ଓଡିଶାରେ ଲମ୍ବା ସମୟ ଧରି ସ୍ଥାୟୀ ସରକାର ରହିବା ସତ୍ୱେ ବିକାଶ ହୋଇପାରୁନାହିଁ କାହିଁକି ? ମୁଖ୍ୟମନ୍ତ୍ରୀ ଉତର ରଖନ୍ତୁ : ରାଜନାଥ

ଭଦ୍ରକରେ ୪ଟି ଜିଲ୍ଲାର ବୁଥ ସ୍ତରୀୟ କାର୍ଯ୍ୟକର୍ତା ସମ୍ମିଳନୀ ରେ ଯୋଗଦେଲେ ରାଜନାଥ ସିଂହ,ଅମର ସହିଦଙ୍କ ବଳିଦାନ ବ୍ୟର୍ଥ ଯିବନି

ଭଦ୍ରକ : ଓଡିଶାରେ ଲମ୍ବା ସମୟ ଧରି ସ୍ଥାୟୀ ସରକାର ରହିବା ସତ୍ୱେ ବିକାଶ ହୋଇପାରୁନାହିଁ କାହିଁକି ? ଏହି ବିକାଶରେ କାହିଁକି ବାଧା ସୃଷ୍ଟି ହେଉଛି । ମୁଖ୍ୟମନ୍ତ୍ରୀ ନୀବନ ପଟ୍ଟନାୟକଙ୍କୁ ଆହ୍ୱାନ ଦେଇ କହିଛନ୍ତି ଯେ, ଆସନ୍ତୁ ବିଜେପି ଶାସିତ ରାଜ୍ୟର ବିକାଶ ଦେଖନ୍ତୁ । ବିଜେପି ଶାସିତ ରାଜ୍ୟର ଜିଡ଼ିପି ତୁଳନାରେ ଓଡ଼ିଶା ବହୁତ ପଛରେ ରହିଛି
। ଭଦ୍ରକ ରାଣିତାଲରେ ଅନୁଷ୍ଠିତ ବିଜେପିର କର୍ମକର୍ତ୍ତା ସମ୍ମଳନୀରେ ଏମିତି କହି ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ । ଏହା ସହ ସେ କହିଛନ୍ତି । ଆୟୁଷ୍ମାନ ଭାରତ ଯୋଜନା ବିଶ୍ୱର ବୃହତ ସ୍ୱାସ୍ଥ୍ୟ ସୁରକ୍ଷା ଯୋଜନା ହୋଇଥିଲେ ମଧ୍ୟ ଏହାକୁ ଓଡ଼ିଶାରେ ଲାଗୁ କରାଯାଉନି । କେଉଁ କାରଣ ରହୁଛି ବୋଲି ପ୍ରଶ୍ନ କରିଛନ୍ତି ରାଜନାଥ । ସେପଟେ କଂଗ୍ରେସକୁ ମଧ୍ୟ ନିଶାନାକୁ ନେଇ ରାହୁଲଙ୍କୁ ସମାଲୋଚନା କରିଛନ୍ତି ରାଜନାଥ । କହିଛନ୍ତି ଯେ, ଚୌକିଦାର ଚୋର ନୁହେଁ ସ୍ୱଚ୍ଛ । ଯେଉଁମାନେ ଦୁର୍ନିତିକୁ ନିଜର ରକ୍ତରେ ସାମିଲ କରିଛନ୍ତି ସେମାନେ ମୋଦି ସରକାରକୁ ସମାଲୋଚନା କରୁଛନ୍ତି ବୋଲି କହି କଂଗ୍ରେସ ଉପରେ ବର୍ଷିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ । ପୂର୍ବଭାରତର ବିକାଶ କେବଳ ମୋଦି ସରକାର କରି ପାରିବେ ବୋଲି କହିଛନ୍ତି ରାଜନାଥ । ତେଣୁ ହାତରେ ଆଉ ଅଳ୍ପ ସମୟ ଅଛି ତୁରନ୍ତ ସରକାର ବଦଳାଇବାର ନିଷ୍ପତି ନିଅନ୍ତୁ ଏବଂ ଓଡ଼ିଶାରେ ବିଜେପିକୁ ଶାସନ କରିବାର କ୍ଷମତା ଦେବାକୁ ଆହ୍ୱାନ ଦେଇଛନ୍ତି ରାଜନାଥ ।

ଭାରତର ସ୍ୱତନ୍ତ୍ରତା ସଂଗ୍ରାମର ଆରମ୍ଭ ଓଡିଶାର ପାଇକ ମାନଙ୍କ ଦ୍ୱାରା ହୋଇଥିଲା । ଓଡିଶା ହେଉଛି ବିର ମାନଙ୍କର ମାଟି । ଏମାଟି ଅନେକ ବିର ସନ୍ତାନଙ୍କୁ ଜନ୍ମ ଦେଇଛି ଯେଉଁମାନେ ଦେଶର ଅଖଣ୍ଡତା ପାଇଁ ନିଜର ବଳିଦାନ ଦେଇଛନ୍ତି । ଏବେ ପୁଲଓାମା ଆତଙ୍କବାଦି ଆକ୍ରମଣରେ ସହିଦ ହୋଇଥିବା ଦୁଇ ଓଡିଆ ସନ୍ତାନ ମନୋଜ ବେହେରା ଓ ପ୍ରସନ୍ନ ସାହୁଙ୍କ ପାଇଁ ଆଜି ସାରା ଦେଶ ଗର୍ବିତ । ସେମାନଙ୍କର ବଳିଦାନ କଦାପି ବ୍ୟର୍ଥ ଯିବନି । ପ୍ରଧାନମନ୍ତ୍ରୀ ସେନାଙ୍କୁ ପୂରା ଅଧିକାର ଦେଇଛନ୍ତି । ପାକିସ୍ତାନ ଏବଂ ଆତଙ୍କବାଦି ଗୋଷ୍ଠୀମାନଙ୍କୁ କଡା ଜବାବ ଦିଆଯିବ ବୋଲି ଭଦ୍ରକରେ ଅନୁଷ୍ଠିତ ୪ଟି ଜିଲ୍ଲାର ବୁଥ ସ୍ତରୀୟ କାର୍ଯ୍ୟକର୍ତା ସମ୍ମିଳନୀରେ ଯୋଗଦେଇ କହିଛନ୍ତି କେନ୍ଦ୍ରୀୟ ଗୃହମନ୍ତ୍ରୀ ରାଜନାଥ ସିଂ । ସଭାର ଆରମ୍ଭରେ ସହିଦ ମାନଙ୍କ ପାଇଁ ୨ ମିନିଟ ନୀରବ ପାର୍ଥନା କରିବା ପରେ ନିଜ ବକ୍ତବ୍ୟ ଆରମ୍ଭ କରି ରାଜନାଥ କହିଛନ୍ତି କି ସର୍ବଦଳୀୟ ବୈଠକରେ ସମସ୍ତ ରାଜନୈତିକ ଦଳ ଏକ ସ୍ୱରରେ ପୁଲୱାମା ଘଟଣାର ନିନ୍ଦା କରିବା ସହ ପାକିସ୍ତାନକୁ ତାରି ଭାଷାରେ ବୁଝାଇବା ପାଇଁ ମତ ରଖିଛନ୍ତି । ସାରା ଦେଶ ଏବେ ଜବାନଙ୍କ ସହ ଛିଡା ହୋଇଛି ।
ଓଡିଶା ସର୍ମ୍ପକରେ ମତ ରଖି ରାଜନାଥ କହିଛନ୍ତି କି ଓଡିଶାର ବିକାଶ ହେଲେ ଦେଶର ବିକାଶ ହେବ । ହେଲେ ଓଡିଶାରେ ଲମ୍ବା ସମୟ ଧରି ଏକ ସ୍ଥାୟୀ ଓ ନିରଙ୍କୁଶ ସରକାର ରହିବା ସତ୍ୱେ ଓଡିଶାର ବିକାଶ ହୋଇପାରିନାହିଁ । ଓଡିଶା ପାଖେ ସବୁ ଥାଇବି ଓଡିଶା ବିକାଶରେ ପଛୁଆ । ଭାରତର ସବୁ ରାଜ୍ୟ ତୁଳନାରେ ଓଡିଶା କାହିଁକି ପଛୁଆ ଏହାର ଉତର ଓଡିଶାର ମୁଖ୍ୟମନ୍ତ୍ରୀ ରଖନ୍ତୁ । ଆଗାମୀ ନିର୍ବାଚନରେ କେନ୍ଦ୍ରରେ ବିଜେପିର ଆଉଥରେ ସରକାର ହେବ । ଓଡିଶାରେ ବି ଆମର ସରକାର ହେବ । ବିଜେପି ସରକାର ଆସିଲେ ଓଡିଶାରୁ ଗରିବ ହଟିବ ଓ ପୂରା ବିକାଶ ହେବ ।
ଭାରତକୁ ଆର୍ଥୀକ ଦୃଷ୍ଟିରେ ଶକ୍ତିଶାଳୀ ବନାଇବା ସହ ବିଶ୍ୱଗୁରୁ ରୂପେ ଦେଖିବାକୁ ଆମ ସରକାର ଚାହୁଂଛି । ଆମେ ଧନ, ଜ୍ଞାନ ଓ ବିଜ୍ଞାନର ନିର୍ମାଣ ଭାରତରେ କରିବାକୁ ଚାହୁଁଛୁ । ଦେଶ ବନାଇବା ପାଇଁ ଆମେ ରାଜନୀତି କରୁଛୁ ସରକାର କରିବା ପାଇଁ ନୁହେଁ । ଓଡିଶାରେ ବିଜେପି ସରକାରକୁ ଆସିଲେ ଓଡିଆ ସଂସ୍କୃତିକୁ ବି ଆଗକୁ ନେବୁ ବୋଲି ଶ୍ରୀ ସିଂ କହିଛନ୍ତି ।


ଶ୍ରୀ ସିଂ କହିଛନ୍ତି କି ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ହେବା ପରେ ଅନ୍ତରାଷ୍ଟ୍ରୀୟ ସ୍ତରରେ ଭାରତର ଗୁରୁତ୍ୱ ବଢିଛି । ଆଗରୁ ଭାରତ ଏକ ଗରୀବ ଦେଶ ବୋଲି ଅନ୍ୟ ଦେଶ ମାନେ କହୁଥିଲେ । ଗତ ୫ ବର୍ଷ ପୂର୍ବରୁ ଭାରତ ବିଶ୍ୱ ଅର୍ଥନୀତିରେ ୯ମ ସ୍ଥାନରେ ଥିଲା । ଏବେ ଏହା ୫ ମ ସ୍ଥାନରେ ପଂହଚିଛି । ୨୦୩୦ ସୁଦ୍ଧା ଋୁଷ, ଚାଇନା ଦେଶକୁ ପଛରେ ପକାଇ ପ୍ରଥମ ୩ ରେ ପହଂଚିବ । ଦେଶରେ ଜିଡିପି ରେଟ୍ ୧୦ରୁ ୧୨ ପ୍ରତିଶତ ଅଛି । ଏବେ ଦେଶରେ ପ୍ରତିଦିନ ୨୮ କିମି ଜାତୀୟ ରାଜପଥ ନିର୍ମାଣ ହେଉଛି ।
ଆମ ସରକାର ଦେଶର ଗରିବମାନଙ୍କ ବିକାଶ ପାଇଁ ଅହରହ କାମ କରୁଛି । ଜନଧନ ଯୋଜନାରେ ଝୁପୁଡି ଘରେ ରହୁଥିବା ଲୋକର ବ୍ୟାଙ୍କରେ ଆକାଉଂଟ ଖୋଲାଯାଇଛି । ଦେଶରେ ୩୨ କୋଟି ଗରିବ ଲୋକଙ୍କ ଆକାଉଂଟ ଖୋଲାଯାଇଛି । କିଛି ଅସୁବିଧା ହେଲେ ୧୦ ହଜାର ଟଙ୍କାର ଓଭରଡ୍ରାଫ୍ଟର ସୁବିଧା ଅଛି । ଆୟୁଷ୍ମାନ ଭାରତ ଯୋଜନା ଭଳି ଯୋଜନା ଦୁନିଆରେ କେହି କଳ୍ପନା କରିନଥିଲେ । ହେଲେ ଓଡିଶାରେ ଆୟୁଷ୍ମାନ ଭାରତ ଯୋଜନାକୁ ଲାଗୁ ନକରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ଶ୍ରୀ ରାଜନାଥ କହିଛନ୍ତି ।
ସ୍ୱାଧୀନତାର ୭୦ ବର୍ଷପରେ ବି କୋଟି କୋଟି ଲୋକଙ୍କ ଘର ବିଜୁଳି ପହଂଚି ନଥିଲା । ଯାହାକି ମୋଦି ସରକାରଙ୍କ ଦ୍ୱାରା ସମ୍ଭବ ହୋଇ ପାରିଲା । ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ପ୍ରଧାନମନ୍ତ୍ରୀ ବୃଦ୍ଧି କରିବା ସହ ଇନପୁଟ ସବସିଡିକୁ ଦେଢଗୁଣା କରାଯାଇଛି । ୨୦୨୨ ସୁଦ୍ଧା କୃଷକଙ୍କ ଆୟ ଦୁଇ ଗୁଣା ହେବ । କିଷାନ ନିଧି ଯୋଜନା ଅନୁଯାୟୀ ପ୍ରତି କୃଷକ ପରିବାରକୁ ୬୦୦୦ ଟଙ୍କା ଦିଆଯିବ । ଅଣସଙ୍ଗଠିତ ଶ୍ରମିକମାନଙ୍କୁ ୬୦ ବର୍ଷ ବୟସ ପରେ ମାସିକ ୩ ହଜାର ଟଙ୍କାର ପେନସନ ଦିଆଯିବ । ଆଗରୁ ମାତ୍ର ୨୫ ଲକ୍ଷ ପରିବାରଙ୍କୁ କଂଗ୍ରେସ ସରକାର ସମୟରେ ପକ୍କାଘର ମିଳିଥିଲା । ଏବେ ଏହା ୧ କୋଟି ୩୦ ଲକ୍ଷରେ ପହଂଚିସାରିଲାଣି ବୋଲି ଶ୍ରୀ ରାଜନାଥ କହିଛନ୍ତି ।
ରାଜନାଥ କହିଛନ୍ତିକି କଂଗ୍ରେସ, ବିଜେଡି ସହ ଅନ୍ୟ ରାଜନୈତିକ ଦଳମାନଙ୍କ ମଧ୍ୟରେ ହତାଶ ଓ ନିରାଶ ଦେଖାଦେଇଛି । ନିଜ ଦୋଷ ଦୁବ ର୍ଳତାକୁ ଲୁଚାଇବା ପାଇଁ ଇଭିଏମ ମେସିନରେ ତ୍ରୁଟି କଥା କହି ନିର୍ବାଚନ କମିଶନଙ୍କୁ ଟାର୍ଗେଟ କରାଯାଉଛି । କଂଗ୍ରେସ ପାଖରେ କିଛି ଯୋଜନା ନାହିଁ । ରାଫେଲ କଥା ଉଠାଇ ଦେଶ ସହ ମଜା କରୁଛି କଂଗ୍ରେସ । ୩୦ ବର୍ଷରେ ଗୋଟିଏ ବି ଯୁଦ୍ଧ ବିମାନ କଂଗ୍ରେସ କିଣି ପାରିନଥିଲା । କଂଗ୍ରେସ ନେତା ପ୍ରଧାନମନ୍ତ୍ରୀଙ୍କ ପ୍ରତି ଅପଶଦ୍ଦ ବ୍ୟବହାର କରି କହୁଛନ୍ତି – ଚୌକିଦାର ଚୋର ହେ । ପ୍ରଧାନମନ୍ତ୍ରୀ , ରାଷ୍ଟ୍ରପତିଙ୍କୁ ମର୍ଯ୍ୟାଦା ନଦେବା କଂଗ୍ରେସ ଅଧକ୍ଷଙ୍କ ବାଚାଳାମିକୁ ପରିପ୍ରକାଶ କରୁଛି ।


ପ୍ରଧାନମନ୍ତ୍ରୀ ଚୋରି କରିକି ପଇସା ନେଲେ କାହାକୁ ଦେବେ । ତାଙ୍କ ଆଗରେ କେହି ନାହାଁନ୍ତି କି ପଛରେ କେହି ନାହାଁନ୍ତି । ମୋଦିଙ୍କ ନିୟତ ଓ ସ୍ୱାଭିମାନ ଉପରେ କେହି ବି ପ୍ରଶ୍ନ ଉଠାଇ ପାରିବେନି । ଦେଶର ଚୌକିଦାର ଚୋର ନୁହେଁ ପୁରା ପିଓର ହେ । କେବଳ ଏତିକି ନୁହେଁ ମୋଦି ପୁଣି ଥରେ ପ୍ରଧାନମନ୍ତ୍ରୀ ବନିବା ସିଓର ହେ । ଦେଶର ସବୁ ସମସ୍ୟାକୁ ସେ କ୍ୟୁଓର କରିବେ ଏଥିରେ କୌଣସି ସନ୍ଦେହ ନାହିଁ ବୋଲି ରାଜନାଥ କହିଛନ୍ତି ।
ଏହି ସମାବେଶରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ସଭାପତି ବସନ୍ତ ପଣ୍ଡା, ବରିଷ୍ଠ ନେତା ପ୍ରତାପ ଷଡଙ୍ଗୀ ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ । ଅପାର ସମ୍ଭାବନା ଥିବା ସତ୍ୱେ ବିକାଶର ବହୁତ ପଛରେ ରହିଛି ଓଡିଶା । ରାଜ୍ୟସରକାରଙ୍କ ସ୍ଥାଣୁତା ଏବଂ ଅପାରଗତା ଯୋଗୁଁ ମୋଦି ସରକାରଙ୍କ ଯୋଜନା ତୃଣମୂଳସ୍ତରରେ ପହଂଚି ପାରୁନି । ଆଗାମି ଦିନରେ ବିଜେପି ସରକାର ଆସିଲେ ରାଜ୍ୟରେ ବିକାଶ ହେବା ସହ ରାଜ୍ୟରଯୁବକ ଯୁବତୀମାନଙ୍କ ପାଇଁ ନୂଆ ରୋଜଗାର ସୃଷ୍ଟି ହେବ ବୋଲି ବିଜେପି ନେତୃବୃନ୍ଦ କହିଛନ୍ତି ।


ଭଦ୍ରକ, ମୟୁରଭଂଜ, ବାଲେଶ୍ୱର, କେନ୍ଦୁଝର ଜିଲ୍ଲାର ସମସ୍ତ ବୁଥ ସ୍ତରୀୟ କାର୍ଯ୍ୟକର୍ତାମାନେ ଏହି ସମ୍ମିଳନୀରେ ଯୋଗଦେଇଥିଲେ । ଏହି ସଭାରେ ରାଜ୍ୟ ସଭାପତି ବସନ୍ତ ପଣ୍ଡା, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପୂର୍ବତନ ମନ୍ତ୍ରୀ ମନମୋହନ ସାମଲ, ବରିଷ୍ଠ ନେତା ପ୍ରତାପ ଷଡଙ୍ଗୀ, ବିଧାୟକ ଗୋବିନ୍ଦ ଦାସ, ପୂର୍ବତନ ମନ୍ତ୍ରୀ ପଦ୍ମଲୋଚନ ପଣ୍ଡା, ରାଜ୍ୟ ଉପସଭାପତି ବିଷ୍ଣୁ ସେଠୀ, ରାଜକିଶୋର ଦାସ, ସୁକେଶୀ ଓରାମ, ରାଜ୍ୟ ସାଧାରଣ ସଂପାଦକ (ସଙ୍ଗଠନ) ମାନସ ମହାନ୍ତି, ଅନନ୍ତ ନାୟକ, ରାଜ୍ୟ ସଂପାଦିକା ଡ. ଲେଖାଶ୍ରୀ ସାମନ୍ତ ସିଂହାର, ଶୋଭନା ମହାନ୍ତି, ଭଦ୍ରକ ଜିଲ୍ଲା ସଭାପତି ବଦ୍ରି ଧଳ, ବାଲେଶ୍ୱର ଜିଲ୍ଲା ସଭାପତି ମଦନ ମୋହନ ଦତ, କେନ୍ଦୁଝର ଜିଲ୍ଲା ସଭାପତି ମହନ୍ତ ରାଧାକାନ୍ତ ମହନ୍ତଙ୍କ ସମେତ ଭଦ୍ରକ, ମୟୁରଭଂଜ, ବାଲେଶ୍ୱର କେନ୍ଦୁଝର ଜିଲ୍ଲାର ସମସ୍ତ ପଦାଧିକାରୀ ଏବଂ ବରିଷ୍ଠ ନେତୃତ୍ୱମାନେ ଯୋଗଦେଇଥିଲେ ।

(ବିଜେପି ମିଡିଆ ସେଲ୍)

ଏହାପୂର୍ବରୁ ଭଦ୍ରକରେ ପହଂଚି ପ୍ରଥମେ ମା’ ଭଦ୍ରକାଳୀଙ୍କୁ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରି ପ୍ରତ୍ୟାବର୍ତନ କରିଥିଲେ । ତାଙ୍କସହ କେନ୍ଦ୍ରମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ ମଧ୍ୟ ଉପସ୍ଥିତ ଥିଲେ । ପୂର୍ବରୁ ବାସୁଦେବପୁରର ରକ୍ତତୀର୍ଥ ଇରମଠାରେ ପହଂଚି ରାଜନାଥ ସିଂହ ଓ ଧମେନ୍ଦ୍ର ପ୍ରଧାନ ସହିଦ୍ଙ୍କ ସମାଧି ପୀଠରେ ମାଲ୍ୟାର୍ପଣ କରିଥିଲେ ।