ଅଷ୍ଟମ ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ: ୬୦ ବର୍ଷର ବୃଦ୍ଧ ଗିରଫ

ଭଦ୍ରକ: ଜଣେ ଅଷ୍ଟମ ଶ୍ରେଣୀର ଛାତ୍ରୀଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗରେ ମଙ୍ଗଳବାର ଜଣେ ୬୦ ବର୍ଷର ବୃଦ୍ଧ ଗିରଫ ହୋଇଛନ୍ତି । ପୋଲିସ ସୂଚନା ଅନୁଯାୟୀ, ସୋମବାର ସନ୍ଧ୍ୟାରେ ଉକ୍ତ ଛାତ୍ରୀ ଜଣଙ୍କ ନିକଟସ୍ଥ ଜଗନ୍ନାଥ ମନ୍ଦିରକୁ ଯାଇଥିଲେ । ମନ୍ଦିରରୁ ଫେରିବା ସମୟରେ ଉତରବାହିନୀ ବଜାର ପରିସରରେ ଦୋକାନ କରିଥିବା ୬୦ ବର୍ଷୀୟ ବୈରାଗୀ ନାଥ ଛାତ୍ରୀ ଜଣଙ୍କୁ ପାଖରେ ଥିବା ଏକ ପରିତ୍ୟକ୍ତ କୋଠାଘର ଭିତରେ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଏହି ଘଟଣା ପରେ ଛାତ୍ରୀ ଜଣଙ୍କ ଘରକୁ ଫେରି ନିଜ ଜେଜେମା’ ଆଗରେ ସମସ୍ତ ଘଟଣା ସମ୍ପର୍କରେ ଜଣାଇଥିଲେ । ଏହାପରେ ଜେଜେମା’ ସମ୍ପୃକ୍ତ ଅଭିଯୁକ୍ତ ବୈରାଗୀ ନାମରେ ସେହି ରାତିରେ ଭଦ୍ରକ ଟାଉନ୍ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ପୋଲିସ୍ ଅଭିଯୁକ୍ତ ବୈରାଗୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଅନ୍ୟପକ୍ଷରେ ପୀଡ଼ିତାଙ୍କ ଡାକ୍ତରୀ ମାଇନା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଘଟଣାର ତଦନ୍ତ ଜାରି ରଖିଥିବା ସୂଚନା ଦେଇଛି ।