ଆସନ୍ତାକାଲିଠୁ କିଛି ରାଜ୍ୟର କିଛି ସ୍ଥାନରେ ସ୍ୱଳ୍ପ ବର୍ଷା ହେବା ଆଶଙ୍କା

ଭୁବନେଶ୍ୱର: ଆଜି ରାଜ୍ୟରେ ଶୀତର ପ୍ରଭାବ ଦେଖିବାକୁ ମିଳିଥିବାବେଳେ ଆସନ୍ତାକାଲିଠାରୁ ରାଜ୍ୟର କିଛି ସ୍ଥାନରେ ସ୍ୱଳ୍ପ ବର୍ଷା ହେବାର ଆଶଙ୍କା ରହିଛି । ତେବେ ଏହା ୮ ତାରିଖ ଅର୍ଥାତ୍ ଆସନ୍ତାକାଲି ଠାରୁ ଆରମ୍ଭ ହୋଇ ୧୧ ପର୍ଯ୍ୟନ୍ତ ଲାଗି ରହିବ ବୋଲି ଆଂଚିଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି ।

୮ ତାରିଖ ପୂର୍ବାହ୍ନରୁ ୯ ତାରିଖ ପର୍ଯ୍ୟନ୍ତ ନୂଆପଡ଼ା, ବରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ସୁନ୍ଦରଗଡ଼, ଦେବଗଡ଼, ଅନୁଗୁଳ ଓ କେନ୍ଦୁଝର ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ହାଲୁକା ବର୍ଷା ହୋଇପାରେ। ୧୦ ଓ ୧୧ ତାରିଖରେ ଉତ୍ତର ଓଡ଼ିଶା ସମେତ ସୋନପୁର, ବୌଦ୍ଧ, କନ୍ଧମାଳ, ନୟାଗଡ଼, ଖୋର୍ଦ୍ଧା , କୋରାପୁଟ, ଗଜପତି, ଗଞ୍ଜାମ, ବାଲେଶ୍ବର, ପୁରୀ, ମୟୂରଭଞ୍ଜ, କେନ୍ଦୁଝର ଓ ରାୟଗଡ଼ା ଜିଲ୍ଲାର କେତେକ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ୧୧ ତାରିଖ ଭୋର ସମୟରେ ଉତର ଆଭ୍ୟନ୍ତରୀଣ ଓଡ଼ିଶାରେ ଘନ କୁହୁଡ଼ି ହେବ।

ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକଙ୍କ ପୂର୍ବାନୁମାନ ହେଉଛି ଯେ ଗୋପାଳପୁରଠାରୁ ଝାରସୁଗୁଡ଼ାକୁ ସଂଯୋଗ କରୁଥିବା ସରଳରେଖାର ଉତରରରେ ଉତ୍ତରା ଥଣ୍ଡା ପବନ ବହୁଛି। ତେବେ ଆଜି ରାତିରେ ସର୍ବନିମ୍ନ ତାପମାତ୍ରା ଦେଢ଼ରୁ ଦୁଇ ଡିଗ୍ରି କମିବା ହେତୁ ଉକ୍ତ ଅଂଚଳରେ ଥଣ୍ଡା ବଢ଼ିବ। ଉପରୋକ୍ତ ସରଳରେଖାର ଦକ୍ଷିଣରେ ଥିବା ସମସ୍ତ ଜିଲ୍ଲାଗୁଡ଼ିକରେ ଆଜିଠାରୁ ସର୍ବନିମ୍ନ ତାପମାତ୍ରା ଏକ ଡିଗ୍ରିରୁ ଅଧିକ ବଢ଼ିବ ଏବଂ ଥଣ୍ଡା ସାମାନ୍ୟ କମିବ। ତେବେ ୭ ତାରିଖ ସନ୍ଧ୍ୟା ପରଠାରୁ ରାଜ୍ୟକୁ ଉତ୍ତରା ପବନ ବହିବ ନାହିଁ। ଆନ୍ଧ୍ରପ୍ରଦେଶରେ ଏକ ଗୁରୁଚାପ ବଳୟ ସୃଷ୍ଟି ହେବ। ଫଳରେ କିଛି ବଙ୍ଗୋପସାଗରୀୟ ପବନ ଓ ମୁଖ୍ୟତଃ ଆରବସାଗରୀୟ ପବନ ଆନ୍ଧ୍ରପ୍ରଦେଶ ଦେଇ ଦକ୍ଷିଣରୁ ଓଡ଼ିଶାକୁ ପ୍ରବାହିତ ହେବ। ତେଣୁ ସମସ୍ତ ଜିଲ୍ଲାରେ ସର୍ବନିମ୍ନ ତାପମାତ୍ରା ବଢ଼ିବ ଓ ଥଣ୍ଡା କମିବ। ୮ ତାରିଖ ପର୍ଯ୍ୟନ୍ତ ଥଣ୍ଡା କ୍ରମଶଃ କମିବ। ଗତ ୨୪ ଘଂଟା ରେ ଦାରିଙ୍ଗବାଡ଼ିରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୭ ଡିଗ୍ରି ରହିଥିଲା। ସୋନପୁରରେ ୭.୫, ଅନୁଗୁଳରେ ୯, ସମ୍ବଲପୁରରେ ୯.୫ ଡିଗ୍ରି ଥିଲା। ଅନ୍ୟ ସହରରେ ସର୍ବନିମ୍ନ ପାରଦ ୧୦ ଡିଗ୍ରି ଉପରେ ରହିଥିଲା।