ରବିବାର କଟକ ଆସିବେ ରାହୁଲ ଗାନ୍ଧି

ରବିବାର ଅର୍ଥାତ୍ ଆସନ୍ତା ୨୮ ତାରିଖରେ କଟକ ଆସିବେ ରାହୁଲ ଗାନ୍ଧି । ସାଲେପୁର ଓ ନିଶ୍ଚିନ୍ତକୋଇଲିରେ ତାଙ୍କର କାର୍ଯ୍ୟକ୍ରମ ରହିଛି । ରାହୁଲ ଗାନ୍ଧିଙ୍କ ଉପସ୍ଥିତିରେ ସାଲେପୁର ବିଧାନସଭା କ୍ଷେତ୍ର ଅନ୍ତର୍ଗତ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜନ୍ମପୀଠ ସତ୍ୟଭାମାପୁରରୁ ରାଜ୍ୟ କଂଗ୍ରେସ ୨୦୨୪ ସାଧାରଣ ନିର୍ବାଚନର ପ୍ରଚାର ଅଭିଯାନ ଆରମ୍ଭ କରିବ ।

ରାହୁଲ ସତ୍ୟଭାମାପୁରରେ ମଧୁବାବୁ ଜୟନ୍ତୀରେ ତାଙ୍କୁ ଶ୍ରଦ୍ଧାସୁମନ ଅର୍ପଣ ପରେ ନିଶ୍ଚିନ୍ତକୋଇଲି କୁଳିଆ ପଡ଼ିଆରେ ବିଶାଳ ଜନସମାବେଶକୁ ଉଦ୍ବୋଧନ ଦେବେ। କଟକ, କେନ୍ଦ୍ରାପଡା ସମେତ ଆଖପାଖ ଅନ୍ୟ ଜିଲ୍ଲାରୁ ୧ଲକ୍ଷରୁ ଅଧିକ କଂଗ୍ରେସ କର୍ମୀ ଏହି ସମାରୋହରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।

ଆସନ୍ତା ୨୮ ତାରିଖ ହେଉଛି ଓଡ଼ିଆ ସ୍ୱାଭିମାନ ଓ ଅସ୍ମିତାର ପ୍ରତୀକ ମଧୁସୂଦନ ଦାସଙ୍କ ଜୟନ୍ତୀ । ତେଣୁ ମଧୁବାବୁଙ୍କ ଜନ୍ମମାଟିରୁ କଂଗ୍ରେସ ପ୍ରଚାର ଆରମ୍ଭ କରିବାକୁ ଯାଉଛି । ପ୍ରଦେଶ କଂଗ୍ରେସ କମିଟିର ପ୍ରସ୍ତାବ କ୍ରମେ ମଧୁବାବୁଙ୍କ ଜନ୍ମମାଟିରେ ରାହୁଲ ଓଡ଼ିଶା କଂଗ୍ରେସ କର୍ମୀ ଓ ନେତାଙ୍କୁ ବିଜୟ ମନ୍ତ୍ର ଦେବେ । ଶିଥିଳ ପଡ଼ି ଆସୁଥିବା ସଂଗଠନକୁ ଉତ୍ସାହର ସଂଜୀବନୀ ଦେବେ । ରାହୁଲଙ୍କ ଏହି ଗସ୍ତ ପାଇଁ କଂଗ୍ରେସ ଶିବିରରେ ପ୍ରସ୍ତୁତି ଜୋର୍ଦାର କରାଯାଇଛି।