ରେଭେନ୍ସା ର‍୍ୟାଗିଂ ଘଟଣା : ୬ ଛାତ୍ରଙ୍କୁ ହଷ୍ଟେଲରୁ ବହିଷ୍କାର

କଟକ : ରେଭେନ୍ସା ଇଷ୍ଟ ହଷ୍ଟେଲର ଜଣେ ଅନ୍ତେବାସୀଙ୍କୁ ସେହି ହଷ୍ଟେଲର ୬ ଜଣ ଛାତ୍ର ର‍୍ୟାଗିଂ କରିବା ଅଭିଯୋଗରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ। ୬ ଜଣ ଛାତ୍ରଙ୍କୁ ହଷ୍ଟେଲରୁ ବହିଷ୍କାର କରାଯାଇଛି। ଏହା ସହିତ ସେମାନେ ଗୋଟିଏ ସେମିଷ୍ଟର୍ ପରୀକ୍ଷା ମଧ୍ୟ ଦେଇପାରିବେ ନାହିଁ।

ଆଜି ବିଶ୍ବବିଦ୍ୟାଳୟ ଆଣ୍ଟି ରୢାଗିଂ ସେଲ୍‌ ଓ ଡିସିପ୍ଲିନାରୀ କମିଟିରେ ଉଭୟ ପକ୍ଷ ସେମାନଙ୍କ ମତ ରଖିଥିଲେ। ଦୁଇ ପକ୍ଷର ମତ ଶୁଣିବା ପରେ ଆଜି ଏଭଳି ନିଷ୍ପତ୍ତି ନିଆଯାଇଛି। ଅନ୍ୟପଟେ ଅଭିଯୁକ୍ତ ୬ ଛାତ୍ରଙ୍କ ମତକୁ ବିଚାରକୁ ନନେଇ କର୍ତ୍ତୃପକ୍ଷ ସେମାନଙ୍କୁ ହଷ୍ଟେଲରୁ ବହିଷ୍କାର କରିଥିବାର ଅଭିଯୋଗ ଆଣି ଇଷ୍ଟ ହଷ୍ଟେଲ ଛାତ୍ରମାନେ କୁଳସଚିବଙ୍କୁ ଦୁଇ ଘଣ୍ଟା କାଳ ଘେରାଉ କରି ରଖିଥିଲେ। କେବଳ ଗୋଟିଏ ପକ୍ଷର ମତକୁ ବିଚାରକୁ ନେଇ କର୍ତ୍ତୃପକ୍ଷ ୬ଜଣଙ୍କୁ ହଷ୍ଟେଲରୁ ବାହାରି ଯିବାକୁ କହି ଥିବା ଛାତ୍ରମାନେ ଅଭିଯୋଗ କରିଛନ୍ତି। ଖବର ପାଇ ପୁଲିସ ଓ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ଘଟଣାସ୍ଥଳରେ ପହଞ୍ଚି ପିଲାଙ୍କୁ ବୁଝାସୁଝା କରିବା ସହିତ ଆସନ୍ତାକାଲି ଆଉ ଥରେ ଦୁଇ ପକ୍ଷର ମତକୁ ବିଚାର କରି ନିଷ୍ପତ୍ତି ନିଆଯିବ ବୋଲି ପ୍ରତିଶ୍ରୁତି ଦେବାପରେ ଛାତ୍ରମାନେ କୁଳସଚିବଙ୍କୁ ଛାଡିଥିଲେ।

ସୂଚନା ଅନୁଯାୟୀ ଇଷ୍ଟ ହଷ୍ଟେଲର ଜଣେ ଯୁକ୍ତ ତିନି ବିଜ୍ଞାନ ପ୍ରଥମ ବର୍ଷ ଛାତ୍ରଙ୍କର ଗତ ସୋମବାର ଜନ୍ମ ଦିନ ଥିଲା। ଜନ୍ମଦିନ ଅବସରରେ କେକ୍ କାଟିବା ପରେ ଛାତ୍ରଙ୍କୁ ଅନ୍ୟ ସାଂଗମାନେ ପିଟିଥିବା ଅଭିଯୋଗ ହୋଇଥିଲା। ମଙ୍ଗଳବାର ସକାଳେ ଉକ୍ତ ଛାତ୍ରଙ୍କ ବାପା ପୁଅକୁ ଦେଖା କରିବାକୁ ବିଶ୍ବବିଦ୍ୟାଳୟକୁ ଆସିଥିଲେ। ପୁଅ ଦେହରେ ମାଡ଼ ଦାଗ ଦେଖିବା ପରେ ବାପା ଘଟଣା ବିଷୟରେ ପଚାରି ବୁଝି ଥିଲେ। ପୁଅକୁ ହଷ୍ଟେଲର ୬ଜଣ ଛାତ୍ର ଜନ୍ମ ଦିନ କେକ୍‌ କଟା ପରେ ମାଡ଼ ମାରିଥିବା ଜାଣିବା ପରେ ରେଭେନ୍ସା କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ବିଶ୍ବବିଦ୍ୟାଳୟ ପକ୍ଷରୁ ଆଜି ଡିଏସ୍‌ଡବ୍ଲ୍ୟୁ ଡକ୍ଟର ରିତା ପାଇକରାୟଙ୍କ କାର୍ଯ୍ୟାଳୟରେ ଆଣ୍ଟି ରୢାଗିଂ ସେଲ ଓ ଡିସିପ୍ଲିନାରୀ କମିଟିର ବୈଠକ ବସିଥିଲା। ଏଥିରେ କୁଳସଚିବ ଅଶୋକ କୁମାର ଦାସ, ବିଶ୍ବବିଦ୍ୟାଳୟ ଚିଫ୍‌ ୱାର୍ଡେନ ଡକ୍ଟର ସ୍ମୃତିପ୍ରଭା ଦାସ, ଡକ୍ଟର ଚଣ୍ଡି ପ୍ରସାଦ ନନ୍ଦ, ଡକ୍ଟର ପ୍ରଦୀପ୍ତ ମହାପାତ୍ରଙ୍କ ଉପସ୍ଥିତିରେ ଉଭୟପକ୍ଷଙ୍କୁ ଡାକି ସେମାନଙ୍କ ମତ ନିଆଯାଇଥିଲା।