ପ୍ରକାଶ ପାଇଲା NEET ପରୀକ୍ଷା ଫଳ, ରାଜସ୍ଥାନର ନଳିନୀ ଟପ୍ପର

ନୂଆଦିଲ୍ଲୀ: ସର୍ବଭାରତୀୟ ସ୍ତରରେ ମେଡ଼ିକାଲ କଲେଜରେ ନାମ ଲେଖାଇବା ପାଇଁ ହୋଇଥିବା ନ୍ୟାସନାଲ୍‌ ଏଲିଜିବିଲିଟି କମ୍‌ ଏଣ୍ଟ୍ରାନ୍ସ ଟେଷ୍ଟ୍‌-୨୦୧୯(ନିଟ୍‌) ପରୀକ୍ଷା ଫଳ ପ୍ରକାଶ ପାଇଛି । ଚଳିତ ବର୍ଷ ପୁଅମାନେ ବାଜି ମାରି ନେଇଛନ୍ତି । ପ୍ରଥମ ୩ ଜଣଙ୍କ ମଧ୍ୟରେ ଛାତ୍ରମାନେ ରହିଛନ୍ତି । ରାଜସ୍ଥାନର ଛାତ୍ର ନଳିନୀ ଖଣ୍ଡେଲୱାଲ ସର୍ବଭାରତୀୟ ସ୍ତରରେ ପ୍ରଥମ ସ୍ଥାନରେ ରହିଛନ୍ତି ।

ଟପ୍ପର ହୋଇଥିବା ନଳିନୀ ଖଣ୍ଡେଲୱାଲ ମୋଟ ୭୨୦ ନମ୍ବରରୁ ସର୍ବାଧିକ ୭୦୧ ନମ୍ବର ରଖି ସର୍ବ ଶ୍ରେଷ୍ଠ ସ୍ଥାନ ଅଧିକାର କରିଛନ୍ତି । ସେହିପରି ଦିଲ୍ଲୀର ଭାବିକ ବଂଶଲ ଦ୍ୱିତୀୟ ସ୍ଥାନରେ ଥିବା ବେଳେ ୟୁପିର ଅକ୍ଷତ କୌଶିକ ତୃତୀୟ ସ୍ଥାନରେ ଅଛନ୍ତି । ଅନ୍ୟପକ୍ଷରେ ତେଲେଙ୍ଗାନାର ମାଧୁରୀ ରେଡ୍ଡୀ ଝିଅଙ୍କ ମଧ୍ୟରେ ଶ୍ରେଷ୍ଠରେ ଅଛନ୍ତି । ପ୍ରଥମ ୧୦୦ ଜଣଙ୍କ ମଧ୍ୟରେ ୨୦ ଜଣ ଛାତ୍ରୀ ରହିଥିବା ସୂଚନା ମିଳିଛି ।

ଛାତ୍ରଛାତ୍ରୀମାନେ ଏନ୍‌ଟିଏ ଦ୍ୱାରା ଦିଆଯାଇଥିବା ୱେବ୍‌ସାଇଟ୍‌ ntaneet.nic.in କିମ୍ବା ମେଡିକାଲ କାଉନସିଲିଂ କମିଟି ଦ୍ୱାରା ଉପଲବ୍ଧ mcc.nic.inରେ ନିଜର ଫଳାଫଳ ଦେଖି ପାରିବେ । ଚଳିତ ବର୍ଷ ୪ ଲକ୍ଷ ୧୦ ହଜାର ୭୫୫ ଜଣ ପରୀକ୍ଷାର୍ଥୀ ନିଟ୍‌ ପରୀକ୍ଷା ଦେଇଥିଲେ ।