୯ଯାଏଁ ଲାଗି ରହିବ ବର୍ଷା

ଭୁବନେଶ୍ୱର: ପାଗରେ ଦେଖାଦେଇଛି ପରିବର୍ତନ । ୯ଯାଏଁ ପାଗ କୋହଲା ରହିବା ସହ ବର୍ଷା ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ପାଣିପାଗ ବିଭାଗ ଅନୁଯାୟୀ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ ୧୦ରୁ ଅଧିକ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।  ଏହି  ଜିଲ୍ଲାଗୁଡ଼ିକ  ହେଉଛନ୍ତି କଳାହାଣ୍ଡି, କନ୍ଧମାଳ, ମୟୂରଭଞ୍ଜ, ଢେଙ୍କାନାଳ, କେନ୍ଦୁଝର, ନବରଙ୍ଗପୁର, ସୁନ୍ଦରଗଡ଼ ଓ ଝାରସୁଗୁଡ଼ା।

ଅନ୍ୟପଟେ ଗତ ୨୪ ଘଂଟା ରେ ତାଳଚେରରେ ସର୍ବାଧିକ ୧୩ କିମି ବର୍ଷା ରେକର୍ଡ଼ କରାଯାଇଛି । ଗତକାଲି ଠାରୁ ରାଜ୍ୟରେ ବର୍ଷା ଜାରି ରହିଛି । ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ଆଉ ୨୪ଘଣ୍ଟା ମଧ୍ୟମ ଧରଣର ବର୍ଷା ହେବା ସମ୍ଭାବନା ରହିଛି । ବାଲେଶ୍ୱର, ଜଗତସିଂହପୁର, କେନ୍ଦ୍ରାପଡ଼ା, ପୁରୀ ଓ ଖୋର୍ଦ୍ଧା, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର ଓ ନୟାଗଡ଼ ଜିଲ୍ଲାରେ ବର୍ଷା ହେବ । ୮ କିମ୍ବା ୯ ତାରିଖରୁ ୨ ରୁ ୩ ଡିଗ୍ରୀ ତାପମାତ୍ରା କମିବା ସମ୍ଭାବନା ରହିଛି । ଆଗକୁ ଶୀତର ପ୍ରକୋପ ବଢିବା ସମ୍ଭାବନା ରହିଛି । ଏନେଇ ଭୁବନେଶ୍ୱରସ୍ଥିତ ଆଂଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।