ନୂଆଦିଲ୍ଲୀ, ଜୁନ ୦୬(ଖବର ଓଡିଶା):
ଏଣିକି ଅଧିକ ମାତ୍ରା କିମ୍ବା ଅନ୍ୟ ବ୍ୟାଙ୍କ୍ ଆକାଉଣ୍ଟଧାରୀଙ୍କୁ ଟଙ୍କା ପଠାଇବାକୁ ହେଲେ କୌଣସି ଦେୟ ଦେବାକୁ ପଡ଼ିବ ନାହିଁ । ନାସନାଲ ଇଲୋକ୍ଟ୍ରୋନିକ୍ ଫଣ୍ଡ ଟ୍ରାନ୍ସଫର୍ (ଏନ୍ଇଏଫ୍ଟି) ଓ ରିୟଲ୍ ଟାଇମ୍ ଗ୍ରସ୍ ସେଟେଲ୍ମେଣ୍ଟ (ଆର୍ଟିଜିଏସ୍)କୁ ସମ୍ପୂର୍ଣ୍ଣ ଦେୟମୁକ୍ତ କରିଛନ୍ତି ଭାରତୀୟ ରିଜର୍ଭ ବ୍ୟାଙ୍କ । ଏ ନେଇ ସମସ୍ତ ବ୍ୟାଙ୍କକୁ ଆର୍ବିଆଇ ନିର୍ଦ୍ଦେଶ ଜାରି କରିଛନ୍ତି । ଏଥିପାଇଁ ଆଗାମୀ ଏକ ସପ୍ତାହ ମଧ୍ୟରେ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବ । ସାଧାରଣ ବର୍ଗର ଲୋକଙ୍କ ପାଇଁ ଆର୍ବିଆଇ ବଡ଼ ଘୋଷଣା କରିଛନ୍ତି । ଆର୍ଟିଜିଏସ୍ ଓ ଏନ୍ଇଏଫ୍ଟିକୁ ସମ୍ପୂର୍ଣ୍ଣ ଦେୟମୁକ୍ତ କରିଛନ୍ତି ଆର୍ବିଆଇ । ଏହା ଦ୍ୱାରା ଆର୍ଟିଜିଏସ୍ ଓ ଏନ୍ଇଏଫ୍ଟି କରିବା ଏବେ ଶସ୍ତା ହୋଇଯିବ ।
୨ ଲକ୍ଷ ଟଙ୍କା କିମ୍ବା ତଦୁର୍ଦ୍ଧ୍ୱ ଟଙ୍କା ଟ୍ରାନ୍ସଫର୍ କରିବା ପାଇଁ ଆର୍ଟିଜିଏସ୍ ଏକ ଉତ୍ତମ ମାଧ୍ୟମ ଅଟେ । କିନ୍ତୁ ଏଥିପାଇଁ ଏକ ନିର୍ଦ୍ଧିଷ୍ଟ ସମୟ ଥାଏ । ଏହା ଦ୍ୱାରା ମାତ୍ର କେଇ ସେକେଣ୍ଡ ମଧ୍ୟରେ ଟଙ୍କା ଟ୍ରାନ୍ସଫର୍ ହୋଇଯାଇଥାଏ । ଏହା ବ୍ୟବସାୟୀଙ୍କ ପାଇଁ ବେଶ୍ ଉପଯୋଗୀ । ସେହିପରି ଏହାର ବିପରୀତ ହେଉଛି ଏନ୍ଇଏଫ୍ଟି । ଏହା ଦ୍ୱାରା ଅନ୍ୟ ବ୍ୟାଙ୍କ ଆକାଉଣ୍ଟ, ସଙ୍ଗଠନ କିମ୍ବା ବ୍ୟକ୍ତିଙ୍କୁ ଟଙ୍କା ପଠାଯାଇଥାଏ । ସୋମବାରରୁ ଶୁକ୍ରବାର ଯାଏ ସକାଳ ୮ଟାରୁ ସନ୍ଧ୍ୟା ୭ଟା ଏବଂ ଶନିବାର ସକାଳ ୮ଟାରୁ ଅପରାହ୍ନ ଗୋଟାଏ ପର୍ଯ୍ୟନ୍ତ ଏନ୍ଇଏଫ୍ଟି କାମ କରିଥାଏ । ଏହା ସମସ୍ତ ବ୍ୟାଙ୍କରେ ଉପଲବ୍ଧ ଅଛି । କିନ୍ତୁ ଉପରୋକ୍ତ ଦୁଇଟି ବ୍ୟବସ୍ଥା ପାଇଁ ଆବଶ୍ୟକ ଶୁଳ୍କ ଦେବାକୁ ପଡ଼ିଥାଏ । ମାତ୍ର ଆର୍ବିଆଇ ଏବେ ଏହାକୁ ସମ୍ପୂର୍ଣ୍ଣ ଦେୟମୁକ୍ତ କରିବାକୁ ବ୍ୟାଙ୍କ ଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି ।