମତି ନେବାକୁ ପଡିବ ।

ମିଡିଆ ରିପୋର୍ଟ ଅନୁସାରେ ବ୍ୟାଙ୍କ ପାଖରେ ଗ୍ରାହକଙ୍କ ୧୧ ହଜାର କୋଟି ଟଙ୍କା ଜମା ରହିଛି । ଏଥିପାଇଁ ବ୍ୟାଙ୍କର ଗ୍ରାହାକମାନେ ଚିନ୍ତାରେ ଅଛନ୍ତି ଏବଂ ବ୍ୟାଙ୍କରେ ବିରୋଧ ପ୍ରଦର୍ଶନ କରୁଛନ୍ତି । ଉଲ୍ଲେଖଯୋଗ୍ୟ ଯେ ଏହି ବ୍ୟାଙ୍କ ବ୍ରାଞ୍ଚ ପଞ୍ଜାବ, ମହାରାଷ୍ଟ୍ର, ଦିଲ୍ଲୀ ଏବଂ ଗୋଆରେ ରହିଛି ।