ଦୁଇ ଦିନ ଧରି ରାଜ୍ୟର ବିଭିନ୍ନ ଜିଲ୍ଲାରେ ଝଡ଼ବର୍ଷା ସହ କୁଆପଥର ମାଡ଼ ହେବାର ସମ୍ଭାବନା

ଭୁବନେଶ୍ୱର: ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ଦୁଇଦିନ ଧରି ଝଡ଼ବର୍ଷା ସହିତ କୁଆପଥର ମାଡର ସମ୍ଭାବନା ରହିଛି ବୋଲି ମଙ୍ଗଳବାର ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଜଣାପଡିଛି । ଉତ୍ତର ଓ ଦକ୍ଷିଣ ଓଡ଼ିଶା ସମେତ ନୟାଗଡ଼, ଖୋର୍ଦ୍ଧା, ପୁରୀ, ମୟୁରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, ଯାଜପୁର, ଅନୁଗୁଳ,ଢ଼େଙ୍କାନାଳ ଓ କଟକ ଆଦି ଜିଲ୍ଲାରେ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଝଡବର୍ଷା ଆଶଙ୍କା ରହିଛି । ଏହି ସମୟରେ ସମୁଦ୍ର ଅଶାନ୍ତ ରହିବ । ତେଣୁ ସମୁଦ୍ର ଭିତରକୁ ଯିବା ପାଇଁ ମତ୍ସ୍ୟଜୀବୀଙ୍କୁ ପାଣିପାଗ ପକ୍ଷରୁ ବାରଣ କରାଯାଇଛି । ଆସନ୍ତା ୨୭ ତାରିଖରେ କେନ୍ଦୁଝର, ମୟୁରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଅନୁଗୁଳ, ଢ଼େଙ୍କାନାଳ, କଳାହାଣ୍ଡି, କନ୍ଧମାଳ, ରାୟଗଡ଼ା ଓ ଖୋର୍ଦ୍ଧା ଆଦି ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବର୍ଷା ସହିତ ଘଡ଼ଘଡ଼ି ବିଜୁଳି ମାରିବା ଆଶଙ୍କା ରହିଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ପ୍ରକାଶ । ସେହିପରି ୨୮ ତାରିଖରେ ଉପକୂଳ ଓଡ଼ିଶାରେ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବର୍ଷା ଆଶଙ୍କା ଥିବା ବେଳେ ଅନ୍ୟସ୍ଥାନ ଗୁଡ଼ିକ ମୁଖ୍ୟତଃ ଶୁଖିଲା ରହିବ ।