ସ୍କୁଲ ପିଲାଙ୍କ ବ୍ୟାଗ ଓଜନ ହେଲେ ହେବ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର: ବଢୁଛି ସ୍କୁଲ ପିଲାଙ୍କ ବ୍ୟାଗ ଓଜନ । ସ୍କୁଲ ବ୍ୟାଗର ଓଜନରେ ଭାରାକ୍ରାନ୍ତ ହେଉଛନ୍ତି ଛାତ୍ରଛାତ୍ରୀ । ସ୍କୁଲ ପିଲାଙ୍କ ବ୍ୟାଗ ଓଜନ ହ୍ରାସ ନିୟମକୁ କଡାକଡି ପାଳନ କରିବା ପାଇଁ ସବୁ ଜିଲ୍ଲାର ଜିଲ୍ଲାପାଳ ଓ ଶିକ୍ଷା ନିର୍ଦ୍ଦେଶକଙ୍କୁ ଗଣଶିକ୍ଷା ବିଭାଗ ପକ୍ଷରୁ ପୁଣିଥରେ ଚିଠି କରାଯାଇଛି । ଚିଠିରେ ପିଲାଙ୍କ ବ୍ୟାଗର ଧାର୍ଯ୍ୟ ଓଜନ ଏବଂ ନିର୍ଦ୍ଧାରିତ କରାଯାଇଥିବା ବହି କଡାକଡି ପରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । 

ସୂଚନାଯୋଗ୍ୟ ଯେ, କିଛି ସ୍କୁଲରେ ପିଲାମାନେ ମାତ୍ରାଧିକ ଓଜନର ବ୍ୟାଗ ଧରି ସ୍କୁଲ ଯାଉଛନ୍ତି । ଏହା ବ୍ୟତୀତ  SCERT/NCERT ବହି ପଢିବା ପାଇଁ କୁହାଯାଉଥିବା ବେଳେ ତାହା ଠିକ୍ ଭାବେ ପାଳନ ହେଉନାହିଁ । ଏହାକୁ ରୋକିବା ପାଇଁ ଜିଲ୍ଲାସ୍ତରରେ ସ୍ୱତନ୍ତ୍ର ସ୍କ୍ୱାଡ କରି ଅଚାନକ ଚଢାଉ କରିବା ପାଇଁ ଯୋଜନା କରାଯାଇଛି । 

ବିଭିନ୍ନ ଇଂଲିସ ମିଡିୟମ ସ୍କୁଲରେ ପିଲାଙ୍କୁ ଅଧିକ ଓଜନର ବ୍ୟାଗ ବୋହିବା ପାଇଁ ପଡୁଥିବା ଓ ସେଠାରେ SCERT/NCERT ବହି ପଢାହେଉଛି କି ନାହିଁ ଜାଣିବା ପାଇଁ ସ୍କ୍ୱାଡ ମାଧ୍ୟମରେ ଅଚାନକ ଚଢାଉ କରି କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଗଣଶିକ୍ଷା ବିଭାଗ ନିର୍ଦ୍ଦେଶ ଦେଇଛି । ଚଢାଉ ଏବଂ କାର୍ଯ୍ୟାନୁଷ୍ଠାନର ରିପୋର୍ଟ ସେପ୍ଟେମ୍ୱର ମାସ ଶେଷ ସୁଦ୍ଧା ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।