ରେଢ଼ାଖୋଲରେ ଧର୍ମେନ୍ଦ୍ରଙ୍କୁ ପ୍ରଶଂସା କଲେ ରାଜନାଥ ସିଂ

ରେଢ଼ାଖୋଲ, କେନ୍ଦୁଝର ଓ ଖୋର୍ଦ୍ଧା ସଭାରେ ସରକାର ପରିବର୍ତ୍ତନ ପାଇଁ ରାଜନାଥ ସିଂଙ୍କ ଆହ୍ବାନ। କଂଗ୍ରେସ ଓ ବିଜେଡି ଯାହା କରିବା କଥା ତାହା କରିନାହାନ୍ତି। ତେଣୁ ବିଜେପି ହିଁ ବିକଳ୍ପ ବୋଲି କହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ। ରେଢ଼ାଖୋଲରେ ଧର୍ମେନ୍ଦ୍ରଙ୍କ ପ୍ରଶଂସା କରିବା ସହ ଜିତାଇବାକୁ ସେ ନିବେଦନ କରିଥିଲେ।

ସେପଟେ ଧର୍ମେନ୍ଦ୍ର କହିଥିଲେ ୨୪ ବର୍ଷର ଅପାରଗତାର ଉଦାହରଣ ହେଉଛି ରେଢ଼ାଖୋଲ। ତେଣୁ ପରିବର୍ତ୍ତନ ପାଇଁ ଆଶୀର୍ବାଦ କରିବାକୁ ନିବେଦନ କରିଥିଲେ କେନ୍ଦ୍ରମନ୍ତ୍ରୀ।

ରାଜନାଥ ସିଂଙ୍କ ତୁଫାନୀ ପ୍ରଚାର। ନିର୍ବାଚନୀ ସଭାରେ କଂଗ୍ରେସ ଏବଂ ବିଜେଡିକୁ ଟାର୍ଗେଟ କରିଛନ୍ତି ରାଜନାଥ । କହିଛନ୍ତି ଓଡ଼ିଶାରେ ୫୦ ବର୍ଷ କଂଗ୍ରେସ ଶାସନ କରିଛି । ଏବଂ ୨୫ ବର୍ଷ ହେଲା BJD ଶାସନ କରୁଛି। ହେଲେ ଓଡ଼ିଶା ଯେଉଁ ଶିଖର ଛୁଇଁବା କଥା ତାହା ହୋଇନି। ତେଣୁ ଏବେ ଓଡ଼ିଶାରେ ବିଜେପି ହିଁ ବଡ ବିକଳ୍ପ ବୋଲି କହିଛନ୍ତି ରାଜନାଥ। ସମାବେଶରେ ସମ୍ବଲପୁର ଲୋକସଭା ପ୍ରାର୍ଥୀ ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପ୍ରଶଂସା କରିଥିଲେ ରାଜନାଥ କହିଥିଲେ ଧର୍ମେନ୍ଦ୍ରଙ୍କୁ ନେଇ ସେ ଗର୍ବିତ। କମ ବୟସରେ ଦେଶରେ ନିଜର ପରିଚୟ ସୃଷ୍ଟି କରିଛନ୍ତି ଧର୍ମେନ୍ଦ୍ର । ବିଭିନ୍ନ ବିଭାଗରେ ମନ୍ତ୍ରୀ ରହିସାରିଛନ୍ତି ଧର୍ମେନ୍ଦ୍ର। ଗୁରୁତ୍ବପୂର୍ଣ୍ଣ ଶିକ୍ଷା ବିଭାଗର ଭାର ତାଙ୍କ କାନ୍ଧରେ ଅଛି। ଯେଉଁଭଳି ଭାବେ ଶିକ୍ଷାନୀତି ଲାଗୁ କରିଛନ୍ତି ସେନେଇ ଆମେ ଗର୍ବିତ। ଧିର, ଗମ୍ଭୀର, କମ କହୁଥିବା ନେତା ଧର୍ମେନ୍ଦ୍ର । କ୍ୟାବିନେଟ୍‌ରେ ବି ନିଜ କଥା ଦୃଢ଼ତାର ସହ ରଖିଛନ୍ତି । ଏଭଳି ବ୍ୟକ୍ତି ଜିତିବା ଉଚିତ କି ନୁହେଁ ବୋଲି ପଚାରିଲେ ରାଜନାଥ

ସେହିପରି ଧର୍ମେନ୍ଦ୍ର କହିଥିଲେ ୨୪ ବର୍ଷର ଅପାରଗତାର ଉଦାହରଣ ହେଉଛି ରେଢ଼ାଖୋଲ। ଏଠିକା ଲୋକେ ଦାଦନ ଖଟିବାକୁ ଯାଉଛନ୍ତି। ହେଲେ ଏହାକୁ ବଦଳାଇବା ପାଇଁ ମୋଦି ଆହ୍ବାନ ଦେଇଛନ୍ତି। ଓଡ଼ିଶାରେ ସେବା କରିବାକୁ ସୁଯୋଗ ଦିଅନ୍ତୁ। ୨୫ରେ ସମ୍ବଲପୁରରେ ହେବାକୁ ଥିବା ନିର୍ବାଚନରେ ବିଜୟ ପାଇଁ ଆଶୀର୍ବାଦ କରନ୍ତୁ ବୋଲି ନିବେଦନ କରିଥିଲେ ଧର୍ମେନ୍ଦ୍ର।

ରେଢାଖୋଲ ପରେ କେନ୍ଦୁଝର ଜିଲ୍ଲାର ଅସନପାଟ ଠାରେ ନିର୍ବାଚନୀ ସଭା କରିଥିଲେ ରାଜନାଥ ସିଂ। କହିଥିଲେ ବିଜେଡ଼ି ସରକାର ଭ୍ରଷ୍ଟାଚାରରେ ବୁଡ଼ି ରହିଛି। ଆଉ ବିଜେପି ସରକାର ଆସିଲେ ଦେଶର ସମ୍ବିଧାନ ବଦଳାଇ ଦେବ ବୋଲି କଂଗ୍ରେସ ଖାଣ୍ଟି ମିଛ କହୁଛି। ଶେଷରେ ଖୋର୍ଦ୍ଧାର ହାବେଳୀ ପଡ଼ିଆରେ ପ୍ରଚାର କରିଥିଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ। ବିରୋଧୀଙ୍କ ଉପରେ ବର୍ଷିବା ସହ ବିଜେପି ସାଂସଦ ଏବଂ ବିଧାୟକ ପ୍ରାର୍ଥୀଙ୍କୁ ଜିତାଇବାକୁ ନିବେଦନ କରିଥିଲେ ରାଜନାଥ।