ଜେଲରେ ଥିବା ଅଣ୍ଡରୱାର୍ଲଡ ଡନ ଛୋଟା ରାଜନର ଭାଇଙ୍କୁ ଏହି ଦଳ ଦେଲା ଟିକେଟ

ମୁମ୍ୱାଇ:ରାଜନୀତି  ଏବଂ ଅଣ୍ଡରୱାର୍ଲଡ ମଧ୍ୟରେ ସର୍ବଦା ଏକ ଭିନ୍ନ ପ୍ରକାରର ମାହୋଲ ରହିଛି । ଏନଡିଏର ସହଯୋଗୀ ରିପବ୍ଲିକାନ ପାର୍ଟି ଅଫ ଇଣ୍ଡିଆ(ଏ) ପଶ୍ଚିମ ମହାରାଷ୍ଟ୍ରର ଫଲଟଣ ବିଧାନସଭା ଆସନରେ ଜେଲରେ ବନ୍ଦ ଥିବା ଅଣ୍ଡରୱାର୍ଲଡ ଡନ ଛୋଟା ରାଜନଙ୍କ ଭାଇ ଦୀପକ ନିକାଲଜେଙ୍କୁ ଟିକେଟ ଦେଇଛି । 

ମହାରାଷ୍ଟ୍ରରେ ଅକ୍ଟୋବର 21 ତାରିଖରେ ନିର୍ବାଚନ ପାଇଁ ମତଦାନ ହେବ, ଯାହାକୁ ନେଇ ବିଜେପି, ଶିବସେନା ଏବଂ ଅନ୍ୟ ଛୋଟ ସହଯୋଗୀଙ୍କ ମଧ୍ୟ ଆସନ ବୁଝାମଣା ହୋଇଛି । ଏହି ବୁଝାମଣା ଅନୁସାରେ କେନ୍ଦ୍ର ମନ୍ତ୍ରୀ ରାମଦାସ ଅଠୱାଲେଙ୍କ ନେତୃତ୍ୱଧୀନ ଆରପିଆଇକୁ ଛଅଟି ଆସନ ଦିଆଯାଇଛି । ଏହି ଛଅ ଆସନ ମଧ୍ୟରୁ ଗୋଟିଏ ଆସନରେ ଆରପିଆଇର ଦୀପକ ନିକାଲଜେଙ୍କୁ ନିର୍ବାଚନ ମୈଦାନକୁ ଓହ୍ଲାଇବାକୁ ନିଷ୍ପତ୍ତି ନେଇଛି । 

ସୂଚନାଯୋଗ୍ୟ ଯେ ଆଠୱାଲେ ବୁଧବାର ଦିନ ମୁମ୍ୱାଇରେ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛନ୍ତି । ଏହା ପ୍ରଥମ ଥର ନୁହେଁ ଯେ ନିକାଲଜେ ଆରପିଆଇ ଟିକେଟରେ ନିର୍ବାଚନ ଲଢୁଛନ୍ତି, ଏହା ପୂର୍ବରୁ ମଧ୍ୟ ସେ ଦଳୀୟ ଟିକେଟରେ ମୁମ୍ୱାଇର ଚେମ୍ୱୁର ବିଧାନସଭା ଆସନରୁ ନିର୍ବାଚନ ଲଢିଛନ୍ତି, କିନ୍ତୁ ସେ ନିର୍ବାଚନରେ ପରାଜିତ ହୋଇଥିଲେ ।