ମୁମ୍ବାଇଠାରୁ ପୁଣେ , ନାସିକ ଓ ଭଦୋଦରା ମଧ୍ୟରେ ଯାତାୟତ କରିବ ଆଉ ଏକ ହାଇସ୍ପିଡ ଟ୍ରେନ

ନୂଆଦିଲ୍ଲୀ: ନୂଆଦିଲ୍ଲୀରୁ ବାରାଣସୀ ମଧ୍ୟରେ ବନ୍ଦେ ଭାରତ ଏକ୍ସପ୍ରେସ ସଫଳତାର ସହିତ ଯାତ୍ରା ଆରମ୍ଭ କରିଥିବା ବେଳେ କେନ୍ଦ୍ର ସରକାର ସେହି ଧରଣର ଆଉ ଏକ ହାଇସ୍ପିଡ ଟ୍ରେନ ଚଳାଚଳ ଲାଗି ଯୋଜନା କରୁଛନ୍ତି। ଏହି ଟ୍ରେନ୍ ମୁମ୍ବାଇଠାରୁ ପୁଣେ ଏବଂ ନାସିକ ଓ ଭଦୋଦରା ମଧ୍ୟରେ ଯାତାୟତ କରିବ ବୋଲି ଜଣାଯାଇଛି । ବନ୍ଦେ ଭାରତ ଏକ୍ସପ୍ରେସରେ ନୂଆଦିଲ୍ଲୀରୁ ବାରାଣସୀ ମଧ୍ୟରେ ଯାତ୍ରା ସମୟ ୪୦ ପ୍ରତିଶତ ହ୍ରାସ ପାଇଛି ।
ରେଳବାଇର ଏହି ଯୋଜନା ସଂପର୍କରେ ରେଳବାଇ ବୋର୍ଡର ସଦସ୍ୟ ରାଜେଶ ଅଗ୍ରୱାଲ କହିଛନ୍ତି ଯେ, ଏହି ଟ୍ରେନ ମୁମ୍ବାଇ ଠାରୁ ପୁଣେ, ମୁମ୍ବାଇଠାରୁ ନାସିକ ଏବଂ ମୁମ୍ବାଇ ଠାରୁ ଭଦୋଦରା ପରିଚାଳନା କରାଯାଇପାରିବ । ଆଗାମୀ ସପ୍ତାହ ଠାରୁ ପରୀକ୍ଷାମୂଳକ ଭାବେ ପରିଚାଳନା କରାଯିବ । ଏଥି ପାଇଁ ଏକ ଏସି ଇଏମୟୁ ରେକ ଏବଂ ଗୋଟିଏ ଅଣଏସି ମେମୁ ରେକ ମଧ୍ୟ ଏବଂ ପଶ୍ଚିମ ରେଳବାଇକୁ ଦିଆଯିବ ।
ସେ ଆହୁରି କହିଛନ୍ତି ଯେ, ଯଦି ପରୀକ୍ଷଣ ଅନୁସାରେ ଠିକଠାକ ଚାଲେ ଆମେ ମୁମ୍ବାଇଠାରୁ ପୁଣେ ଏବଂ ନାସିକ ମଧ୍ୟରେ ଯାତ୍ରା ସମୟ ହ୍ରାସ କରି ୨ ଘଣ୍ଟାରୁ କମ କରିପାରିବୁ । ସୂଚନାଯୋଗ୍ୟ କେନ୍ଦ୍ରରେ ମୋଦୀ ସରକାର ଦ୍ୱାରା ବାରାଣସୀଠାରୁ ନୂଆଦିଲ୍ଲୀ ମଧ୍ୟରେ ପରିଚାଳିତ ହେଉଥିବା ବନ୍ଦେ ଭାରତ ଏକ୍ସପ୍ରେସକୁ ଦେଶର ହାଇଟେକ ଟ୍ରେନମାନଙ୍କ ମଧ୍ୟରୁ ଏକ ବୋଲି କୁହାଯାଉଛି ।