ଆଜି ପହିଲି ରଜ

ଭୁବନେଶ୍ୱର: ଓଡ଼ିଶାର ଲୋକପ୍ରିୟ ପର୍ବ ‘ପହିଲି ରଜ’ ଆଜି ପାଳନ ହେଉଛି । ସାମାଜିକ, ସାଂସ୍କୃତିକ, ଧାର୍ମିକ ଦୃଷ୍ଟିକୋଣରୁ ଏହି ପର୍ବର ଗୁରୁତ୍ୱ ରହିଛି । କିନ୍ତୁ ଦୁଃଖର କଥା ହେଲା ଯେ, ଚଳିତ ବର୍ଷ ମହାମାରୀ କରୋନା ଭାଇରସ ଯୋଗୁଁ ରଜ ପର୍ବରେ ଉତ୍ସାହ ଦେଖାଯାଇ ନାହିଁ । ଗାଁରୁ ସହର ଯାଏଁ ସର୍ବସାଧାରଣସ୍ଥଳରେ ରଜ ଦୋଳି ନାହିଁ, କି ବାଗୁଡ଼ି ଖେଳ ପ୍ରତିଯୋଗିତା ନାହିଁ । ସେହିପରି ରଜ ପର୍ବ ନାହିଁ କି ସ୍ୱତନ୍ତ୍ର ମେଳା ମହୋତ୍ସବ ନାହିଁ । ଏହି ଭଳି ଏକ ପରିସ୍ଥିତିରେ ଆଜି ସାରା ରାଜ୍ୟରେ ରଜ ପର୍ବ ପାଳନ ହେଉଛି ।

କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କୋଭିଡ-୧୯ ଗାଇଡଲାଇନ ଅନୁସାରେ ସାରା ରାଜ୍ୟରେ ରଜ ପର୍ବ ପାଳନ ହେଉଛି ।

କେନ୍ଦୁଝର, ଗଂଜାମ, ଖୋର୍ଦ୍ଧା, ଯାଜପୁର, କେନ୍ଦ୍ରାପଡ଼ା ଜିଲ୍ଲାରେ ରଜ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ କଟକଣା ଜାରି ହୋଇଛି । ସେହିପରି ଭୁବନେଶ୍ୱର ମହାନଗର ନିଗମ ମଧ୍ୟ ରଜ ପର୍ବ ବାହାରେ ପାଳନ କରିବାକୁ ପରାମର୍ଶ ଦେଇଛି । ସର୍ବସାଧାରଣସ୍ଥଳରେ ରଜ ପର୍ବ ପାଳନ ଅପେକ୍ଷା ଜୀବନ ଅଧିକ ଗୁରୁତ୍ୱପୂର୍ଣ୍ଣ ବୋଲି ରାଜ୍ୟ ସରକାର କହିଛନ୍ତି । ତେଣୁ ରାଜ୍ୟରେ ସାମୁହିକ ସମାବେଶ, ରଜଦୋଳି, ବାଗୁଡ଼ି, ତାସ ଖେଳ ଉପରେ କଟକଣା ଲାଗୁ ହୋଇଛି ।

ଯାଜପୁର ଜିଲ୍ଲା ପ୍ରଶାସନ ମଧ୍ୟ ଜିଲ୍ଲାରେ ରଜ ପର୍ବ ପାଳନ ନେଇ ସ୍ୱତନ୍ତ୍ର ଗାଇଡଲାଇନ ଜାରି କରିଛି । ଗୋଟିଏ ସ୍ଥାନରେ ୫ରୁ ଅଧିକ ଲୋକ ଏକତ୍ର ନହୁଅନ୍ତୁ ବୋଲି ପରାମର୍ଶ ଦେଇଛି । କଟକଣା ମଧ୍ୟରେ ରଜ ପର୍ବ ପାଳନ ହେଉଥିବାରୁ ଏଥର ଉତ୍ସାହ ଦେଖାଯାଉ ନାହିଁ । ପର୍ବରେ ମେଳା, ମହୋତ୍ସବ ଓ ଦୋକାନ ବଜାର ଖୋଲିଲେ ଭଲ ଲାଗିଥାଏ । ରାଜ୍ୟର ୧୧ଟି ଜିଲ୍ଲାରେ ଶନିବାର ଓ ରବିବାର ଲାଗୁ ହୋଇଥିବା ସଟଡାଉନ ରଜ ପର୍ବରେ ଅଧିକ ପ୍ରଭାବ ପକାଇଛି ।