ପାଇଲଟ ଓ ତାଙ୍କ ଟିମ୍‌କୁ ୨୪ ଯାଏଁ ଆଶ୍ୱସ୍ତି

ଜୟପୁର: ଥମୁନି ରାଜସ୍ଥାନ ରାଜନୀତି ସଂକଟ । ଏହାରି ଭିତରେ କଂଗ୍ରେସର ବିଦ୍ରୋହୀ ନେତା ସଚିନ ପାଇଲଟ ଓ ତାଙ୍କ ଟିମ୍‌ଙ୍କୁ ମିଳିଛି ସାମୟିକ ଆଶ୍ୱସ୍ତି । ରାଜସ୍ଥାନ ହାଇକୋର୍ଟ ମଙ୍ଗଳବାର ଦିନ ବାଚସ୍ପତିଙ୍କ ନୋଟିସ ବିରୋଧରେ କରାଯାଇଥିବା ଆବେଦନର ଶୁଣାଣି କରିଛନ୍ତି ।

ସଚିନ ପାଇଲଟ ଓ ଅନ୍ୟ ୧୮ ବିଧାୟକଙ୍କୁ ଆଂଶିକ ଆଶ୍ୱସ୍ତି ପ୍ରଦାନ କରିଛନ୍ତି ହାଇକୋର୍ଟ । ବିଧାନସଭା ବାଚସ୍ପତି ସିପି ଜୋଷୀଙ୍କ ପକ୍ଷରୁ ଜାରି ନୋଟିସ ମାମଲାର ବିଚାର କରି କୋର୍ଟ ଆସନ୍ତା ୨୪ ତାରିଖ ପର୍ଯ୍ୟନ୍ତ ବାଚସ୍ପତି କୌଣସି ନିଷ୍ପତ୍ତି ନେଇପାରିବେ ନାହିଁ ବୋଲି କହିଛନ୍ତି ।

ଜଷ୍ଟିସ ଇନ୍ଦ୍ରଜିତ ମହାନ୍ତି ଓ ପ୍ରକାଶ ଗୁପ୍ତାଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ରାୟ ଆସନ୍ତା ଜୁଲାଇ ୨୪ ଶୁଣାଇବାକୁ ଧାର୍ଯ୍ୟ କରିଛନ୍ତି । ଏହି ସମୟ ମଧ୍ୟରେ ବିଦ୍ରୋହୀ ବିଧାୟକମାନଙ୍କ ସଦସ୍ୟତା ରଦ୍ଦ ପ୍ରସଙ୍ଗରେ କୌଣସି ନିଷ୍ପତ୍ତି ନ ନେବାକୁ କୋର୍ଟ ବାଚସ୍ପତିଙ୍କୁ କହିଛନ୍ତି । ସଚିନ ପାଇଲଟଙ୍କୁ ଗତ ସପ୍ତାହରେ କଂଗ୍ରେସ ହାଇକମାଣ୍ଡ ଉପମୁଖ୍ୟମନ୍ତ୍ରୀ ଓ ପିସିସି ସଭାପତି ପଦରୁ ହଟାଇଦେଇଥିଲେ ।