ରାଜ୍ୟସଭାରେ ସ୍ବର ଉଠାଇଲେ ସାଂସଦ ଏନ୍. ଭାସ୍କର ରାଓ : ରାୟଗଡ଼ାରେ ମେଡ଼ିକାଲ୍ କଲେଜ ପ୍ରତିଷ୍ଠା ପାଇଁ କଲେ ଦାବି

ରାୟଗଡ଼ା: ଆଦିବାସୀ ଅଧ୍ୟୁଷିତ ଓ ମାଓ ପ୍ରଭାବିତ ରାୟଗଡ଼ା ଜିଲ୍ଲାରେ ସରକାରୀ ମେଡ଼ିକାଲ୍ କଲେଜ ପ୍ରତିଷ୍ଠା ପାଇଁ ରାଜ୍ୟସଭାରେ ସ୍ବର ଉଠାଇଛନ୍ତି ସାଂସଦ ଏନ୍. ଭାସ୍କର ରାଓ। କେନ୍ଦ୍ର ସରକାରଙ୍କ ଆକାଂକ୍ଷା ଜିଲ୍ଲା ତାଲିକାରେ ରାୟଗଡ଼ା ସାମିଲ୍ ହୋଇଥିବାରୁ ଅନ୍ୟ ରାଜ୍ୟ ଭଳି ରାୟଗଡ଼ାର ସ୍ବାସ୍ଥ୍ୟସେବାରେ ସୁଧାର ଆଣିବା ପାଇଁ କେନ୍ଦ୍ର ସରକାର ମେଡ଼ିକାଲ୍ କଲେଜ ପ୍ରତିଷ୍ଠାର ଆବଶ୍ୟକତା ରହିଛି ବୋଲି ସାଂସଦ ଶ୍ରୀ ରାଓ ଦାବି କରିଛନ୍ତି।

ପ୍ରଶ୍ନକାଳରେ ସାଂସଦ ନିଜ ମତ ରଖି କହିଛନ୍ତି, ରାୟଗଡ଼ାରେ ମେଡ଼ିକାଲ୍ କଲେଜ ପ୍ରତିଷ୍ଠା ପାଇଁ ବହୁ ଦିନରୁ ଦାବି ହୋଇ ଆସୁଛି। କିନ୍ତୁ କେନ୍ଦ୍ର ସରକାର ବିଭିନ୍ନ ଆଳ ଦେଖାଇ ରାଜ୍ୟ ସରକାରଙ୍କ ଉପରେ ଦାୟିତ୍ବ ନ୍ୟସ୍ତ କରି ଖସି ଯାଉଛନ୍ତି। ଅନ୍ୟ ରାଜ୍ୟ ଗୁଡ଼ିକର ଦାବିକୁ କେନ୍ଦ୍ର ସରକାର ଯେପରି ଗୁରୁତ୍ବ ଦେଇ ମେଡ଼ିକାଲ୍ କଲେଜ ପ୍ରତିଷ୍ଠା ପାଇଁ ପଦକ୍ଷେପ ନେଇଛନ୍ତି ରାୟଗଡ଼ା ପ୍ରତି ମଧ୍ୟ ସେମିତି ପଦକ୍ଷେପ ନେବାର ଆବଶ୍ୟକତା ରହିଛି। ଆଦିବାସୀ ଅଧ୍ୟୁଷିତ ଏହି ଜିଲ୍ଲାରେ ୭୦ ପ୍ରତିଶତ ଅନୁସୂଚିତ ଜାତି ଓ ଜନଜାତି ଶ୍ରେଣୀର ଅଧିବାସୀ ବାସ କରୁଥିବାରୁ ଉଚ୍ଚ ସ୍ବାସ୍ଥ୍ୟସେବା ଲାଗି ମେଡ଼ିକାଲ୍ କଲେଜର ଆବଶ୍ୟକତା ଯଥେଷ୍ଟ ରହିଛି। ଏଥି ସହିତ ନିକଟରେ ରାୟଗଡ଼ାରେ ନୂତନ ରେଳ ଡିଭିଜନ୍ ପ୍ରତିଷ୍ଠା କରିବା ଲାଗି କେନ୍ଦ୍ର ସରକାର ଘୋଷଣା କରିଛନ୍ତି। ଭାରତର ପ୍ରମୁଖ ମେଟ୍ରୋ ସିଟି ସହ ରେଳପଥରେ ରାୟଗଡ଼ା ଯୋଡ଼ି ହୋଇଥିବା ବେଳେ ଆଦିତ୍ୟ ବିର୍ଲା ଗ୍ରୁପର ଉତ୍କଳ ଆଲୁମିନା, ଜେକେ କାଗଜକଳ, ଇମ୍ଫା, ବେଦାନ୍ତ, ଏଲ୍ ଆଣ୍ଡ ଟି କନଷ୍ଟ୍ରକସନ୍ ୟୁନିଟ୍ ଭଳି ବହୁ ରାଷ୍ଟ୍ରୀୟ କଂପାନିର ଖଣି ଓ କାରଖାନା ରାୟଗଡ଼ାରେ ରହିଛି। ଜିଲ୍ଲାରେ ୫ଟି ନର୍ସିଂ କଲେଜ, ୪ଟି ଇଞ୍ଜିନିୟରିଂ ‌କଲେଜ, ଫାର୍ମାସି କଲେଜ, କୃଷି ମହାବିଦ୍ୟାଳୟ, ୫ଟି ଡିପ୍ଲୋମା ଇଞ୍ଜିନିୟରିଂ କଲେଜ, ରାୟଗଡ଼ା ସ୍ବଂୟ ଶାସିତ ମହାବିଦ୍ୟାଳୟ ସମେତ ଅନେକ ଡିଗ୍ରୀ କଲେଜ ଓ ବେସରକାରୀ ବିଶ୍ବବିଦ୍ୟାଳୟ ରହିଛି। ସ୍ବାସ୍ଥ୍ୟସେବାରେ ସୁଧାର ଆଣିବା ପାଇଁ କେନ୍ଦ୍ର ସରକାର ମେଡ଼ିକାଲ୍ କଲେଜ ପ୍ରତିଷ୍ଠାର ଆବଶ୍ୟକତା ରହିଛି ବୋଲି ସାଂସଦ ଶ୍ରୀ ରାଓ ଦାବି କରିଛନ୍ତି।

ସୂଚନାଯୋଗ୍ୟ, ଭାଏବିଲିଟି ଗ୍ୟାପ ଫଣ୍ଡିଙ୍ଗ ମାଧ୍ୟମରେ ରାୟଗଡ଼ାରେ ସରକାରୀ ମେଡିକାଲ କଲେଜ ପ୍ରତିଷ୍ଠା କରିବାକୁ ୨୦୧୪ ମସିହାରେ କେନ୍ଦ୍ର ସରକାର ସମ୍ମତି ପ୍ରକାଶ କରିଥିଲେ। ୩୨୭.୪୦ କୋଟି ଟଙ୍କା ଏଥି ପାଇଁ ବ୍ୟୟ ବରାଦ ହୋଇଥିଲା। କିନ୍ତୁ  ଆଜି ପର୍ଯ୍ୟନ୍ତ ତାହା କାର୍ଯ୍ୟକାରୀ ହୋଇପାରିନି।

rajaya sabha mp n bhaskar rao rise voice for medical collage in rayagada