ଭାସ୍କରଙ୍କ ରଣନୀତି, ରାୟଗଡା ଜିଲ୍ଲା ପରିଷଦ ସଭାପତି ପଦ ଛଡ଼ାଇ ନେଲା ବିଜେଡି

ରାୟଗଡା ଜିଲ୍ଲା ପରିଷଦ ସଭାପତି

ରାୟଗଡ଼ା,: ଓଲଟିଗଲା ସାଧାରଣ ନିର୍ବାଚନ ବେଳର ଚର୍ଚ୍ଚା । ଯଉଁମାନେ ବିଜେଡି ବରିଷ୍ଠ ନେତା ସାଂସଦ ଭାସ୍କର ରାୟଙ୍କ ରାଜନୈତିକ ରଣନୀତି ନେଇ ପ୍ରଶ୍ନ ଉଠାଉଥିଲେ ସେମାନଙ୍କୁ କୁଆଡେ ଏକ ପ୍ରକାର ଜବାବ ମିଳିଛି । ସଂଖ୍ୟା ବଳରେ ପଛରେ ଥିବା ବିଜେଡି ରାୟଗଡା ଜିଲ୍ଲା ପରିଷଦ ସଭାପତି ପଦ କଂଗ୍ରେସ ଠାରୁ ଛଡାଇ ଆଣିବା ପରେ ଏମିତି ଚର୍ଚ୍ଚା ଏବେ କେବଳ ରାୟଗଡା ନୁହେଁ ଦକ୍ଷିଣ ଓଡିଶାରେ ଚାଲିଛି । ଏକ ପ୍ରସବୁ କଳ୍ପନାଜଳ୍ପନାର ଅନ୍ତ ଘଟିଛି । ରାୟଗଡ଼ା ଜିଲ୍ଲା ପରିଷଦ ସଭାପତି ଉପନିର୍ବାଚନରେ ଏଥର ବାଜି ମାରିଛି ବିଜେଡି । ଆବଶ୍ୟକ ସଭ୍ୟ ନଥିବା ସତ୍ତ୍ୱେ ଦଳ ଏହି ପଦ ହାତେଇବାରେ ସଫଳ ହୋଇଛି । କାମ ଦେଇନି ବିଜେପି ଓ କଂଗ୍ରେସର ହ୍ଲିପ୍ । ଉଭୟ ଦଳ ପକ୍ଷରୁ ହୋଇଛି କ୍ରସ୍ ଭୋଟିଂ । ଶେଷରେ ବିଜେଡିର ଗଙ୍ଗାଧର ପୁଆଲା ହୋଇଛନ୍ତି ନୂତନ ସଭାପତି । ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ କଂଗ୍ରେସର ଆଶୁତୋଷ କିଲାକାଙ୍କ ଠାରୁ ୮ ଖଣ୍ଡ ଅଧିକ ଭୋଟ ପାଇ ବିଜୟଲାଭ କରିଛନ୍ତି । ନିର୍ବାଚନ ଅଧିକାରୀ ତଥା ଡିଆର୍‌ଡିଏ ପ୍ରକଳ୍ପ ନିର୍ଦ୍ଦେଶକ ଅମୃତ ଋତୁରାଜ ଏହି ଘୋଷଣା କରିଛନ୍ତି । ଏହାକୁ ନେଇ ବିଜେଡି ଶିବିରରେ ଖୁସିର ଲହରି ଖେଳିଯାଇଛି । ବିଜେଡି ପ୍ରାର୍ଥୀ ଗଙ୍ଗାଧର ୧୩ ଖଣ୍ଡ ଭୋଟ ପାଇଥିଲେ । ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ କଂଗ୍ରେସ ପ୍ରାର୍ଥୀ ଆଶୁତୋଷଙ୍କୁ ମିଳିଥିଲା ୫ ଖଣ୍ଡ ଭୋଟ୍ । ଗୋଟିଏ ଭୋଟ ନାକଚ ହୋଇଥିଲା । ସର୍ବାଧିକ ପାଇଁ ଗଙ୍ଗାଧର ବିଜୟୀ ହୋଇଥିଲେ । ଦୀର୍ଘ ୩ ବର୍ଷ ପରେ ଏହି ପଦ ବିଜେଡ଼ି ହାତକୁ ଆସିଥିବାରୁ ଦଳୀୟ ନେତା ଓ କର୍ମୀଙ୍କ ମଧ୍ୟରେ ଦେଖାଦେଇଥିଲା ଭରପୁର ଉତ୍ସାହ ।

ଭାସ୍କରଙ୍କ ରଣନୀତି ,ସାଥ୍ ଦେଲେ ସୁଧୀର

ଭାସ୍କରଙ୍କ ରଣନୀତି, ସାଥ୍ ଦେଲେ ସୁଧୀର : ଜିଲ୍ଲା ପରିଷଦ ସଭାପତି ଉପନିର୍ବାଚନରେ ବିଜେଡି ବାଜି ମାରିବା ପରେ ଚର୍ଚ୍ଚାରେ ରହିଛନ୍ତି ଜିଲ୍ଲାର ବରିଷ୍ଠ ନେତା ଏନ୍‌. ଭାସ୍କର ରାଓ । ତାଙ୍କରସଫଳ ଗୋଟି ଚାଳନା ଓ ରାଜନୈତିକ ରଣନୀତି ଲାଗି ଦଳ ଏହି ଆସନ ହାତେଇଲା ବୋଲି କୁହାଯାଇଛି । ଭାସ୍କର ହିଁ ଭିତରେ ଭିତରେ ରଣନୀତି ତିଆରି କରିଥିଲେ । ସଂଖ୍ୟା ନଥାଇବି କିପରି ଦଳକୁ ସମର୍ଥନ ମିଳିବ ଓ ବିଜେଡିହାତକୁ ରାୟଗଡା ଜିଲ୍ଲା ପରିଷଦ ଆସିବ ତାକୁ ନେଇ କଷିଥିଲେ ସଂଖ୍ୟାର ୍‌ଙ୍କ ବୋଲି ଦଳୀୟ ମହଲରେ କୁହାଯାଉଛି । ରାଜ୍ୟ ନେତୃତ୍ୱଙ୍କ ସହଯୋଗା ଯୋଗରେ ରହି ସେ ଗୋଟି ଆଗକୁ ଚଳାଉଥିଲେ ବୋଲି ଦଳୀୟ କର୍ମୀ କହୁଛନ୍ତି । ସେପଟେ ଭାସ୍କରଙ୍କୁ ସବୁ ପ୍ରକାର ସହଯୋଗ ସୁଧୀର ଦାଶ ଦେଇଥିବା ନେତାଏ ଆଲୋଚନା କରୁଛନ୍ତି । ଭାସ୍କରଙ୍କ ରଣନୀତି କିପରି ଆଗକୁ ବଢିବ ସେନେଇ ସୁଧୀର ସବୁ ପ୍ରକାର ସମର୍ଥନ ସହଯୋଗ କରିନଥିଲେ ବିଜେଡି ହାତକୁ ଜିଲ୍ଲାପରିଷଦ ଅ୍‌ଧ୍ୟକ୍ଷା ପଦ ଆସିବା ସହଜ ହୋଇ ନଥାନ୍ତା । ଦୁଇ ନେତାଙ୍କ ଉଦ୍ୟମରେ ୨୦୧୭ ପଞ୍ଚାୟ ନିର୍ବାଚନରେ ସେମାନଙ୍କୁ ପରାଜୟର ସ୍ୱାଦ ଜବାବ ଦେଇ କଂଗ୍ରେସ ହାତରୁ ଜିଲ୍ଲା ପରିଷଦ ସଭାପତି ଆସନ ଛଡ଼ାଇ ଆଣିବା ସଫଳ ହୋଇଛି ବିଜେଡି । ବିଜେଡି ଟାର୍ଗେଟ୍‌ରେ ଥିଲା ଜିଲ୍ଲା ପରିଷଦ ସଭାପତି ପଦ । ଏଥିପାଇଁ ଗତ ୭ ତାରିଖରୁ ଆରମ୍ଭ ହୋଇଥିଲା ଗୁପ୍ତ ରଣକୌଶଳ । ଦଳର ଅନ୍ୟ କୌଣସି ନେତାଙ୍କ ନିକଟରେ ଏ ସଂପର୍କରେ ସାମାନ୍ୟ ସୂଚନା ନଥିଲା । ଏମିତିକି ଦଳ ତରଫରୁ କିଏ ପ୍ରାର୍ଥୀହେବ, ତାହାର ମଧ୍ୟ କେହି ଟେର୍ ପାଇପାରିନଥିଲେ । ଗଙ୍ଗାଧର ପୁଆଲା ଓ ଅଶ୍ୱନୀ ଗମାଙ୍ଗ ସଭାପତି ଦୌଡ଼ରେ ଥିଲେ ହେଁ ଶେଷରେ ରାୟଗଡ଼ା ବ୍ଲକର ସଦସ୍ୟ ଗଙ୍ଗାଧର ପ୍ରାର୍ଥୀ ହୋଇଥିଲେ । ଦଳ ପାଖରେ ମାତ୍ର ୭ ଜଣ ସଭ୍ୟସଭ୍ୟା ରହିଥିଲେ । ନିର୍ବାଚନରେ କିନ୍ତୁ ବିଜେଡିକୁ ମିଳିଥିଲା ୧୩ ଭୋଟ୍‌, ଯାହା ସମସ୍ତଙ୍କୁ ଚକିତ କରିଥିଲା । ଦିନକ ତଳେ ବିଜେଡି ୧୦ଟି ଭୋଟ୍ ପାଇବ ବୋଲି ଆଲୋଚନା ହେଉଥିଲା । ହେଲେ କଂଗ୍ରେସର ୪ ଏବଂ ବିଜେପିର ୨ ଜଣ ସଭ୍ୟସଭ୍ୟାଙ୍କୁ ହାତେଇବାରେ ସୁଧୀର ଓ ଭାସ୍କର ଯୋଡ଼ି ସପଳ ହୋଇଛନ୍ତି । ଦଳର ସମସ୍ତ କର୍ମୀ ମଧ୍ୟ ଏହି ସଫଳତାର ଶ୍ରେୟ ଭାସ୍କର ଓ ସୁଧୀରଙ୍କୁ ଦେଇଛନ୍ତି ।

ମୋଟ ୨୨ ଜଣ ସଭ୍ୟସଭ୍ୟାଙ୍କ ମଧ୍ୟରୁ ପୁରୁଷୋତ୍ତମଙ୍କ ମୃତ୍ୟୁ ପରେ ଭୋଟ ଗ୍ରହଣ ପ୍ରକ୍ରିୟାରେ ୨୧ ସଭ୍ୟସଭ୍ୟା ଭୋଟ୍‌ରେ ସାମିଲ ହୋଇଥିଲେ । ବିଜେପି ସଭ୍ୟ ରାମଚନ୍ଦ୍ର ବେହେରା ଓ ସାରଦା ସେନାପତି ଦଳୀୟ ହ୍ୱିପ୍ ମାନି ସାମିଲ ହୋଇନଥିଲେ । କିନ୍ତୁ ହ୍ୱିପ୍ ନ ମାନି ପଦ୍ମପୁର “ଏ’ ଜୋନ୍‌ର ସଭ୍ୟ ନେତ୍ରାନନ୍ଦ କୈବର୍ତ୍ତ ଏବଂ ରାମନାଗୁଡ଼ା ‘ଏ’ ଜୋନର ସଭ୍ୟା ପୁଷ୍ପାଞ୍ଜଳି ମୁକୁଟା ନିର୍ବାଚନରେ ଅଂଶଗ୍ରହଣ କରିଥିଲେ । ସେହିପରି କଂଗ୍ରେସର ଦୁଇଜଣ ସଭ୍ୟସଭ୍ୟା କ୍ରସ୍ ଭୋଟିଂ କରିଥିବା ଜଣାପଡ଼ିଛି । କଂଗ୍ରେସର ଦୁଇ ସଭ୍ୟସଭ୍ୟା ଦୀର୍ଘ ସମୟ ପର୍ଯ୍ୟନ୍ତ ଏହି ପ୍ରକ୍ରିୟାରୁ ନିଜକୁ ଦୂରେଇ ରଖିଥିଲେ । ବିଳମ୍ବରେ ସାଂସଦ ସପ୍ତଗିରି ଉଲ୍ଲାକାଙ୍କ ଗାଡ଼ିରେ ଆସି କାଶୀପୁର ସଭ୍ୟ ନୀଳକଣ୍ଡ ଝୋଡ଼ିଆ ଏବଂ ସଭ୍ୟା ଅମ୍ବିକା ମାଝି ଭୋଟ୍ ଦେଇଥିଲେ ଯାହା ସମସ୍ତଙ୍କୁ ଚକିତ କରିଥିଲା ।
୨୦୧୭ ପଞ୍ଚାୟତ ନିର୍ବାଚନରେ ବିଜେଡ଼ିର ଶୋଚନୀୟ ପରାଜୟ ଘଟିଥିଲା । ଜିଲ୍ଲାର ୨୨ଟି ଆସନ ମଧ୍ୟରୁ କଂଗ୍ରେସ ୧୧, ବିଜେଡ଼ି ୭ ଓ ବିଜେପି ୪ଟିରେ ବିଜୟୀ ହୋଇଥିଲା । ସେହି ସମୟରେ କଂଗ୍ରେସ ପ୍ରାର୍ଥୀ ସ୍ୱର୍ଗତ ପୁରୁଷୋତ୍ତମ ଗମାଙ୍ଗ ୧୦ ଖଣ୍ଡ ଭୋଟ ପାଇଁ ବିଜୟୀ ହୋଇଥିବାବେଳେ ବିଜେଡି ପ୍ରାର୍ଥୀ ଗଙ୍ଗାଧର ପୁଆଲା ୯ ଖଣ୍ଡ ଭୋଟ ପାଇଥିଲେ । ଆଜି ବିଜୟୀ ହେବା ପରେ ଗଙ୍ଗାଧର ନିଜ ପ୍ରତିକ୍ରିୟାରେ କହିଛନ୍ତି, ଏହା ନବୀନ ପଟ୍ଟନାୟକଙ୍କ ସୁଶାସନର ଫଳ । ତାଙ୍କୁ ସମର୍ଥନ ଜଣାଇ ଅନ୍ୟ ଦଳର ୬ ଜଣ ସଭ୍ୟସଭ୍ୟା ଭୋଟ୍ ଦେଇଛନ୍ତି । ଜିଲ୍ଲାର ବିକାଶ ପାଇଁ ସେ କାର୍ଯ୍ୟ କରିବେ । ଦଳମତ ନିର୍ବିଶେଷରେେ ସମସ୍ତ ସଭ୍ୟସଭ୍ୟାଙ୍କୁ ନେଇ କାମ କରାଯିବ । ବିଜୟ ପରେ ବିଜେଡି କର୍ମୀ ଓ ନେତାମାନେ ବିଜୟ ଉତ୍ସବ ପାଳନ କରିଥିଲେ । ଜିଲ୍ଲା ପରିଷଦ କାର୍ଯ୍ୟାଳୟ ସମ୍ମୁଖରେ ବାଟଫୁଟାଇ ଖୁସି ମନାଇଥିଲେ ।