ପିଇଓ ସ୍ମିତାରାଣୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା: ଭଙ୍ଗା ହେଲା “ରଙ୍ଗଶାଳା”

ଯାଜପୁର: ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ହରିଦାସପୁର ପଂଚାୟତ ପିଇଓ(ଭିଏଲଡବ୍ଲୁ) ସ୍ମିତାରାଣୀ ବିଶ୍ୱାଳରଙ୍କ ସନ୍ଦେହଜନକ ମୃତ୍ୟୁଘଟଣାରେ ଗିରଫ ହୋଇଥିବା ରୂପେଶ ଭଦ୍ରଙ୍କ “ରଙ୍ଗଶାଳା” ପରିଶେଷରେ ଭଙ୍ଗା ଯାଇଛି । ବର୍ତମାନ ଭଙ୍ଗାକାମ ଚାଲଇଥିବା ସୂଚନା ମିଳିଛି ।ପ୍ରଥମେ ଗେଟକୁ ଭଙ୍ଗା ଯାଇଥିଲା। ତା’ପରେ ଉପର ମହଲାକୁ ଭଙ୍ଗା ଯାଉଛି। ଉଲ୍ଲେଖଯୋଗ୍ୟ, ସରକାରୀ ଜମିକୁ ଜବରଦଖଲ କରାଯାଇ ଏହି ବିଶାଳ କୋଠା ନିର୍ମାଣ କରାଯାଇଥିଲା।

ଆଜି ସକାଳ ପ୍ରାୟ ସାଢ଼େ ୮ଟା ସମୟରେ ତହସିଲଦାର ସରୋଜ କୁମାର ପଣ୍ଡା ଏବଂ ଧର୍ମଶାଳା ଥାନା ଅଧିକାରୀ ସରୋଜ କୁମାର ସାହୁ ଦଳବଳ ଧରି ‘ରଙ୍ଗଶାଳା’କୁ ଭାଙ୍ଗିବା ଲାଗି ପହଂଚିଥିଲେ। ମାତ୍ର ‘ରଙ୍ଗଶାଳା’ ଭାଙ୍ଗିବାକୁ ରୂପେଶ ଭଦ୍ରଙ୍କ ସ୍ତ୍ରୀ ତଥା ହରିଦାସପୁର ସରପଂଚ ମଧୁସ୍ମିତା ଭଦ୍ର ଓ ତାଙ୍କର ସମର୍ଥକମାନେ ବିରୋଧ କରିଥିଲେ। ଏହାକୁ ନେଇ ସେଠାରେ ଉତେଜନାମୂଳକ ପରିସ୍ଥିତି ଦେଖିବାକୁ ମିଳିଥିଲା। ପରେ ପୋଲିସ ହସ୍ତକ୍ଷେପ ପରେ ଭଙ୍ଗାକାର୍ଯ୍ୟ ଆରମ୍ଭ ହୋଇଥିଲା।

ଘଟଣାସ୍ଥଳରେ ଯାଜପୁରର ଅତିରିକ୍ତ ଜିଲ୍ଲାପାଳ ମିହିର ପ୍ରସାଦ ମହାନ୍ତି, ଉପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ଧଳ, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ରାଜ କିଶୋର ଦୋରା, ଭବାନୀ ପଟ୍ଟନାୟକ, ଏସଡିପିଓ ଚିନ୍ମୟ ନାୟକଙ୍କ ସମେତ ବଡ଼ଚଣା, ଧର୍ମଶାଳା, କୁଆଖିଆ ଏବଂ ଜେନାପୁର ଥାନାର ଅଧିକାରୀମାନେ ମଧ୍ୟ ଉପସ୍ଥିତ ଅଛନ୍ତି।

‘ରଙ୍ଗଶାଳା’ କୁହାଯାଉଥିବା ରୁପେଶ ଭଦ୍ରଙ୍କ ଦୁଇ ମହଲା କୋଠାକୁ  ଭାଙ୍ଗିବା ଲାଗି ଦୁଇଟି ହାଇଡ୍ରା ମେସିନ୍ଓ ଗୋଟିଏ ବୁଲଡ୍ରୋଜର୍ ନିୟୋଜିତ ହୋଇଛି। ତା’ଛଡ଼ା ସେଠାରେ ୩ ପ୍ଲାଟୁନ୍ ପୋଲିସ ମୁତୟନ କରାଯାଇଛି। ‘ରଙ୍ଗଶାଳା’କୁ ଭଙ୍ଗାଯିବା ଆଗରୁ ସେଠାରୁ ୧୦ଟି ଟ୍ରାକ୍ଟରରେ ‘ରଙ୍ଗଶାଳା’ ଭିତରେ ଥିବା ବିଭିନ୍ନ ଆସବାବପତ୍ରକୁ ବୋହି ନିଆଯାଇଛି। ସେଠାରେ ଏବେ ପରିସ୍ଥିତ ଶାନ୍ତିପୂର୍ଣ୍ଣ ରହିଛି।

ସୂଚନାଯୋଗ୍ୟ, ସ୍ମିତାରାଣୀଙ୍କୁ ଆତ୍ମହତ୍ୟା କରିବା ପାଇଁ ପ୍ରବର୍ତାଇଥିବା ଅଭିଯୋଗରେ (ଦଫା ୩୦୬) ଗେଷ୍ଟ ହାଉସ ମାଲିକ ରୂପେଶଙ୍କୁ ଗିରଫ କରାଯାଇଛି ।