ମୋଦୀଙ୍କୁ ଟାର୍ଗେଟ କରି ଫସିଲେ ରାହୁଲ

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ରାଜନୀତିରେ ନିଜର ଉତ୍ତମ ଛବି ସୃଷ୍ଟି କରିବାକୁ ସବୁବେଳେ ଉଦ୍ୟମ କରୁଛନ୍ତି। କିନ୍ତୁ ବେଳେବେଳେ ସେ ଏଭଳି କିଛି ଭୁଲ କରୁଛନ୍ତି, ଯେଉଁଥିପାଇଁ ତାଙ୍କ ପ୍ରୟାସ ବୃଥା ହୋଇଯାଉଛି। ନିକଟରେ ଏପରି ଏକ ଘଟଣା ନଜରକୁ ଆସିଛି, ଯେଉଁଥିରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ କରିଥିଲେ, ମାତ୍ର ସେଥିରେ ନିଜେ ଫସିଗଲେ।

ଦୁଇଦିନ ତଳେ ରାହୁଲ ଟ୍ବିଟରରେ ଏକ ଫଟୋ ଶେୟାର କରି ଲେଖିଥିଲେ ଇଂଲିଶ ଶବ୍ଦକୋଷରେ ନୂଆ ଶବ୍ଦ ସାମିଲ ହୋଇଛି। ଫଟୋରେ ଅକ୍ସଫୋର୍ଡ ଡିକ୍ସିନାରି ୱେବସାଇଟର ଏକ ୱେବ୍‌ସାଇଟ ପେଜ୍‌ ଦେଖିବାକୁ ମିଳିଛି, ଯେଉଁଥିରେ ଏକ ଶବ୍ଦ ମୋଦୀଲାଇ(modilie) ଉଲ୍ଲେଖ ରହିଛି। ରାହୁଲ ଲେଖିଛନ୍ତି, ଏହି ଶବ୍ଦକୁ ଡିକ୍ସିନାରିରେ ସାମିଲ କରାଯାଇଛି ଏବଂ ଏହାର ୩ଟି ଅର୍ଥ ରହିଛି। ଫଟୋରେ ଦିଆଯାଇଥିବା ଅର୍ଥରେ ଦର୍ଶାଯାଇଛି, ଉକ୍ତ ଶବ୍ଦର ଅର୍ଥ ହେଉଛି, ‘ସତ୍ୟକୁ ବାରମ୍ବାର ବଦଳାଇବା’, ‘ଅଭ୍ୟାସଗତ ଭାବେ ମିଛ କହିବା’ ଏବଂ ‘କିଛି ନ ଭାବି ନ ବୁଝି ମିଛ କହିବା’।ରାହୁଲ ଏହି ଫଟୋଟିକୁ ଶେୟାର କରିବା ପରେ ଅନେକ ଲୋକ ଏହାକୁ ଲାଇକ୍‌ କରିବା ସହ ରିଟ୍ବିଟ୍‌ କରିଛନ୍ତି। ହଜାର ହଜାର କମେଣ୍ଟ ଦିଆଯାଇଛି। କିନ୍ତୁ ସେହି କମେଣ୍ଟଗୁଡ଼ିକ ମଧ୍ୟରେ ଏକ କମେଣ୍ଟରେ କଡ଼ା ଜବାବ ଦିଆଯାଇଛି, ଯାହା ରାହୁଲଙ୍କ ମୁଖା ଖୋଲିଦେଇଛି। ଏହି କମେଣ୍ଟଟି ଅକ୍ସଫୋର୍ଡ ଡିକ୍ସିନାରି କାର୍ଯ୍ୟାଳୟ ପକ୍ଷରୁ କରାଯାଇଛି। ସେଥିରେ ଉଲ୍ଲେଖ କରାଯାଇଛି ଯେ, ଆମେ ଏହାକୁ ପ୍ରମାଣିତ କରୁଛୁ ଯେ, ଏହି ଫଟୋରେ ଦିଆଯାଇଥିବା ଶବ୍ଦ ‘modilie’କୁ ଜାଲ୍‌ ଭାବେ ପ୍ରଦର୍ଶିତ କରାଯାଇଛି। ଅକ୍ସଫୋର୍ଡ ଡିକ୍ସିନାରିଗୁଡ଼ିକ ମଧ୍ୟରୁ କୌଣସି ଡିକ୍ସିନାରିରେ ଏଭଳି ଶବ୍ଧ ଉପଲବ୍ଧ ନାହିଁ।