ବାୟୁସେନାର ମୁଖ୍ୟ ହେବେ ରାକେଶ କୁମାର ସିଂହ ଭଦୌରିଆ

ନୂଆଦିଲ୍ଲୀ: ଏୟାର ମାର୍ଶଲ ରାକେଶ କୁମାର ସିଂହ ଭଦୌରିଆ ହେବେ ଭାରତୀୟ ବାୟୁ ସେନାର ଆଗାମୀ ମୁଖ୍ୟ। ଏଥିପାଇଁ କେନ୍ଦ୍ର ସରକାର ମୋହର ମାରି ସାରିଛନ୍ତି ବୋଲି ପ୍ରତିରକ୍ଷା ମନ୍ତ୍ରଣାଳୟର ମୁଖପାତ୍ର ଆଜି କହିଛନ୍ତି। ଚଳିତ ମାସ ୩୦ ତାରିଖରେ ବିଏସ ଧନଓ୍ୱା ଅବସର ଗ୍ରହଣ କରିବାକୁ ଯାଉଛନ୍ତି। ଏବେ ଭଦୌରିଆ ବାୟୁସେନାର ଉପମୁଖ୍ୟ ରହିଛନ୍ତି। ସରକାର ତାଙ୍କୁ ବାୟୁସେନା ମୁଖ୍ୟ କରିବା ସହ ତାଙ୍କ କାର୍ଯ୍ୟକାଳକୁ ଆଉ ୨ ବର୍ଷ ବଢ଼େଇ ଦେଇଛନ୍ତି ।

ବାୟୁସେନାର ସବୁଠୁ ଦକ୍ଷ ପାଇଲଟ ଭାବରେ ରାକେଶ କୁମାର ସିଂହଙ୍କ ନାମ ରହିଛି। ଏଯାବତ ସେ ୨୬ ପ୍ରକାର ଲଢ଼ୁଆ ଏବଂ ପରିବହନ ବିମାନ ଉଡ଼ାଇଛନ୍ତି। ଯେଉଁଥିରେ ରାଫେଲ୍ ମଧ୍ୟ ସାମିଲ୍ ରହିଛି। ରାଫେଲ୍ ବିମାନ କିଣିବା ଟିମରେ ସେ ଅଧ୍ୟକ୍ଷ ମଧ୍ୟ ରହିଛନ୍ତି। ଆରକେଏସ ଭଦୌରିଆ ଏନଡିଏ ପୁନେର ଛାତ୍ର । ସେ ୪୨୫୦ରୁ ଅଧିକ ଘଣ୍ଟା ବିମାନ ଉଡ଼ାଇଛନ୍ତି।

ଭଦୌରିଆ ଦକ୍ଷିଣ କମାଣ୍ଡର (AOC-in-C) ଭାବେ ମାର୍ଚ୍ଚ ୨୦୧୭ରୁ ଅଗଷ୍ଟ ୧୮ ପର୍ଯ୍ୟନ୍ତ ଦାୟିତ୍ୱ ସମ୍ଭାଳିଥିଲେ । ଏହାପରେ ସେ (AOC-in-C) ଭାବେ ଟ୍ରେନିଂ କମାଣ୍ଡର ଦାୟିତ୍ୱ ଚଳିତ ବର୍ଷ ପର୍ଯ୍ୟନ୍ତ ତୁଲାଇଥିଲେ। ଏହାପରେ ଚଳିତ ବର୍ଷ ମେ ରେ ଭାଇସ ଚିଫ ଅଫ ଦ’ ଏୟର ଷ୍ଟାଫକୁ ପଦୋନ୍ନତି ଦେଇଥିଲେ ସରକାର। ନିଜର ୩୬ ବର୍ଷ କାର୍ଯ୍ୟକାଳରେ ଆରକେଏସ ଭଦୌରିଆ ଅତି ବିଶିଷ୍ଟ ସେବା ପଦକ, ବାୟୁସେନା ମେଡାଲ ଏବଂ ପରମ ବିଶିଷ୍ଟ ସେବା ଆଦି ଅନେକ ପଦକରେ ସମ୍ମାନିତ ହୋଇଛନ୍ତି । ଜୁନ ୧୯୮୦ରେ ଜଣେ ଲଢୁଆ ପାଇଲଟ ଭାବେ ଭାରତୀୟ ବାୟୁସେନାରେ ଯୋଗ ଦେଇଥିବା ଏୟାର ମାର୍ଶଲ ଭଦୌରିଆ ପୁଣେ ସ୍ଥିତ ନାସନାଲ ଡିଫେନ୍ସ ଏକାଡେମୀର ଛାତ୍ର।

ରାଫେଲ୍ ବିମାନ ଉଡ଼ାଇବା ପରେ ସେ କହିଥିଲେ ବିଶ୍ୱର ସବୁଠାରୁ ଦକ୍ଷ ଯୁଦ୍ଧ ବିମାନ ରାଫେଲ୍। ଏହା ଭାରତୀୟ ବାୟୁ ସେନାରେ ସାମିଲ୍ ହେବା ପରେ ଭାରତୀୟ ସେନାର ଦକ୍ଷ ଆହୁରି ବୃଦ୍ଧି ପାଇବ। ସୁଖୋଇ ରାଫେଲ୍ ଯୋଡ଼ି ଆଗାମୀ ଦିନରେ ଚାଇନା ଏବଂ ପାକିସ୍ତାନକୁ କଡ଼ା ଜବାବ ଦେବ ବୋଲି ସେ କହିଥିଲେ।