ସେପ୍ଟେମ୍ବର ୧୨ରୁ ଗଡିବ ଆଉ ୮୦ ପାସେଞ୍ଜର ଟ୍ରେନ୍‌

ନୂଆଦିଲ୍ଲୀ: ସେପ୍ଟେମ୍ବର ୧୨ରୁ ଗଡିବ ଆଉ ନୂଆ ୮୦ଟି ସ୍ୱତନ୍ତ୍ର ଟ୍ରେନ୍ । ଏନେଇ ରେଳ ବିଭାଗ ଶନିବାର ନିଷ୍ପତ୍ତି ନେଇଛି । ସେପ୍ଟେମ୍ବର ୧୨ରେ ଏହି ୮୦ ସ୍ବତନ୍ତ୍ର ଟ୍ରେନ୍ ଗଡ଼ିବାକୁ ଥିବା ବେଳେ ଏଥିପାଇଁ ଯାତ୍ରୀ ୧୦ ତାରିଖରୁ ବୁକିଂ ଆରମ୍ଭ କରିପାରିବେ। କିନ୍ତୁ ପୂର୍ବରୁ ଚାଲୁଥିବା ୨୩୦ ଟ୍ରେନ୍ ମଧ୍ୟ ଚାଲିବ । ଯେଉଁଠାରେ ଯାତ୍ରୀଙ୍କ ଲମ୍ବା ୱେଟିଂ ଲିଷ୍ଟ ବା ତାଲିକା ଥିବ ସେହି ସ୍ଥାନରେ ଚାହିଦା ଅନୁଯାୟୀ କ୍ଲୋନ୍ ଟ୍ରେନ୍ ଚଳାଯିବ ବୋଲି କହିଛନ୍ତି ରେଲୱେ ବୋର୍ଡ ଚେୟାରମ୍ୟାନ୍ ବି.କେ ଯାଦବ ।

ତେବେ ଏହିସବୁ ଟ୍ରେନ୍‌​‌ରେ ଯାତ୍ରା କରିବାକୁ ହେଲେ କରୋନା ନିୟମ ପାଳନ କରିବାକୁ ହେବ। ଏଥିପାଇଁ ଯାତ୍ରୀ ୯୦ ମିନିଟ୍ ଆଗରୁ ଷ୍ଟେସନରେ ପହଞ୍ଚିବେ। ଷ୍ଟେସନ ପରିସରରେ ଫେସ୍‌ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ହୋଇଥିବା ବେଳେ ସାମାଜିକ ଦୂରତା ନିୟମ ପାଳନ କରିବା ଜରୁରୀ । ଯାତ୍ରୀଙ୍କ ଥର୍ମାଲ ସ୍କ୍ରିନିଂ ହେବା। ଯେଉଁମାନଙ୍କ ପାଖରେ କରୋନା ଳକ୍ଷଣ ନଥିବ ସେମାନଙ୍କୁ ଯାତ୍ରା ପାଇଁ ଅନୁମତି ମିଳିବ। ଏହାସହ ଯାତ୍ରୀମାନେ ନିଜ ଫୋନରେ ଆରୋଗ୍ୟ ସେତୁ ଆପ ଡାଉନଲୋଡ୍‌ କରିବା ବାଧ୍ୟତାମୂଳକ। କରୋନା ସଂକ୍ରମଣକୁ ନଜରରେ ରଖି ଏବେ ଯାତ୍ରୀଙ୍କୁ ତକିଆ, କମଳ ଆଦି ରେଳ ବିଭାଗ ଯୋଗାଇବ ନାହିଁ ।