ଆଇନକୁ ସାଂସଦଙ୍କ ସମ୍ମାନ : ବିନା ହେଲମେଟରେ ଗାଡି ଚଳାଇ ଫାଇନ ଦେଲେ ଏନ ଭାସ୍କର ରାଓ

ରାୟଗଡା : ଆଇନ ଆଖିରେ ସମସ୍ତେ ସମାନ,ସେ ସାଧାରଣ ଲୋକ ହୁଅନ୍ତୁ ବା ସାଂସଦ । ଏହାର ପ୍ରମାଣ ଆଜି ଦେଖିବାକୁ ମିଳିଛି ରାୟଗଡାରେ । ବିନା ହେଲମେଡରେ ଗାଡି ଚଳାଇ ଆଇନ ଅନୁସାରେ ଫାଇନ ଦେଇଛନ୍ତି ବିଜେଡିର ବରିଷ୍ଠ ନେତା ରାଜ୍ୟ ସଭା ସାଂସଦ ଏନ ଭାସ୍କର ରାଓ ।   ବିଜୁ ଜନତା ଦଳର ୨୪ତମ ପ୍ରତିଷ୍ଠା ଦିବସ ଅବସରରେ ନୂଆ ବସଷ୍ଟାଣ୍ଡରେ ଦଳୀୟ କର୍ମୀ ଓ ନେତା ମାନେ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ଏହାପରେ ଏକ ମୋଟର ସାଇକେଲ ରାଲିରେ ସେମାନେ ବଂଶୀକ୍ରିଷ୍ଣା ମଣ୍ଡପକୁ ଯାଇଥିଲେ। ସେହି ସମୟରେ ରାଜ୍ୟସଭା ସାଂସଦ ଏନ ଭାସ୍କର ରାଓ ବିନା ହେଲମେଟରେ ଏକ ଧଳା ରଙ୍ଗର ସ୍କୁଟି ଚଳାଉଥିଲେ। ପୁଲିସ ସାଂସଦଙ୍କ ନିକଟରେ ପହଞ୍ଚି ଜରିମାନା ଆଦାୟ କରିଥିଲା। ହେଲମେଟ୍ ନ ପିନ୍ଧି  ସାଂସଦ  ୫୦୦ ଟଙ୍କା ଜରିମାନା  ଦେଇଥିଲେ । ତାଙ୍କ ସହ ବିଜୁ ଜନତା ଦଳର ଅନ୍ୟ ୭ଜଣ କର୍ମୀଙ୍କ ଠାରୁ ମଧ୍ୟ ପୁଲିସ ଜରିମାନା ଆଦାୟ କରିଥିବା ଜଣାଯାଇଛି ।

ଜରିମାନା ଦେବା ପରେ ଏନ ଭାସ୍କର ରାଓ କହିଛନ୍ତି ଯେ ଆଇନ ସମସ୍ତଙ୍କ ପାଇଁ ସମାନ। ଦେଶର ଆଇନକୁ ସେ ସମ୍ମାନ ଜଣାଉଛନ୍ତି ବୋଲି କହିଛନ୍ତି ରାଜ୍ୟସଭା ସାଂସଦ। ସାଂସଦ ହୋଇ ଆଇନକୁ ଏଡାଇ ନଜାଇ ନିଜ ଆଡୁ ପୋଲିସକୁ ଫାଇନ ଦେବା ପରେ ଏହାକୁ ନେଇ ଚାରିଆଡେ ସାଂସଦଙ୍କୁ ପ୍ରଶଂସା କରାଯାଉଛି ।