ମାର୍ଚ୍ଚ ୨୬ ରେ ରାଜ୍ୟସଭା ନିର୍ବାଚନ; ୧୩ ସୁଦ୍ଧା ନାମାଙ୍କନ, ରାଜ୍ୟରୁ ୪ ଆସନ

ଭୁବନେଶ୍ବର: ଆସନ୍ତା ଏପ୍ରିଲରେ ରାଜ୍ୟସଭାର ୧୭ ଟି ରାଜ୍ୟରୁ ୫୫ ଟି ଆସନ ଖାଲି ହେବ । ଖାଲି ହେଉଥିବା ଆସନ ଗୁଡିକରେ ମାର୍ଚ୍ଚ ୩୦ ସୁଦ୍ଧା ନିର୍ବାଚନ ସରିବ । ମଙ୍ଗଳବାର ଭାରତୀୟ ନିର୍ବାଚନ କମିଶନ ଏନେଇ ଘୋଷଣା କରିଛନ୍ତି ।

ନିର୍ବାଚନ କମିଶନଙ୍କ ସୂଚନା ଅନୁସାରେ ୫୫ ସିଟରେ ନିର୍ବାଚନ ପାଇଁ ମାର୍ଚ୍ଚ ୬ ରେ ବିଜ୍ଞପ୍ତି ପ୍ରକାଶ ପାଇବ । ମାର୍ଚ୍ଚ ୧୩ ସୁଦ୍ଧା ନାମାଙ୍କନ ଦାଖଲ ହେବ । ମାର୍ଚ୍ଚ ୨୬ ରେ ଭୋଟ ଗ୍ରହଣ ହୋଇ ସେହିଦିନ ଫଳାଫଳ ପ୍ରକାଶ ପାଇବ । ମାର୍ଚ୍ଚ ୩୦ ସୁଦ୍ଧା ନିର୍ବାଚନ ପ୍ରକ୍ରିୟା ଶେଷ ହେବ । ଭୋଟ ଦାନ ପାଇଁ ସମୟ ମଧ୍ୟ ଧାର୍ଯ୍ୟ ହୋଇଛି । ସକାଳ ୯ ଟାରୁ ଅପରାହ୍ନ ୪ ଟା ପର୍ଯ୍ୟନ୍ତ ମତଦାନ ହେବ ।

୫୫ ସିଟ ମଧ୍ୟରୁ ରାଜ୍ୟର ମଧ୍ୟ ୪ ଆସନରେ ନିର୍ବାଚନ ହେବ । ଏହାକୁ ନେଇ ଏବେ ରାଜ୍ୟ ରାଜନୀତିରେ ଘଡିକେ ଘୋଡା ଛୁଟିବା ଆରମ୍ଭ ହୋଇଛି । କିଏ ଯିବେ ରାଜ୍ୟସଭା କାହାକୁ ପଠାଇବ ବିଜେଡି ? ବିଜେପି କଂଗ୍ରେସର ଭୂମିକା କଣ ହେବ? ଯୋରଦାର ହୋଇଛି ଆଶାୟୀଙ୍କ ଲବି । ବଢୁଛି ବିଜେଡି ଉପରେ ଚାପ ।

ସୂଚନାଯୋଗ୍ୟ ଯେ, ରାଜ୍ୟର ୪ ସାଂସଦଙ୍କ କାର୍ଯ୍ୟକାଳ ଶେଷ ହେଉଛି । ସେମାନେ ହେଉଛନ୍ତି ବିଜେଡିର ନରେନ୍ଦ୍ର ସ୍ବାଇଁ, ସରୋଜିନୀ ହେମ୍ବ୍ରମ, ଅନୁଭବ ମହାନ୍ତି ଓ କଂଗ୍ରେସ ସାଂସଦ ରଞ୍ଜୀବ ବିଶ୍ବାଳ । ଯଦିଓ ଅନୁଭବ ଲୋକସଭାକୁ ନିର୍ବାଚିତ ହେବାପରେ ତାଙ୍କ ଆସନ ସାଧାରଣ ନିର୍ବାଚନ ପରଠାରୁ ଖାଲି ରହିଥିଲା ।