ନାବାଳିକା ଦୁଷ୍କର୍ମ ମାମଲା : ଦୋଷୀକୁ ଆଜୀବନ କାରାଦଣ୍ଡାଦେଶ

କଟକ : କଟକ ଚିଲ୍‌ଡ୍ରେନ୍ସ କୋର୍ଟ ତଥା‌ ତୃତୀୟ ଅତିରିକ୍ତ ଦୌରାଜଜ୍ ବନ୍ଦନା କର ଏକ ନାବାଳିକା ଦୁଷ୍କର୍ମ ଅଭିଯୋଗ ସଂପର୍କିତ ମାମଲାର ଶୁଣାଣି କରି ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରିବା ସହ ଆଜୀବନ କାରାଦଣ୍ଡାଦେଶ ପ୍ରଦାନ କରିଛନ୍ତି। ନାବାଳିକା ପୀଡିତାଙ୍କୁ କ୍ଷତିପୂରଣ ପ୍ରଦାନ ପ୍ରସଙ୍ଗରେ ବିଚାର କରିବାକୁ କଟକ ଜିଲ୍ଲା ଆଇନସେବା ପ୍ରାଧିକରଣକୁ ନିର୍ଦ୍ଦେଶ ଦିଆଯାଇଛି। ମହିଳାଙ୍କ ବିରୋଧରେ ଅପରାଧ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ଏଭଳି ଘଟଣାରେ ଯଥେଷ୍ଟ ଦଣ୍ଡାଦେଶ ପ୍ରଦାନ କରା ନ ଗଲେ ସମାଜ ଉପରେ ଏହାର ପ୍ରଭାବ ପଡିବ ବୋଲି ପ୍ରକାଶିତ ରାୟରେ ଉଲ୍ଲେଖ କରାଯାଇଛି। ମାମଲାର ବିବରଣୀରୁ ପ୍ରକାଶ ଯେ ଚାଉଳିଆଗଞ୍ଜ ଥାନା କୈବଲ୍ୟ ବିହାର ଅଞ୍ଚଳରେ କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଅଞ୍ଚଳର ପୁଷ୍ପା ଦାସ ସାତ ବର୍ଷର ଝିଅ ସହିତ ଘର ଭଡ଼ା ନେଇ ରହୁଥିଲେ। ପୁଷ୍ପାଙ୍କ ସଂପର୍କୀୟ ପରିଚୟ ଦେଇ ରାଜୁ ତାଙ୍କ ଘରକୁ ଯିବା ଆସିବା କରୁଥିଲା। ପୁଷ୍ପା ଘରେ ନ ଥିବାବେଳେ ରାଜୁ ତାଙ୍କ ନାବାଳିକା ଝିଅ ସହିତ ଦୁଷ୍କର୍ମ କରିଥିଲା। ଗୁରୁତର ଅବସ୍ଥାରେ ନାବଳିକାକୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସା ପରେ ନାବାଳିକାଙ୍କୁ କୈବଲ୍ୟବିହାର ଘରକୁ ନିଆଯାଇଥିବାବେଳେ ଚାଇଲ୍ଡ ଲାଇନ ଖବର ପାଇ ପୀଡ଼ିତାକୁ ଉଦ୍ଧାର କରିଥିଲା। ତେବେ ପୁଷ୍ପାଙ୍କ ପୁରୁଷ ବନ୍ଧୁ ରାଜୁ ଏପରି ଘଟଣାରେ ସଂପୃକ୍ତ ଥିବା ଚାଇଲ୍ଡ ଲାଇନ ଜାଣିବା ପରେ ଏ ନେଇ ୨୦୧୫, ନଭେମ୍ବର ୭ରେ ମହିଳା ଥାନାରେ ଏତଲା ଦେଇଥିଲା। ରାଜୁ ଓ ପୁଷ୍ପାଙ୍କ ବିରୋଧରେ ପୁଲିସ ମାମଲା ରୁଜୁ କରି ରାଜୁକୁ ଗିରଫ କରିଥିଲା। ରାଜୁ ବିରୋଧରେ ଆଇପିସିର ଦଫା ୩୭୬(୨)(ଆଇ), ୩୨୩, ୩୪୨, ୩୪ ଓ ପୋକ୍ସୋ ଆଇନର ଧାରା ୬ରେ ମାମଲା ଚାର୍ଜସିଟ ଦାଖଲ ହୋଇଥିଲା। ମାମଲାର ରାୟ ପ୍ରକାଶ ବେଳେ ଜାମିନରେ ଥିବା ପୁଷ୍ପା ଫେରାର ଥିବା ଜଣାଯାଇଛି। ରାଉରକେଲା ମୁସଲିମ ବସ୍ତିର ସେକ୍ କୋରବାରନ ଅଲ୍ଲୀ ଖାନଙ୍କ ପୁଅ ରାଜୁ ଦାସ ଓରଫ୍ ବିଶ୍ବାଳ ଓରଫ ସେକ୍ ବୁଲୁକୁ ଶେଷ ଜୀବନ ପର୍ଯ୍ୟନ୍ତ ସଶ୍ରମ କାରାଦଣ୍ଡ ଭୋଗ କରିବାକୁ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହିତ ରାଜୁକୁ ୧୦ ହଜାର ଟଙ୍କା ଜରିମାନା ଦଣ୍ଡାଦେଶ ପ୍ରଦାନ କରାଯାଇଛି। ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ପବ୍ଲିକ୍ ପ୍ରସିକ୍ୟୁଟର ‌ରମେଶଚନ୍ଦ୍ର ମହାନ୍ତି ମାମଲା ପରିଚାଳନା କରୁଥିଲେ।