ରାଜ୍ୟ ବାହାରୁ ଫେରିଥବା ୭୮୨୩୩ ଜଣଙ୍କୁ କ୍ୱାରେଂଟାଇନରେ ରହିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର: କୋରୋନା ଭଳି ମହାମାରୀକୁ ରୋକିବା ପାଇଁ ଭିନ୍ନ ଭିନ୍ନ ପଦକ୍ଷେପ ନିଆଯାଉଛି । ତେବେ ରାଜ୍ୟ ବାହାରୁ ଫେରିଥିବା ୭୮୨୩୩ ଜଣ ୧୪ଦିନିଆ କ୍ୱାରେଂଟାଇନ୍ ରେ ରହିବା ନିମନ୍ତେ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି । ଏହି ବ୍ୟକ୍ତିମାନେ କୋରୋନା ପ୍ରଭାବିତ  ରାଜ୍ୟରୁ ଆସିଥିବାରୁ ସେମାନଙ୍କୁ ତୁରନ୍ତ ନିଜକୁ ଘର ମଧ୍ୟରେ ସଙ୍ଗରୋଧ କରି ରହିବାକୁ ପରାମର୍ଶ ଦିଆଯାଇଛି ।

ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ଡଃ ସୁବ୍ରତ ବାଗଚୀ କହିଛନ୍ତି ଯେ, ବାହାରେ ରାଜ୍ୟରେ କାମ କରୁଥିବା ପ୍ରାୟ ୭୮୨୩୩ଜଣ ଓଡ଼ିଶା ଫେରିଥିବା ଖବର ସରକାରଙ୍କ ନଜରକୁ ଆସିଛି। ସେମାନେ ପ୍ରଭାବିତ ରାଜ୍ୟଗୁଡ଼ିକରୁ ଆସିଥିବାରୁ ସେମାନଙ୍କୁ ହୋମ୍  କ୍ୱାରେଂଟାଇନ୍ ରେ ରହିବାକୁ କୁହାଯାଇଛି ।

ଫେରିଥିବା ଲୋକଙ୍କ ମଧ୍ୟରୁ ୫୦୦ଜଣ ଲେଖାଏଁ ୩ଟି ଜିଲ୍ଲାରୁ ରହିଥିବାବେଳେ ଅନ୍ୟ ୨୭ଟି ଜିଲ୍ଲାରେ ଏହି ଲୋକଙ୍କ ସଂଖ୍ୟା ୧ହଜାରରୁ ୧୧ହଜାର ମଧ୍ୟରେ ରହିଛି। ଗଞ୍ଜାମ ଜିଲ୍ଲାକୁ ସର୍ବାଧିକ ୧୧,୦୮୪ ଜଣ, ବାଲେଶ୍ୱରକୁ ୬୪୪୨, କଳାହାଣ୍ଡିକୁ ୪୪୪୮  ଓ ଫୁଲବାଣୀକୁ ୪୩୦୬ ଜଣ ବ୍ୟକ୍ତି ଆସିଛନ୍ତି।  ଏମାନଙ୍କ ଉପରେ ନଜର ରଖିବାକୁ ପଂଚାୟତ ଓ ଜିଲ୍ଲାସ୍ତରର ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ରାଜ୍ୟ ବାହାରୁ ଆସିଥିବା ଏହି ଲୋକମାନଙ୍କୁ ବୁଝାଇବା ଦାୟିତ୍ୱ ସରପଂଚମାନଙ୍କୁ ଦିଆଯାଇଛି। ଯାହାଫଳରେ ସେମାନେ ୧୪ ଦିନିଆ ହୋମ  କ୍ୱାରେଂଟାଇନ୍ ରେ ରହିପାରିବେ।