ବଦଳିଲା ରାଜ୍ୟସଭା ମାର୍ଶଲଙ୍କ ଡ୍ରେସ

ନୂଆଦିଲ୍ଲୀ: ଆଜିଠାରୁ ସଂସଦର ଶୀତ ଅଧିବେଶନ ଆରମ୍ଭ ହୋଇଛି। ତେବେ ଆଜି ରାଜ୍ୟସଭାରେ ଅଧ୍ୟକ୍ଷ ଭେଙ୍କୟା ନାଇଡୁଙ୍କ ପ୍ରବେଶ ବେଳେ ହଠାତ୍‌ ଗୃହରେ ଉପସ୍ଥିତ ସମସ୍ତ ସଦସ୍ୟ ଆଶ୍ଚର୍ଯ୍ୟଚକିତ ହୋଇଯାଇଥିଲେ। ତେବେ ଅଧ୍ୟକ୍ଷ ଶ୍ରୀ ଭେଙ୍କୟା ନାଇଡୁଙ୍କୁ ଦେଖି ସାଂସଦମାନେ ଆଶ୍ଚର୍ଯ୍ୟ ହୋଇ ନଥିଲେ ବରଂ ତାଙ୍କ ପାଖରେ ଛିଡ଼ା ହୋଇଥିବା ରାଜ୍ୟସଭା ମାର୍ଶଲଙ୍କ ଡ୍ରେସକୁ ଦେଖି ସମସ୍ତେ ଚକିତ ହୋଇଯାଇଥିଲେ।

ପୂର୍ବରୁ ରାଜ୍ୟସଭା ମାର୍ଶଲମାନେ ମୁଣ୍ଡରେ ପଗଡ଼ି ଓ ଭାରତୀୟ ପରମ୍ପରା ସହ ଜଡ଼ିତ ସ୍ୱତନ୍ତ୍ର ପୋଷାକ ପରିଧାନ କରୁଥିଲେ। ହେଲେ ଆଜି ରାଜ୍ୟସଭା ମାର୍ଶଲଙ୍କୁ ମିଲିଟାରୀ ଗ୍ରୀନ୍‌ ପୋଷାକରେ ଦେଖିବାକୁ ମିଳିଛି। ପଗଡ଼ି ବଦଳରେ ମାର୍ଶଲ ଜଣଙ୍କ ମୁଣ୍ଡରେ ସୁରକ୍ଷାକର୍ମୀଙ୍କ ଭଳି ଟୋପି ପିନ୍ଧିଛନ୍ତି। ପୂର୍ବରୁ ଧଳା ରଙ୍ଗର ଡ୍ରେସ ପିନ୍ଧୁଥିବା ମାର୍ଶଲ ଏବେ ସୁରକ୍ଷାକର୍ମୀଙ୍କ ଭଳି ଡ୍ରେସ ପିନ୍ଧିଛନ୍ତି।

ଆଜି ରାଜ୍ୟସଭାର ୨୫୦ତମ ସଂସ୍କରଣ ଆରମ୍ଭ ହୋଇଛି। ୧୯୫୨ରେ ରାଜ୍ୟସଭାର ପ୍ରଥମ ସେସନ୍ସ ଆରମ୍ଭ ହୋଇଥିଲା।
ଆଜି ରାଜ୍ୟସଭା ଆରମ୍ଭ ହେବା ମାତ୍ରେ ଅଧ୍ୟକ୍ଷ ଶ୍ରୀ ନାଇଡୁ ସମସ୍ତ ଦିବଂଗତ ସଦସ୍ୟଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।