ଅପରିବର୍ତ୍ତିତ ରହିଲା ରେପୋ ରେଟ୍

ନୂଆଦିଲ୍ଲୀ: ‘ମନିଟାରି ପଲିସି କମିଟି’ର ଛଅ ସଦସ୍ୟବିଶିଷ୍ଟ ବ‌ୈଠକ ପରେ ଗୁରୁବାର ଦିନ ଭାରତୀୟ ରିଜର୍ଭ ବ୍ୟାଙ୍କ୍‌ ରେପୋ ରେଟ୍‌ ୪%ରେ ଅପରିବର୍ତ୍ତିତ ରଖାଯାଇଛି। ରିଜର୍ଭ ରେପୋ ରେଟ୍‌ ମଧ୍ୟ ୩. ୩%ରେ ଅପରିବର୍ତ୍ତିତ ରଖାଯାଇଥିବା କଥା ରିଜର୍ଭ ବ୍ୟାଙ୍କ୍‌ ଗଭର୍ଣ୍ଣର୍ ଶକ୍ତିକାନ୍ତ ଦାସ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।

ଶ୍ରୀ ଦାସ ଆହୁରି ମଧ୍ୟ କହିଛନ୍ତି ଯେ, ମେ ଓ ଜୁନ୍‌ରେ ଦେଖା ଦେଇଥିବା ଅର୍ଥନୈତିକ ପୁନଃଉତ୍ଥାନ ଲକ୍ଷଣକୁ ଜୁଲାଇ ମାସରେ କୋଭିଡ୍‌-୧୯ ସଂକ୍ରମଣ ବୃଦ୍ଧି ନିଷ୍ପ୍ରଭ ବା ଅବଦମିତ କରିଦେଇଛି। ଏହା ଥିଲା ‘ମନିଟାରି ପଲିସି କମିଟି’ର ୨୪ତମ ବୈଠକ।

ଆର୍ଥିକ ନୀତି ପ୍ରସ୍ତୁତ କରିବା ବେଳେ ରିଜର୍ଭ ବ୍ୟାଙ୍କ୍ ମୁଖ୍ୟତଃ ‘କଞ୍ଜୁମର୍ ପ୍ରାଇସ୍ ଇଣ୍ଡେକ୍ସ୍‌’ ଆଧାର କରିଥାଏ। ବିଶେଷତଃ ମାଂସ, ଶସ୍ୟ ଓ ଡାଲି ଭଳି ଖାଦ୍ୟ ସାମଗ୍ରୀର ଦର ବୃଦ୍ଧି ଯୋଗୁଁ ଜୁନ୍‌ ମାସରେ ‘କଞ୍ଜୁମର୍ ପ୍ରାଇସ୍ ଇଣ୍ଡେକ୍ସ୍‌’ ଆଧାରିତ ଖାଉଟି ମୁଦ୍ରାସ୍ଫିତି ୬.୦୯%କୁ ବୃଦ୍ଧି ପାଇଥିଲା।ଅଗଷ୍ଟ ୧୨ ତାରିଖ ଦିନ ଜୁଲାଇ ମାସର ମୁଦ୍ରାସ୍ଫିତି ହାର ଘୋଷଣା କରାଯିବ।