୭ଯାଏଁ ବର୍ଷା ; ୮ରୁ ତାତି

ଭୁବନେଶ୍ୱର: ଆସନ୍ତାକାଲି ଠାରୁ ରାଜ୍ୟର କିଛି ସ୍ଥାନରେ ପାଗର ପରିବର୍ତନ ଦେଖାଦେଇ ସ୍ୱଳ୍ପ ଧରଣର ବର୍ଷା ହେବା ନେଇ ଭୁବନେଶ୍ୱର ଆଂଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି । ଯାହା ୭ ଯାଏଁ ରହିବ । ମାତ୍ର ୮ରୁ ରାଜ୍ୟରେ ତାତି ବଢ଼ିବା ନେଇ ଅନୁମାନ କରାଯାଉଛି ।

ଆଜି ବିଭିନ୍ନ ସ୍ଥାନରେ ପାଗ କୋହଲା ରହିବା ବେଳେ ୪ ରୁ ବର୍ଷାର ପରିମାଣ ବଢିବ । ଆସନ୍ତା ୨୪ ଘଂଟା ରେ ବର୍ଷା ନେଇ ୭ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।  ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଜଗତସିଂହପୁର,  କେନ୍ଦ୍ରାପଡ଼ା , ନୂଆପଡ଼ା ଓ ବରଗଡ଼ରେ ବର୍ଷା ହେବ । ଏହି ସବୁ ସ୍ଥାନରେ ଘଡ଼ଘଡ଼ି ବର୍ଷା ସହ ଘଂଟା ପ୍ରତି ୩୦ରୁ ୪୦ କିମି ବେଗରେ ପବନ ବହିବ । ତେବେ ୭ ତାରିଖ ପର୍ଯ୍ୟନ୍ତ ବର୍ଷା ହେବ । ଉତର ଓ ଦକ୍ଷିଣ ଓଡିଶାର କିଛି ସ୍ଥାନରେ କାଳବୈଶାଖୀ ସମ୍ଭାବନା ରହିଛି । ଏହି ୩ଦିନ ମୟୂରଭଞ୍ଜ, ବାଲେଶ୍ବର, ସୁନ୍ଦରଗଡ, ଭଦ୍ରକ, ଜଗତସିଂହପୁର, କଟକ, ଖୋର୍ଦ୍ଧା, ନୟାଗଡ, କନ୍ଧମାଳ, ଗଞ୍ଜାମ, ଗଜପତି ଓ ରାୟଗଡା ଜିଲ୍ଲାରେ ଘଡଘଡି ସହ ବର୍ଷା ସମ୍ଭାବନା ରହିଛି। ୭ ତାରିଖ ପରଠୁ ପାଗରେ ପରିବର୍ତନ ଆସିବା ସହ ଖରା ବଢିବ ବୋଲି ପାଣିପାଗ କେନ୍ଦ୍ର ସୂଚନା ଦେଇଛି ।