ରାହୁଲଙ୍କ ବିମାନରେ ଯାନ୍ତ୍ରିକ ସମସ୍ୟାର ତଦନ୍ତ ନିର୍ଦେଶ ଦେଲା ଡିଜିସିଏ

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ବିମାନରେ ଶୁକ୍ରବାର ଯାନ୍ତ୍ରିକ ସମସ୍ୟା ଦେଖାଦେବା ଘଟଣାର ତଦନ୍ତ ନିର୍ଦେଶ ଦିଆଯାଇଛି। କେଉଁ ପରିସ୍ଥିତିରେ ଏପରି ତ୍ରୁଟି ଦେଖାଦେଲା ତାହାର ତଦନ୍ତ ପାଇଁ ବେସାମରିକ ବିମାନ ଚଳାଚଳ ନିର୍ଦେଶାଳୟ(ଡିଜିସିଏ) ନିର୍ଦେଶ ଦେଇଛି। ସୂଚନା ମୁତାବକ, ରାହୁଲ ଶୁକ୍ରବାର ବିହାର, ଓଡ଼ିଶା ଏବଂ ମହାରାଷ୍ଟ୍ରରେ ଦଳର ପ୍ରଚାର କାର୍ଯ୍ୟକ୍ରରେ ଯୋଗଦେବାର କାର୍ଯ୍ୟକ୍ରମ ଥିଲା।ସେ ପ୍ରଥମେ ବିହାରର ପାଟନା ଆସୁଥିବାବେଳେ ମଝି ଆକାଶରେ ବିମାନରେ ଯାନ୍ତ୍ରିକ ସମସ୍ୟା ଦେଖାଦେବାରୁ ରାହୁଲ ପୁଣି ଦିଲ୍ଲୀ ଫେରିଯାଇଥିଲେ। ଏ ନେଇ ସେ ଟ୍ବିଟ୍‌ କରି ସୂଚନା ଦେଇଥିଲେ। ସେ ଉଲ୍ଲେଖ କରିଥିଲେ ଯେ, ଆଜି ପାଟନା ଯିବା ସମୟରେ ଆମ ବିମାନରେ ଯାନ୍ତ୍ରିକ ସମସ୍ୟା ଦେଖାଦେଲା। ତେଣୁ ଆମେ ଦିଲ୍ଲୀ ଫେରିଯିବାକୁ ବାଧ୍ୟ ହେଉଛୁ। ବିହାରର ସମସ୍ତିପୁର, ଓଡ଼ିଶାର ବାଲେଶ୍ଵର ଏବଂ ମହାରାଷ୍ଟ୍ରର ସଙ୍ଗମନରରେ ହେବାକୁ ଥିବା ସମାବେଶରେ ପହଞ୍ଚିବା ବିଳମ୍ବ ହେବ। ଏଭଳି ସମସ୍ୟା ପାଇଁ କ୍ଷମା ଚାହୁଁଛି ବୋଲି ରାହୁଲ ଟ୍ବିଟ୍‌ କରିଛନ୍ତି।