୨୭ରେ ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି

ଭୁବନେଶ୍ୱର:ଚଳିତ ମାସରେ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ରାଷ୍ଟ୍ରପତି ହେବା ପରେ ଏହା ତାଙ୍କର ଦ୍ୱିତୀୟ ଓଡ଼ିଶା ଗସ୍ତ । ଆସନ୍ତା ସେପ୍ଟେମ୍ବର ୨୭ ଓ ୨୮ ଦୁଇ ଦିନ ଧରି ରହିବାର କାର୍ଯ୍ୟକ୍ରମ ରହିଛି । ରାଷ୍ଟ୍ରପତି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବାର ସୂଚନା ରହିଛି । ରାଷ୍ଟ୍ରପତିଙ୍କ ସୁରକ୍ଷା ପାଇଁ ଆଜିଠାରୁ ପ୍ରସ୍ତୁତି ଆରମ୍ଭ ହୋଇଛି । ଏ ନେଇ ଭୁବନେଶ୍ୱର ଡିଜି କ୍ୟାମ୍ପରେ ଏକ ଉଚ୍ଚ ସ୍ତରୀୟ ବୈଠକ ବସିଛି ।

ମିଳିଥିବା ସୂଚନା ମୁତାବକ, ଆସନ୍ତା ସେପ୍ଟେମ୍ବର ୨୭ ସନ୍ଧ୍ୟା ୬ଟା ସମୟରେ ରାଷ୍ଟ୍ରପତି ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ପହଁଞ୍ଚିବେ । ଏହା ପରେ ସେ ସିଧାସଳଖ ରାଜଭବନ ଅଭିମୁଖେ ଯିବେ । ସେଠାରେ ରାତ୍ରିଯାପନ କରିବେ । ଏହା ପରେ ୨୮ ତାରିଖ ସକାଳ ୬ଟା ୧୦ରେ ଭୁବନେଶ୍ୱରରୁ ଏକ ସ୍ୱତନ୍ତ୍ର ବିମାନରେ ଗୋପାଳପୁର ଆର୍ମି ଅଫିସ୍‌ ଯିବେ । ସେଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେବା ପରେ ସେହିଦିନ ନୂଆଦିଲ୍ଲୀ ଫେରିଯିବାର କାର୍ଯ୍ୟକ୍ରମ ରହିଛି ।

ଏହି ସମୟରେ ରାଷ୍ଟ୍ରପତିଙ୍କ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ । ସେଥିଲାଗି ଆଜି ଡିଜି କ୍ୟାମ୍ପରେ ଏକ ଉଚ୍ଚ ସ୍ତରୀୟ ବୈଠକ ବସିଛି । ଏହି ବୈଠକରେ ପୋଲିସ ବିଭାଗ ବହୁ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଛନ୍ତି । ପୋଲିସ ଡିଜି ବିଜୟ କୁମାର ଶର୍ମାଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଆଇଜି ଅପରେସନ୍‌, ଏଡିଜ କୋଷ୍ଟାଲ ସିକ୍ୟୁରିଟି, ଗୁଇନ୍ଦା ବିଭାଗ, ଗଞ୍ଜାମ ଏସ୍‌ପି ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଅଛନ୍ତି । ବୈଠକରେ ରାଷ୍ଟ୍ରପତିଙ୍କ ସୁରକ୍ଷା ଉପରେ ଆଲୋଚନା କରାଯାଉଛି ।

ଏଠାରେ ଉଲ୍ଲେଖ ଯୋଗ୍ୟ, ପୂର୍ବରୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଗତବର୍ଷ ମାର୍ଚ୍ଚ ମାସରେ ପ୍ରଥମ ଥର ପାଇଁ ଓଡ଼ିଶା ଆସିଥିଲେ ।