କ୍ୱାରେଂଟାଇନ୍ ସେଂଟରର ଟିକଟକ୍ ଭିଡିଓ ଭାଇରାଲ; ଥାନାରେ ମାମଲା

ଭଦ୍ରକ: କରୋନା ସଂକ୍ରମଣକୁ ରୋକିବା ପାଇଁ ପ୍ରବାସୀ ଓଡ଼ିଆଙ୍କୁ ଓଡ଼ିଶାରେ ପହଂଚିବା ପରେ କ୍ୱାରେନଂଟାଇନ୍ ସେଂଟରରେ ରଖାଯାଉଛି । ଏହି ସେଂଟରରେ କେଉଁଠି ଲୋକେ ଖାଦ୍ୟ ଫୋପାଡ଼ି ଦେଉଛନ୍ତି ତ ଆଉ କେଉଁଠି କଟକଣା ନ ମାନି ମଉଜ ମସ୍ତିରେ ବ୍ୟସ୍ତ ରହୁଛନ୍ତି।

ଏବେ ଏମିତି ଏକ ଘଟଣା ସାମ୍ନାକୁ ଆସିଛ ଭଦ୍ରକ ଜିଲ୍ଲାର ତିହିଡ଼ି ବ୍ଲକ୍ ଅନ୍ତର୍ଗତ ଭାଟପଡ଼ା ପଂଚାୟତ ଅଂଚଳରୁ । ସୂଚନା ଅନୁସାରେ ଗତ ଏପ୍ରିଲ ୨୩ ତାରିଖରେ ତିହିଡ଼ିରୁ ଦୁଇଜଣ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଉକ୍ତ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ପ୍ରଶାସନ ପକ୍ଷରୁ ସ୍ଥାନୀୟ ସିଆରଏସ୍ ହାଇସ୍କୁଲରେ ତିଆରି ହୋଇଥିବା କ୍ୱାରେନଂଟାଇନ୍ ସେଂଟରରେ ରଖାଯାଇଥିଲା। ହେଲେ ସେଠାରେ ରହୁଥିବା କିଛି ଲୋକ ସାମାଜିକ ଦୂରତ୍ବ ବଜାୟ ନ କରି ବିଶୃଙ୍ଖଳା ସୃଷ୍ଟି କରିବା ସହ ଟିକଟକ୍‌ ଭିଡିଓ ପ୍ରସ୍ତୁତ କରିଥିଲେ। ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ସ୍ଥାନୀୟ ଭାଟପଡ଼ା ପଂଚାୟତର ମହିଳା ସରପଂଚ ଥାନାରେ ଏତଲା ଦେଇଛନ୍ତି। ତିହିଡ଼ି ଥାନା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିବା ଜଣାଯାଇଛି।