ବିବାହ କଲେ ରାକ୍ଷୀ ସାୱନ୍ତ

ମୁମ୍ୱାଇ: ବଲିଉଡ୍‌ ତଥା ଟେଲିଭିଜନର କଣ୍ଟ୍ରୋଭର୍ସି କୁଇନ୍‌ ରାକ୍ଷୀ ସାୱନ୍ତ ଲୁଚିଛପି ମୁମ୍ୱାଇର ଏକ ହୋଟେଲରେ ବିବାହ କରିଛନ୍ତି ବୋଲି ସୋଶାଲ ମିଡିଆରେ ଫଟୋ ଭାଇରାଲ୍‌ ହୋଇଥିଲା। ଚର୍ଚ୍ଚା ହେବାର ଗୋଟିଏ ଦିନ ପରେ ରାକ୍ଷୀ ଏହି ଖବରକୁ ମିଛ ବୋଲି କହିଥିଲେ। ଭାଇରାଲ୍‌ ହେଉଥିବା ବ୍ରାଇଡାଲ୍‌ ଫଟୋ ତାଙ୍କର ଏକ ବ୍ୟବସାୟିକ ଫଟୋଶୁଟ୍‌ ବୋଲି ସେ ମିଡିଆରେ ପ୍ରକାଶ କରିଥିଲେ। କିନ୍ତୁ ଗତକାଲି ରାକ୍ଷୀ ପୁଣିଥରେ ତାଙ୍କର ମତ ପରିବର୍ତ୍ତନ କରିଛନ୍ତି। ମୁମ୍ୱାଇର ଜଣେ ଏନ୍‌ଆର୍‌ଆଇ ବ୍ୟବସାୟୀ ରିତେଶଙ୍କୁ ବିବାହ କରିଛନ୍ତି ବୋଲି ରାକ୍ଷୀ ସ୍ୱୀକାର କରିଛନ୍ତି। ଏକ ଫୋନ୍‌ ଇଣ୍ଟରଭ୍ୟୁରେ ରାକ୍ଷୀ କହିଛନ୍ତି, ସେ ଡରି ଯାଇଥିଲେ। ଏଥିପାଇଁ କାହାକୁ କିଛି ନ କହି ବିବାହ ଗୁପ୍ତ ଭାବରେ ଜୁଲାଇ ୨୦ ତାରିଖରେ ବିବାହ କରିଛନ୍ତି। ତାଙ୍କର ସ୍ୱାମୀ ମିଡିଆକୁ ପସନ୍ଦ କରନ୍ତି ନାହିଁ। ସେଥିପାଇଁ ସେ ମିଡିଆ ସାମ୍ନାକୁ ଆସିବାକୁ ଚାହାନ୍ତି ନାହିଁ। ଏହା ବ୍ୟତୀତ ବିବାହ ପରିବାର ଲୋକଙ୍କ ମଧ୍ୟରେ ହୋଇଥାଏ। ସାରା ଦୁନିଆକୁ ଜଣାଇବାର ଆବଶ୍ୟକତା ନାହିଁ।

ରାକ୍ଷୀ ଆହୁରି ମଧ୍ୟ କହିଛନ୍ତି, “ରିତେଶ ଜଣେ ହିନ୍ଦୁ ଏନ୍‌ଆର୍‌ଆଇ ଏବଂ ମୁଁ ଜଣେ ଖ୍ରୀଷ୍ଟିଆନ୍‌। ଏଥିପାଇଁ ଆମେ ପ୍ରଥମେ କୋର୍ଟ ମ୍ୟାରେଜ୍‌ କରିଥିଲୁ ଏବଂ ପରେ ପରିବାର ଲୋକଙ୍କ ଉପସ୍ଥିତିରେ ମୁମ୍ୱାଇର JW Marriott ହୋଟେଲରେ ବିବାହ କରିଥିଲୁ।”

ଆମେରିକା ଯିବା ନେଇ ରାକ୍ଷୀ କହିଛନ୍ତି, ‘ମୋ ସ୍ୱାମୀ ଆମେରିକାରେ ଡୋନାଲ୍ଡ ଟ୍ରମ୍ପଙ୍କ କମ୍ପାନୀରେ କାମ କରନ୍ତି। ତାଙ୍କର ଇଚ୍ଛା ଯେ, ମୁଁ ଏବେ ଇଣ୍ଡିଆରେ ରହି ଫିଲ୍ମ ଇଣ୍ଡଷ୍ଟ୍ରୀରେ କାମ କରେ। ରିତେଶ ମୋର ଜଣେ ବଡ଼ ଫ୍ୟାନ୍‌ ଥିଲେ। ହ୍ୱାଟସ୍‌ ଅପ୍‌ ଜରିଆରେ ଆମର କଥାବାର୍ତ୍ତା ଆରମ୍ଭ ହୋଇଥିଲା। ଏହାପରେ ସେ ମତେ ପ୍ରପୋଜ୍‌ କରି ବିବାହ ପ୍ରସ୍ତାବ ଦେଇଥିଲେ। ରିତେଶଙ୍କ ପରିବାର ଲୋକ ମଧ୍ୟ ବହୁତ ଭଲ। ? ମୋ ସ୍ୱାମୀ ମୋ ପାଇଁ ପରମେଶ୍ୱର” ବୋଲି ରାକ୍ଷୀ ଇଣ୍ଟରଭ୍ୟୁରେ କହିଛନ୍ତି।

ରାକ୍ଷୀଙ୍କୁ ନେଇ ବିବାଦର ତାଲିକା ବହୁତ ଲମ୍ୱା। ପୂର୍ବରୁ ମଧ୍ୟ ସେ ଏହିପରି ଅନେକ ମନ୍ତବ୍ୟ ଦେଇଛନ୍ତି, ଯାହାକୁ ସେ ପରେ ପବ୍ଲିସିଟି ଷ୍ଟଣ୍ଟ୍‌ ବୋଲି କହି ଏଡ଼ାଇ ଦେଇଛନ୍ତି। ତେଣୁ ରାକ୍ଷୀ ସତରେ ବିବାହ କରିଛନ୍ତି କି ନାହିଁ, ଏହା ମଧ୍ୟ ସମସ୍ତଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ରାକ୍ଷୀଙ୍କର ଏହି କଥାରେ କେତେ ସତ୍ୟତା ରହିଛି ତାହା ଆଗାମୀ ଭବିଷ୍ୟତରେ ଜଣାପଡ଼ିବ।