ଟ୍ରାକ୍‌ରେ ଦୁଇଭାଗ ହୋଇଗଲା ରାଜଧାନୀ ଏକ୍ସପ୍ରେସ୍: ବଡ ଦୁର୍ଘଟଣାରୁ ବର୍ତିଲେ ଯାତ୍ରୀ

ରାଞ୍ଚି: ରାଜଧାନୀ ଏକ୍ସପ୍ରେସ ଏକ ବଡ଼ ଦୁର୍ଘଟଣାରୁ ବର୍ତ୍ତି ଯାଇଛି। ଟ୍ରାକ୍‌ରେ ଯାଉଥିବାବେଳେ ଅଧବାଟରେ ଟ୍ରେନ ଦୁଇଭାଗ ହୋଇଯିବା ସହ କିଛି ବଗି ଇଞ୍ଜିନରୁ ଅଲଗା ହୋଇଯାଇଥିଲା। ବୁଧବାର ରାତିରେ ରାଜଧାନୀ ଏକ୍ସପ୍ରେସଟି ଝାଡ଼ଖଣ୍ଡରେ ରାଞ୍ଚିର ହଟିୟା ୟାର୍ଡରୁ ରାଞ୍ଚି ଷ୍ଟେଶନକୁ ଯାଉଥିବାବେଳେ ଏହି ଘଟଣା ଘଟିଥିଲା।

ରାଞ୍ଚିର ବିର୍ସା ଛକ ବ୍ରିଜ ତଳେ ରାଜଧାନୀ ଏକ୍ସପ୍ରେସ ଯିବା ବେଳେ ପ୍ରଚଣ୍ଡ ଶବ୍ଦ ହୋଇଥିଲା। କପ୍‌ଲିଂ ଭାଙ୍ଗିଯିବାରୁ ଏଭଳି ଶବ୍ଦ ହୋଇଥିବା ଟ୍ରେନରେ ଥିବା କର୍ମଚାରୀମାନେ ଜାଣିବାକୁ ପାଇଥିଲେ। ସେତେବେଳକୁ ଟ୍ରେନ ଦୁଇଭାଗ ହୋଇଯିବା ସହ କିଛିବାଟ ଆଗକୁ ଗଡ଼ି ଯାଇଥିଲା। ପରେ ଟ୍ରେନକୁ ଅଟକାଯାଇଥିଲା।

ରେଲୱେ ଅଧିକାରୀଙ୍କ କହିବା ଅନୁସାରେ, ଟ୍ରେନର କପ୍‌ଲିଂ ଭାଙ୍ଗିଯିବାରୁ ଏହି ଦୁର୍ଘଟଣା ଘଟିଛି। କିଛି ବଗିକୁ ଟ୍ରେନ ଛାଡ଼ି ପଳାଇବା ସମ୍ପର୍କରେ ଖବର ମିଳିବା ପରେ ଏକ୍ସପ୍ରେସକୁ ଅଟକାଯାଇଥିଲା। ପରେ ଅଧିକାରୀମାନେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ। ଏକ୍ସପ୍ରେସକୁ ପଛୁଆ ଆଣି ରହିଯାଇଥିବା ବଗି ସହ ଯୋଡ଼ାଯିବା ପରେ ପୁଣି ଟ୍ରେନ ଗଡ଼ିଥିଲା। ଏହି ଘଟଣା ପାଇଁ ରାଞ୍ଚିରୁ ନୂଆଦିଲ୍ଲୀ ଯିବାକୁ ଥିବା ଟ୍ରେନଗୁଡ଼ିକ ବିଳମ୍ବିତ ହୋଇଥିଲା।