ଐତିହାସିକ ଦିବାରାତ୍ର ଟେଷ୍ଟ ପୂର୍ବରୁ ପୂଜାର୍ଚ୍ଚନା କଲେ କୋଚ୍ ରବି ଶାସ୍ତ୍ରୀ

ଉଜ୍ଜୟିନୀ:ଭାରତ ଇନ୍ଦୋରରେ ଖେଳାଯାଇଥିବା ପ୍ରଥମ ଟେଷ୍ଟରେ ବାଂଲାଦେଶକୁ ମାତ୍ର ତିନି ଦିନରେ ପରାସ୍ତ କରିଛି। ଏହା ସହିତ ଭାରତୀୟ ଦଳ ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ଶୃଙ୍ଖଳାରେ ୧-୦ରେ ଅଗ୍ରଣୀ ହାସଲ କରିଛି। ଏବେ ଦୁଇ ଦଳ ମଧ୍ୟରେ ଐତିହାସିକ ଦିବାରାତ୍ର ଟେଷ୍ଟ କୋଲକାତାର ଇଡ଼େନ ଗାର୍ଡେନ୍ସ ଷ୍ଟାଡ଼ିୟମରେ ନଭେମ୍ବର ୨୨ରୁ ୨୬ ମଧ୍ୟରେ ଖେଳାଯିବ। ଏହି ମ୍ୟାଚର ପ୍ରସ୍ତୁତି ଲାଗି ଭାରତୀୟ ଦଳ ଇନ୍ଦୋରରେ ଡେରା ପକାଇଛି ଏବଂ ଗୋଲାପୀ ବଲରେ ଜୋରଦାର ଅଭ୍ୟାସ୍ ଚଳାଇଛି।

ବିଜୟ ପରେ ଏବଂ କୋଲକାତା ଟେଷ୍ଟ ପୂର୍ବରୁ ଭାରତୀୟ ଦଳର ମୁଖ୍ୟ କୋଚ୍ ରବି ଶାସ୍ତ୍ରୀ ସହକର୍ମୀଙ୍କ ସହିତ ଉଜ୍ଜୟିନୀ ସ୍ଥିତ ଭଗବାନ ମହାକାଳଙ୍କ ମନ୍ଦିର ମହାକାଳେଶ୍ଵର ପହଞ୍ଚି ପୂଜାର୍ଚ୍ଚନା କରିଛନ୍ତି। ଶାସ୍ତ୍ରୀ ପୂଜାର ଫଟୋ ନିଜର ଅଫିସିଆଲ ଟ୍ଵିଟରରେ ପୋଷ୍ଟ କରିଛନ୍ତି। 

କୋଚ୍ ରବି ଶାସ୍ତ୍ରୀଙ୍କ ସହ ବୋଲର କୋଚ୍ ଭରତ ଅରୁଣ, ଫିଲ୍ଡିଂ କୋଚ୍ ଆର.ଶ୍ରୀଧର ଓ ଫିଜିଓ ନୀତିନ ପଟେଲ ମଧ୍ୟ ଉପସ୍ଥିତ ଥିଲେ। ସମସ୍ତେ ମହାକାଳ ମନ୍ଦିରରେ ପୂଜା କରି ଗର୍ଭଗୃହରେ ଭଗବାନ ମହାକାଳର ପଞ୍ଚାମୃତ ଅଭିଷେକ-ପୂଜନ ପରେ ନନ୍ଦୀ ଗୃହରେ ବସି ପୂଜାରୀଙ୍କଠୁ ଶାନ୍ତିର ପାଠ ଶୁଣିଥିଲେ।

ଉଲ୍ଲେଖଯୋଗ୍ୟ, ଭାରତୀୟ ଦଳ ଟି-୨୦ ଶୃଙ୍ଖଳାରେ ବାଂଲାଦେଶକୁ ୨-୧ରେ ହରାଇବା ପରେ ପ୍ରଥମ ଟେଷ୍ଟକୁ ଇନିଂସ ଓ ୧୩୦ ରନରେ ଜିତି ନେଇଛି।