ରାଧାଶ୍ୟାମ ମହାପାତ୍ର NALCOର ନୂତନ ନିର୍ଦ୍ଦେଶକ (ମାନବସମ୍ବଳ)

ଭୁବନେଶ୍ୱର : ଭାରତ ସରକାରଙ୍କ ଖଣି ମନ୍ତ୍ରାଳୟ ଅଧିନସ୍ଥ ନବରତ୍ନ ଉଦ୍ୟୋଗ ନ୍ୟାସନାଲ୍ ଆଲୁମିନିୟମ୍ କମ୍ପାନୀ ଲିମିଟେଡ୍ (NALCO)ର ନୂତନ ନିର୍ଦ୍ଦେଶକ (ମାନବସମ୍ବଳ) ଭାବେ ଶ୍ରୀ ରାଧାଶ୍ୟାମ ମହାପାତ୍ର ଦାୟିତ୍ୱ ଗ୍ରହଣ କରିଛନ୍ତି । ଏଥିପୂର୍ବରୁ, ସେ ସେଣ୍ଟ୍ରାଲ୍ କୋଲ୍ଫିଲ୍ଡ୍ସ ଲିମିଟେଡ୍ (କୋଲ୍ ଇଣ୍ଡିଆ ଲିମିଟେଡ୍ର ଏକ ଅଂଶବିଶେଷ)ରେ ନିର୍ଦ୍ଦେଶକ (ପର୍ସୋନେଲ୍) ଭାବେ ଅବସ୍ଥାପିତ ଥିଲେ ।
ଶ୍ରୀ ମହାପାତ୍ରଙ୍କର ଶକ୍ତି, ତୈଳ ଓ କୋଇଲା କ୍ଷେତ୍ରରେ ବିଭିନ୍ନ କ୍ଷମତାରେ କାର୍ଯ୍ୟ କରିବାର ସମୃଦ୍ଧ ଅଭିଜ୍ଞତା ରହିଛି । ସେ ସଫଳତାର ସହ ବିବିଧ ଓ ଉଚ୍ଚପଦସ୍ଥ ଦାୟିତ୍ୱ ନିର୍ବାହ କରିଆସିଛନ୍ତି । ବ୍ରହ୍ମପୁରସ୍ଥ ଖଲ୍ଲିକୋଟ ମହାବିଦ୍ୟାଳୟରୁ ପଦାର୍ଥବିଜ୍ଞାନରେ ସ୍ନାତକ ଶିକ୍ଷା ଲାଭ ପରେ ସେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରୁ ଇଣ୍ଡଷ୍ଟ୍ରିଆଲ୍ ରିଲେସନ୍ସ ଏବଂ ଲେବର୍ ୱେଲ୍ଫେୟାର୍ ବିଷୟରେ ସ୍ନାତକୋତ୍ତର ଡିଗ୍ରୀ ଲାଭ କରିଛନ୍ତି । ମାନବସମ୍ବଳ ସମ୍ବନ୍ଧୀୟ ବିଭିନ୍ନ କ୍ଷେତ୍ରରେ ଶ୍ରୀ ମହାପାତ୍ର କାର୍ଯ୍ୟ କରିଛନ୍ତି । ଏନ୍ଏଚ୍ପିସି, ଇଞ୍ଜିନିୟର୍ସ୍ ଇଣ୍ଡିଆ ଲିମିଟେଡ୍ ଏବଂ କୋଲ୍ ଇଣ୍ଡିଆ ଲିମିଟେଡ୍ରେ ନିଜର କାର୍ଯ୍ୟକାଳ ସମୟରେ ସେ ଦଳବଦ୍ଧ କାର୍ଯ୍ୟ ମାଧ୍ୟମରେ ଉତ୍ପାଦକୀୟ କାର୍ଯ୍ୟସଂସ୍କୃତିର ପ୍ରଣୟନରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ।
ଉତ୍ପାଦକତାରେ ଅଭିବୃଦ୍ଧି, ମାନବସମ୍ବଳର ବିକାଶ, ଦକ୍ଷତା ବିକାଶ ଦ୍ୱାରା ନିଯୁକ୍ତିସୁଯୋଗ ସୃଷ୍ଟି, କ୍ରୀଡ଼ା, ସଂସ୍କୃତି ଏବଂ ଆତ୍ମସମ୍ମାନର ବିକାଶ ଆଦି ଦିଗରେ କାର୍ଯ୍ୟ କରିବାକୁ ଶ୍ରୀ ମହାପାତ୍ର ବିଶେଷ ଆଗ୍ରହ ପ୍ରକାଶ କରିଥାନ୍ତି । ପ୍ରଶାସନରେ ସଂସ୍କାର ଆଣିବା ପାଇଁ ସେ ବିଶେଷ ଭାବେ କାର୍ଯ୍ୟ କରିଆସିଛନ୍ତି । ସ୍ୱଚ୍ଛତା, ନେତୃତ୍ୱ ବିକାଶ ଏବଂ ଐକ୍ୟବଦ୍ଧ କାର୍ଯ୍ୟ ହେଉଛି ଶ୍ରୀ ମହାପାତ୍ରଙ୍କ ବୈଶିଷ୍ଟ୍ୟ । ନାଲ୍କୋ ବୋର୍ଡ୍ରେ ଶ୍ରୀ ମହାପାତ୍ରଙ୍କ ଯୋଗଦାନ କମ୍ପାନୀକୁ ଆହୁରି ବଳିଷ୍ଠ ଓ ସମୃଦ୍ଧ କରିବ ।