ମାଟ୍ରିକ ପ୍ରଶ୍ନପତ୍ର ଭାଇରାଲ ଖବର ମିଛ: ବୋର୍ଡ

କଟକ: ମାଟ୍ରିକ ପରୀକ୍ଷାର ପ୍ରଥମ ଦିନରେ କୌଣସି ପ୍ରଶ୍ନପତ୍ର ଭାଇରାଲ ହୋଇନଥିବା ବୋର୍ଡ ସ୍ପଷ୍ଟ କରିଛି । ଭାଇରାଲ ସମ୍ପର୍କିତ ଯେଉଁ ଖବର ଗଣମାଧ୍ୟମରେ ପ୍ରଚାର ହେଉଥିଲା ତାହାକୁ ଭୁଲ ବୋଲି କହିଛି ବୋର୍ଡ । ଭାଇରାଲ ପ୍ରଶ୍ନପତ୍ର ସହ ଆଜିର ପ୍ରଶ୍ନପତ୍ର ମିଶାଯାଇଥିଲା । ହେଲେ ଏହା ଆଜିର ପ୍ରଶ୍ନପତ୍ର ସହ ମିଶି ନାହିଁ। ତେଣୁ କୌଣସି ଗୋଟିଏ ବି ପ୍ରଶ୍ନପତ୍ର ମିଶିନଥିବାବେଳେ, ଜାଣିଶୁଣି କେହି ଏଭଳି ପ୍ରଶ୍ନପତ୍ରକୁ ଭାଇରାଲ କରିଥିବା କହିଛନ୍ତି ବୋର୍ଡ ସଭାପତି । ଆଗକୁ ଏଭଳି ନ କରିବାକୁ ମଧ୍ୟ ବୋର୍ଡ ପକ୍ଷରୁ ଅନୁରୋଧ କରାଯାଇଛି ।

ସାମ୍ବାଦିକ ସମ୍ମିଳନୀରେ ବୋର୍ଡର ସଭାପତି ରାମାଶିଷ ହାଜରା ଗଣମାଧ୍ୟମର ପ୍ରତିନିଧିଙ୍କୁ କହିଛନ୍ତି, ମାଟ୍ରିକ ପରୀକ୍ଷାର ପ୍ରଥମ ଦିନରେ ଆଜି ପ୍ରଶ୍ନପତ୍ର ଭାଇରାଲ ହୋଇ ନାହିଁ। ପରୀକ୍ଷା ପରେ ଆମେ ପ୍ରଶ୍ନ ପତ୍ର ଯାଂଚ କରିଥିଲୁ। କିନ୍ତୁ ଭାଇରାଲ ପ୍ରଶ୍ନପତ୍ର ସହ ଏହାର କୌଣସି ମେଳ ଖାଇ ନଥିଲା। ବୋର୍ଡକୁ ବଦନାମ କରିବା ପାଇଁ ଅର୍ଥାତ ଖରାପ ଉଦ୍ଦେଶ୍ୟ ନେଇ କେହି ଜଣେ ବ୍ୟକ୍ତି ପ୍ରଶ୍ନପତ୍ର ପ୍ରସ୍ତୁତ କରି ଭାଇରାଲ କରିଛି ବୋଲି ଶ୍ରୀ ହାଜରା କହିଛନ୍ତି।

ସୂଚନାଯୋଗ୍ୟ, ବୋର୍ଡ ପକ୍ଷରୁ ଆଜି ପ୍ରଥମ ଦିନରେ ଓଡ଼ିଆ (ମାତୃଭାଷା) ପରୀକ୍ଷା କରାଯାଇଥିଲା। ପ୍ରଥମ ଦିନରେ ରାଜ୍ୟର ବିଭିନ୍ନ କେନ୍ଦ୍ରରେ ୪୪ଟି ପିଲା ଓଡ଼ିଆରେ କପି କରି ଧରାପଡ଼ିଥିବା ଜଣାପଡ଼ିଛି।