ପ୍ରଧାନମନ୍ତ୍ରୀଙ୍କ ସମୀକ୍ଷା ଖୋର୍ଦ୍ଧା-ବଲାଙ୍ଗୀର ରେଳ ପ୍ରକଳ୍ପର ତ୍ୱରିତ କ୍ରିୟାନ୍ୱୟନରେ ସହାୟକ ହେବ: ଧର୍ମେନ୍ଦ୍ର ପ୍ରଧାନ

‘ପ୍ରଗତି’ର ପ୍ରଥମ ବୈଠକରେ ପ୍ରଧାନମନ୍ତ୍ରୀଙ୍କ ଖୋର୍ଦ୍ଧା-ବଲାଙ୍ଗିର ରେଳ ପ୍ରକଳ୍ପ ସମୀକ୍ଷା ପ୍ରସଙ୍ଗ

ନୂଆଦିଲ୍ଲୀ/ଭୁବନେଶ୍ୱର: ଚଳିତବର୍ଷ ‘ପ୍ରଗତି’ର ପ୍ରଥମ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଖୋର୍ଦ୍ଧା-ବଲାଙ୍ଗୀର ରେଳ ପ୍ରକଳ୍ପର ସମୀକ୍ଷା କରି ଏହି ପ୍ରକଳ୍ପକୁ ଗତିଶୀଳ କରିବା ପାଇଁ ପଦକ୍ଷେପ ନେଇଥିବାରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଏପ୍ରକାର ସମୀକ୍ଷା ବହୁ ପ୍ରତିକ୍ଷୀତ ଖୋର୍ଦ୍ଧା-ବଲାଙ୍ଗୀର ରେଳ ପ୍ରକଳ୍ପକୁ ନିଶ୍ଚିତରୂପେ ତ୍ୱରିତ କ୍ରିୟାନ୍ୱୟନର ରାସ୍ତାକୁ ନେବ ଏବଂ ପ୍ରକଳ୍ପ ଶୀଘ୍ର ସମୟରେ ପୂର୍ଣ୍ଣାଙ୍ଗ ହେବ ବୋଲି ଶ୍ରୀ ପ୍ରଧାନ ଆଶାପ୍ରକାଶ କରିଛନ୍ତି ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ୨୦୧୪ରେ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀର ଦାୟିତ୍ୱ ଗ୍ରହଣ କରିବା ପରେ ଦେଶରେ ପଡିଥିବା ବିଭିନ୍ନ ପ୍ରକଳ୍ପର ସମୀକ୍ଷା ପାଇଁ ‘ପ୍ରଗତି’ର ଶୁଭାରମ୍ଭ କରିଥିଲେ । ଏହା ମାଧ୍ୟମରେ ଦେଶରେ ଦୀର୍ଘ ସମୟ ଧରି ପଡି ରହିଥିବା ମହତ୍ୱପୂର୍ଣ୍ଣ ପ୍ରକଳ୍ପ ଗୁଡିକକୁ ଖୋଦ୍ ପ୍ରଧାନମନ୍ତ୍ରୀ ତଦାରଖ କରୁଛନ୍ତି । ବର୍ଷ ୨୦୨୦ ପ୍ରଥମ ପ୍ରଗତି ବୈଠକରେ ୨୮୯ କିମି ଖୋର୍ଦ୍ଧା-ବଲାଙ୍ଗୀର ରେଳ ଲାଇନର ସମୀକ୍ଷା କରି ପ୍ରଧାନମନ୍ତ୍ରୀ ତାଙ୍କର ଓଡିଶା ପ୍ରତି ଥିବା ପ୍ରାଥମିକତାକୁ ସୂଚାଇଛନ୍ତି । ଏହି ପ୍ରଗତିର ବୈଠକରେ ବହୁ ପ୍ରତିକ୍ଷୀତ ଏହି ପ୍ରକଳ୍ପକୁ ପୂର୍ଣ୍ଣାଙ୍ଗ କରିବା ପାଇଁ ପ୍ରଧାନମନ୍ତ୍ରୀ ରାଜ୍ୟ ସରକାରଙ୍କ ସହଯୋଗ ଅପେକ୍ଷା କରିଛନ୍ତି । ଉଭୟ ଭାରତ ସରକାର ଓ ରାଜ୍ୟ ସରକାର ମିଶି ଓଡିଶାର ସାମଗ୍ରିକ ବିକାଶ ପାଇଁ ଏହି ପ୍ରକଳ୍ପକୁ ପୂରା କରିବେ ଏହା ପ୍ରଧାନମନ୍ତ୍ରୀଙ୍କର ଅପେକ୍ଷା ରହିଛି । ଖୋର୍ଦ୍ଧା-ବଲାଙ୍ଗୀର ରେଳ ପ୍ରକଳ୍ପର ପରିକଳ୍ପନା ବହୁତ ପୁରୁଣା । କିନ୍ତୁ ଏହି ପ୍ରକଳ୍ପକୁ ପୂର୍ବରୁ ଦିଲ୍ଲୀ ସରକାରରେ ଦାୟିତ୍ୱରେ ଥିବା ସରକାର ଏବଂ ରାଜ୍ୟ ସରକାର ଯେତେମାତ୍ରାରେ ପ୍ରାଥମିକତା ଦେବା କଥା ଦେଇନଥିଲେ । ଏହି କାରଣରୁ ପ୍ରକଳ୍ପଟି ସ୍ଥଗିତ ରହିଥିଲା । ମାତ୍ର ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ନେବା ପରେ ୧୯୯୫ ମସିହାରୁ ସ୍ଥଗିତ ଥିବା ଏହି ପ୍ରକଳ୍ପ ଗତିଶୀଳ ହେଲା ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ମୋଦି ସରକାର ଓଡିଶା ସରକାରଙ୍କ ସହ ମିଶି ରାଜ୍ୟର ଅର୍ଥନୀତିକୁ ସମୃଦ୍ଧ କରିବା ପାଇଁ ପ୍ରତିବଦ୍ଧ । ଖୋର୍ଦ୍ଧା-ବଲାଙ୍ଗିର ରେଳ ଲାଇନ ସମ୍ପୂର୍ଣ୍ଣ ହେଲେ ଏହା ଅଂଚଳିକ କ୍ଷେତ୍ରରେ ଅର୍ଥନୀତିକୁ ବଳ ଦେବ । ଓଡିଶାର କଲ୍ୟାଣ ଓ ବିକାଶ ନରେନ୍ଦ୍ର ମୋଦିଙ୍କ ପ୍ରାଥମିକତା ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

ଉଲ୍ଲେଖନୀୟ ଯେ, ଖୋର୍ଦ୍ଧା-ବଲାଙ୍ଗିର ପ୍ରକଳ୍ପ ଗତ ୨୫ ବର୍ଷ ତଥା ୧୯୯୫ ମସିହାରୁ ଅଟକି ରହିଥିଲା । ବିଶେଷ
ଭାବରେ ମୋଦିଙ୍କ ପୂର୍ବରୁ ଦିଲ୍ଲୀରେ ଦାୟିତ୍ୱରେ ଥିବା ସରକାର ଓ ରାଜ୍ୟ ସରକାରଙ୍କ ଅସହଯୋଗ ତଥା ଜମି ଅଧିଗ୍ରହଣ ଓ ଅନ୍ୟାନ୍ୟ କାରଣରୁ ଏହି ପ୍ରକଳ୍ପ ସ୍ଥଗିତ ରହିଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ପ୍ରଗତି ବୈଠକରେ ଓଡିଶା ରେଳବାଇର ଖୋର୍ଦ୍ଧା-ବଲାଙ୍ଗିର ରେଳ ପ୍ରକଳ୍ପ ଉପରେ ସମୀକ୍ଷା କରିଥିଲେ । ଏହି ରିପୋର୍ଟରେ ଖୋର୍ଦ୍ଧା-ବଲାଙ୍ଗିର ରେଳ ପ୍ରକଳ୍ପର ଷ୍ଟାଟସ ରିପୋର୍ଟରେ ସେ ବେଶ ପ୍ରଭାବିତ ହୋଇଥିଲେ ।

୨୦୧୫ ମସିହାରେ ନରେନ୍ଦ୍ର ମୋଦି ଦାୟିତ୍ୱ ନେବା ପରେ ଏହି ପ୍ରକଳ୍ପ ଉପରେ ତାଙ୍କର ଦୃଷ୍ଟି ପଡିଥିଲା । ସେହି ସମୟରେ ମୋଦି ପିଏମଓର ଅଧିକାରୀ ମାନଙ୍କୁ କହିଥିଲେ ଯେ ଏହି ଅଂଚଳ ତଥା କେବିକେ ଅଂଚଳର ଲୋକମାନଙ୍କୁ ସରକାରୀ ସୁବିଧାର ଆବଶ୍ୟକତା ରହିଛି । ଏହା ଅନ୍ୟ ଅଂଚଳ ଅପେକ୍ଷା ବେଶ୍ ପଛୁଆ ରହିଛି । ଏହି ଅଂଚଳର ଲୋକଙ୍କୁ ରେଳ ସୁବିଧାର ନିତାନ୍ତ ଆବଶ୍ୟକତା ରହିଛି । ତେଣୁ ପ୍ରଧାନମନ୍ତ୍ରୀ ଏହି ଖୋର୍ଦ୍ଧା-ବଲାଙ୍ଗିର ରେଳ ପ୍ରକଳ୍ପକୁ ପ୍ରାଥମିକତା ଦେଇଥିଲେ । ଯଦି ୧୯୯୫-୨୦୦୦ ମସିହାରେ ଏହି ପ୍ରକଳ୍ପର କାମ ଶେଷ ହୋଇଥାନ୍ତା ତେବେ ଏଥିପାଇଁ ହେଉଥିବା ଖର୍ଚ୍ଚ ମଧ୍ୟ କମ୍ ହୋଇଥାନ୍ତା । ପୂର୍ବ ଭାରତର ଅର୍ଥନୀତି ବଢିବା ସହ ଲୋକଙ୍କୁ ମଧ୍ୟ ଏହାର ସୁବିଧା ମିଳିଥାନ୍ତା ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ବର୍ତମାନ ରେଳ ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ରିପୋର୍ଟରେ ଦର୍ଶାଯାଇଛି ଯେ ଖୋର୍ଦ୍ଧା-ବଲାଙ୍ଗିର ରେଳ ପ୍ରକଳ୍ପରେ ରେଳ ଟ୍ରାକର ନିର୍ମାଣ କାର୍ଯ୍ୟ ଠିକ୍ ଗତିରେ ଚାଲୁଅଛି । ନିର୍ଦ୍ଧାରିତ ସମୟ ମଧ୍ୟରେ ଏହାର କାର୍ଯ୍ୟ ସଂପୂର୍ଣ୍ଣ ହେବ । ଏହି ରେଳ ପ୍ରକଳ୍ପର ଷ୍ଟାଟସରେ ଥିବା ଅନ୍ୟ କାର୍ଯ୍ୟ ସୂଚାରୁରୂପେ ସମ୍ପାଦିତ ହେଉଅଛି । ଅପରପକ୍ଷରେ ଆଗାମୀ ୬ ମାସ ମଧ୍ୟରେ ଜମି ଅଧିଗ୍ରହଣ ପ୍ରକ୍ରିୟା ଶେଷ ହେବ ବୋଲି ରାଜ୍ୟ ସରକାରଙ୍କ ଅଧିକାରୀମାନେ ପ୍ରତିଶ୍ରୁତି ଦେଇଛନ୍ତି । ପରିବେଶ ମଞ୍ଜୁରି ସମେତ ଅନ୍ୟ ସବୁ ପ୍ରକ୍ରିୟା ପୂରଣ ହେଲେ ୨୦୨୩ ସୁଦ୍ଧା ଏହି ପ୍ରକଳ୍ପ ଶେଷ ହେବା ନେଇ ସମ୍ଭାବନା ରହିଛି ।

ସେହିପରି ଏହି ପ୍ରକଳ୍ପରେ ଜମି ଅଧିଗ୍ରହଣ ସମସ୍ୟାରେ ରାଜ୍ୟ ସରକାରଙ୍କ ସୂତ୍ରରୁ ଜଣାପଡିଛି ଯେ ବୌଦ୍ଧ ଏବଂ ସୋନପୁର ଜିଲ୍ଲାରେ ଜମି ଅଧିଗ୍ରହଣ ନେଇ ସମସ୍ୟା ଦେଖାଯାଇଛି । ଏହି ପ୍ରକଳ୍ପ ପାଇଁ ଉପରୋକ୍ତ ୨ଟି ଜିଲ୍ଲାରେ ରାଜ୍ୟ ସରକାର ଜମି ଅଧିଗ୍ରହଣ ପାଇଁ ଧ୍ୟାନ ଦେଉଥିବା ବେଳେ ଜଙ୍ଗଲ ଏବଂ ପରିବେଶ ମଞ୍ଜୁରି ପ୍ରତି ସରକାରଙ୍କୁ ବିଶେଷ ଧ୍ୟାନ ଦେବାର ଆବଶ୍ୟକତା ରହିଛି । ପ୍ରଧାନମନ୍ତ୍ରୀ ମୋଦିଙ୍କ ଏହି ପ୍ରକଳ୍ପର ସମୀକ୍ଷା ପରେ ପରିବେଶ ଏବଂ ଜଙ୍ଗଲ ମଞ୍ଜୁରି ବିବାଦର ଶୀଘ୍ର ସମାଧାନ ହେବ ବୋଲି ଆଶା କରାଯାଉଛି ।