ତିନି ଦୁଷ୍କର୍ମକାରୀଙ୍କୁ ଫାଶୀ ଦଣ୍ଡାଦେଶ ଦେଲେ ତେଲେଙ୍ଗାନା କୋର୍ଟ

ହାଇଦ୍ରାବାଦ: ଗୋଟିଏ ପଟେ ୨୦୧୨ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ଫାଶୀ ତାରିଖ ସ୍ଥିର ହେବା ପରେ ମଧ୍ୟ ଫାଶୀକୁ ନେଇ ଅନିଶ୍ଚିତତା ଜାରି ରହିଛି । ଅନ୍ୟପଟେ ଦେଶର ଭିନ୍ନ ଭିନ୍ନ ରାଜ୍ୟରେ ଦୁଷ୍କର୍ମକାରୀଙ୍କୁ ଫାଶୀଦଣ୍ଡା ଦେଶ ଶୁଣାଇବାରେ ହେଳା କରୁନାହାଁନ୍ତି କୋର୍ଟ । ଗୁରୁବାର ତେଲେଙ୍ଗାନାର ଆସିଫାବାଦ ଜିଲ୍ଲା ଅନ୍ତର୍ଗତ ଆଦିଲାବାଦର ସ୍ବତନ୍ତ୍ର କୋର୍ଟ ୩ ଜଣ ଦୁଷ୍କର୍ମକାରୀଙ୍କୁ ଫାଶୀ ଦଣ୍ଡାଦେଶ ଶୁଣାଇଛନ୍ତି । ଏହାସହ ସମସ୍ତ ଦୋଷୀଙ୍କୁ ୨୬ହଜାର ଅର୍ଥଦଣ୍ଡ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଗତ ବର୍ଷ ଏହି ତିନି ଦୋଷୀ ଜଣେ ମହିଳାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରିଥିଲେ ।

ଗତ ବର୍ଷ ନଭେମ୍ବର ୨୫ ତାରିଖରେ ଜଣେ ୩୦ ବର୍ଷୀୟ ବେଲୁନ ବିକାଳୀ ମହିଳାଙ୍କୁ ଟେକିନେଇ ଏକ ନିଛାଟିଆ ସ୍ଥାନରେ ଗଣଦୁଷ୍କର୍ମ କରିବା ପରେ ଗଳାକାଟି ହତ୍ୟା କରିଥିଲେ ତିନି ଦୋଷୀ ।

ଏହି ଘଟଣା ପରେ ୨୭ ତାରିଖରେ ଏହି ଗଣଦୁଷ୍କର୍ମକାରୀ ଶୈଖ୍ ବାବୁ, ଶେଖ୍ ଶାବୁଦ୍ଦିନ, ଶେଖ୍ ମକଦୁମକୁ ପୋଲିସ ଗିରଫ କରିଥିଲା । ଏହି ମାମଲାରେ ୨୫ ସାକ୍ଷୀଙ୍କ ମତାମତ, ପୋଲିସର ଡିଏନ୍‌ଏ ରିପୋର୍ଟ ଓ ଅନ୍ୟନ୍ୟ ତଥ୍ୟ ଆଧାରରେ କୋର୍ଟ ତିନି ଜଣଙ୍କୁ ଫାଶୀଦଣ୍ଡାଦେଶ ଶୁଣାଇଛନ୍ତି ।