ଚିଟଫଣ୍ଡ ସ୍କାମ : ସାଂସଦ ରାମଚନ୍ଦ୍ର ହାଁସଦାଙ୍କୁ ୪ ବର୍ଷ ପରେ ସୁପ୍ରିମକୋର୍ଟରୁ ମିଳିଲା ସର୍ତ୍ତମୂଳକ ଜାମିନ୍

ଭୁବନେଶ୍ବର : ଚିଟପଣ୍ଡ କମ୍ପାନୀରେ ସଂପୃକ୍ତ ଅଭିଯୋଗରେ ସିବିଆଇ ଦ୍ବାରା ଗିରଫ ହୋଇ ଜେଲରେ ଥିବା ସାଂସଦ ରାମଚନ୍ଦ୍ର ହାଁସଦାଙ୍କୁ ଜାମିନ ମିଳିଛି । ୪ ବର୍ଷ ପରେ ସୁପ୍ରିମକୋର୍ଟରୁ ହାଁସଦାଙ୍କୁ ସର୍ତ୍ତମୂଳକ ଜାମିନ୍ ଦେଇଛନ୍ତି । ନବଦିଗନ୍ତ କ୍ୟାପିଟାଲ ସର୍ଭିସେସ୍ ଚିଟଫଣ୍ଡ ମାମଲାରେ ଅଭିଯୁକ୍ତ ଥିଲେ ରାମଚନ୍ଦ୍ର ହାଁସଦା । ୨୦୧୪ ନଭେମ୍ବର ୪ ତାରିଖରୁ ଗିରଫ ହୋଇ ଜେଲରେ ଅଛନ୍ତି ମୟୁରଭଞ୍ଜ ସାଂସଦ । ନବ ଦିଗନ୍ତ କ୍ୟାପିଟାଲ ସର୍ଭିସେସ୍ ଠକେଇ ମାମଲାରେ ହାଁସଦାଙ୍କ ସହ ପୂର୍ତନ ବିଧାୟକ ସୁବର୍ଣ୍ଣ ନାୟକ ଏବଂ ହିତେଶ ବଗର୍ତ୍ତିଙ୍କୁ ସିବିଆଇ ଗିରଫ କରିଥିଲା । ଏହାସହ ଉଭୟ ହାଂସଦା ଏବଂ ସୁବର୍ଣଙ୍କୁ ବିଜେଡି ଦଳରୁ ନିଲମ୍ବନ କରିଥିଲା । ହିତେଶ ବଗର୍ତ୍ତି ବିଜେପି ସଦସ୍ୟ ଥିବା କୁହାଯାଉଥିଲେ ବି ପରେ ବିଜେପି ତାକୁ ଅସ୍ବୀକାର କରିଥିଲା । ସୁବର୍ଣ୍ଣ ନାୟକଙ୍କୁ ୨୦୧୭ ଅଗଷ୍ଟ ୯ ଏବଂ ହିତେଶ ବଗର୍ତ୍ତିଙ୍କୁ ୨୦୧୭ ଅକ୍ଟୋବରରେ ଜାମିନ୍ ପ୍ରଦାନ କରିଥିଲେ ଓଡ଼ିଶା ହାଇକୋର୍ଟ ।