ପାଉଣା ନ ମିଳିଲେ ଭଙ୍ଗା ଯିବନି ରଥ

ପୁରୀ: ଖୋଲା ଚାଲିଛି ମା’ ସୁଭଦ୍ରାଙ୍କ ରଥ ଦର୍ପଦଳନ । ସିଂହଦ୍ୱାରରେ ଛିଡା ହୋଇଥିବା ଦର୍ପଦଳନ ରଥକୁ ଖୋଲା ଯାଉଥିବାବେଳେ ଏହା ପରେ ନନ୍ଦିଘୋଷ ଓ ତାଳଧ୍ୱଜ ରଥକୁ ଖୋଲାଯିବ। ଯାହାକୁ ନେଇ ଭିନ୍ନ ମତାମତ ପ୍ରକାଶ ପାଇଛି, କିଛି ଏହାକୁ ସ୍ୱାଗତ କରିଥିବାବେଳେ କିଛି ପରମ୍ପରାବିରୋଧୀ ବୋଲି କହିଛନ୍ତି। ଚଳିତ ବର୍ଷର ତିନି ରଥକୁ ଶ୍ରୀଜଗନ୍ନାଥ ବଲ୍ଲଭ ପରିସରରେ ପ୍ରସ୍ତାବିତ ସଂଗ୍ରହାଳୟରେ ସଂରକ୍ଷିତ ରଖାଯିବ। ଚଳିତ ବର୍ଷର ରଥଯାତ୍ରା ସ୍ମୃତିକୁ ଭବିଷ୍ୟତ ପିଢ଼ିଙ୍କ ପାଇଁ ସଂରକ୍ଷିତ ରଖିବା ଲକ୍ଷ୍ୟରେ ଶ୍ରୀମନ୍ଦିର ପରିଚାଳନା କମିଟି ଏହି ନିଷ୍ପତ୍ତି‌ ନେଇଥିଲା। ଏହି କ୍ରମରେ ଜୁଲାଇ ୨୮ ତାରିଖରୁ ତିନିରଥ ଭଙ୍ଗାଯିବା ସହ ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ ହୋଇଛି। ତେବେ ଅନ୍ୟପଟେ ରଥ ଭଙ୍ଗାକୁ ନେଇ ଅସନ୍ତୋଷ ଜାହିର କରିଛନ୍ତି ନନ୍ଦିଘୋଷ ରଥର ମୁଖ୍ୟ ବିଶ୍ୱକର୍ମା ସେବାୟତ ବିଜୟ ମହାପାତ୍ର । ସେ କହିଛନ୍ତି ଯେ ପ୍ରଶାସନକୁ ଲିଖିତ ଭାବେ ଦାବି ଜଣାଯାଇଛି। ଅକ୍ଷୟତୃତୀୟାର ପାଉଣା ମିଳି ନ ଥିବାବେଳେ ଦାବି ପୂରଣ ନ ହେଲେ ଅନ୍ୟ ରଥକୁ ଭାଙ୍ଗିବାକୁ ଦିଆଯିବ ନାହିଁ |

ରଥ ଖୋଲା ଓ ସ୍ଥାନାନ୍ତର ପ୍ରକ୍ରିୟା ୨୫ ଦିନ ଭିତରେ ଶେଷ ହେବ। ଏଥି ପାଇଁ ଶ୍ରୀମନ୍ଦିର ପ୍ରଶାସନ ଅଗ୍ରିମ ଏକ ଲକ୍ଷ ଟଙ୍କା ମଞ୍ଜୁର କରିଥିଲା । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଜାରି ହୋଇଥିବା ଆଦେଶ (ଚିଠି ନଂ-୫୭୮୧/୨୭.୭.୨୦୨୦) ଅନୁଯାୟୀ, ତିନିରଥର ମୁଖ୍ୟ ମହାରଣା, କମାର ସେବକ ଓ ଭୋଇ ସର୍ଦ୍ଦାର ରବି ଭୋଇଙ୍କୁ ଏହି ଦାୟିତ୍ବ ହସ୍ତାନ୍ତର କରାଯାଇଛି। ଉପରୋକ୍ତ ସେବକମାନେ ଆବଶ୍ୟକ ଲୋକ ଲଗାଇ ରଥଭଙ୍ଗା ସହ ଜଗନ୍ନାଥ ବଲ୍ଲଭକୁ ଏହାକୁ ସ୍ଥାନାନ୍ତର ପ୍ରକ୍ରିୟା ଶେଷ କରିବେ। ଏ ବାବଦରେ ପ୍ରତ୍ୟେକଙ୍କୁ ୨୦୨୦ ବର୍ଷ ପାଇଁ ସ୍ଥିରୀକୃତ ମଜୁରି ଅନୁଯାୟୀ ଗୋଟିଏ ଲେଖାଏଁ ମଜୁରି ପ୍ରଦାନ କରାଯିବ। ତିନି ରଥରୁ ବାହାରିବାକୁ ଥିବା ସମସ୍ତ କାଠ, ପଟା ଆଦି ଯେପରି ସୁରକ୍ଷିତ ଓ ଅକ୍ଷୁର୍ଣ୍ଣ ରହିବ, ସେଥିପ୍ରତି ଧ୍ୟାନ ଦେବାକୁ ଶ୍ରୀମନ୍ଦିର ପ୍ରଶାସନ ନିର୍ଦ୍ଦେଶ ଦେଇଛି। ତେବେ ରଥ ଭଙ୍ଗାଯିବାକୁ ନେଇ ଶଙ୍କରାଚାର୍ଯ୍ୟ କହିଥିଲେ ଯେ ତାଙ୍କୁ ଏ ବାବଦରେ କିଛି ଜଣାଯାଇନାହିଁ ।

ସେହିପରି ମୁକ୍ତି ମଣ୍ଡପର କାର୍ଯ୍ୟକାରୀ ସଭାପତି ବିଶ୍ୱନାଥ ମିଶ୍ରଙ୍କ କହିବା କଥା ଯେ ରଥ ଉପରେ ଥିବା ଦଧିନଉତିରେ ଥିବା ଦୁଇଟି ଓଲଟା ଶୁଆଙ୍କ ମଧ୍ୟରୁ ଗୋଟିଏ ଜୀବ ଓ ଅନ୍ୟଟି ପରମ । ରଥ ପ୍ରତିଷ୍ଠା ବେଳେ ସେମାନଙ୍କୁ ସ୍ଥାପିତ କରାଯାଏ, ରଥଯାତ୍ରା ପରେ ସେମାନେ ବ୍ରହ୍ମ ସହ ମିଶିଯାଆନ୍ତି । ଏହା ଏକ ପୌରାଣିକ ଉପାଖ୍ୟାନ। ରଥ ଗୋଟିଏ ଶରୀର ହୋଇଥିବାରୁ ଏହା ରହିବା ଉଚିତ ନୁହେଁ । ତେବେ ଜଗଦଗୁରୁ ଶଙ୍କରାଚାର୍ଯ୍ୟଙ୍କ ମତ ହିଁ ଗ୍ରହଣଯୋଗ୍ୟ । ଅନ୍ୟପଟେ ରଥ ଭଙ୍ଗାକୁ ନେଇ ଅସନ୍ତୋଷ ଜାହିର କରିଛନ୍ତି ନନ୍ଦିଘୋଷ ରଥର ମୁଖ୍ୟ ବିଶ୍ୱକର୍ମା ସେବାୟତ ବିଜୟ ମହାପାତ୍ର । ସେ କହିଛନ୍ତି ଯେ ପ୍ରଶାସନକୁ ଲିଖିତ ଭାବେ ଦାବି ଜଣାଯାଇଛି ।  ଅକ୍ଷୟତୃତୀୟାର ପାଉଣା ମିଳି ନ ଥିବାବେଳେ ଦାବି ପୂରଣ ନ ହେଲେ ଅନ୍ୟ ରଥକୁ ଭାଙ୍ଗିବାକୁ ଦିଆଯିବ ନାହିଁ ।