ଇତିହାସ ରଚିଲେ ସିନ୍ଧୁ

ନୂଆଦିଲ୍ଲୀ: ଅଲିମ୍ପିକ ରୌପ୍ୟ ପଦକ ବିଜେତା ପିଭି ସିନ୍ଧୁ ଆଜି ବିଶ୍ଵ ଚମ୍ପିଆନସିପର ଫାଇନାଲ ଜିତି ଇତିହାସ ରଚିଛନ୍ତି। ୨୪ ବର୍ଷୀୟ ସିନ୍ଧୁ ଫାଇନାଲରେ ଜାପାନର ନୋଜୋମି ଓକୁହାରାଙ୍କୁ ମାତ୍ ଦେଇ ପ୍ରଥମ ଭାରତୀୟ ବ୍ୟାଡମିଣ୍ଟନ ଖେଳାଳି ଭାବେ ବିଶ୍ଵ ଚମ୍ପିଆନସିପରେ ସ୍ଵର୍ଣ୍ଣ ପଦକ ଜିତିଛନ୍ତି। ସ୍ଵିଜରଲାଣ୍ଡର ବସେଲରେ ରବିବାର ଆୟୋଜିତ ଫାଇନାଲ  ମୁକାବିଲାରେ ସେ ଚିର ପ୍ରତିଦ୍ଵନ୍ଦୀ ଜାପାନର ଓକୁହାରାଙ୍କୁ ସିଧାସଳଖ ୨୧-୭, ୨୧-୭ରେ ପରାସ୍ତ କରିଛନ୍ତି।

ସିନ୍ଧୁ ଏହା ସହିତ ବିଶ୍ଵ ଚମ୍ପିଆନସିପିରେ ନିଜର ପଞ୍ଚମ ପଦକ ଜିତିଛନ୍ତି। ସିନ୍ଧୁ କ୍ରମାଗତ ତୃତୀୟ ଥର ବିଶ୍ଵ ଚମ୍ପିଆନସିପର ଫାଇନାଲରେ ପ୍ରବେଶ କରିଥିଲେ। ଗତ ଦୁଇଟି ଫାଇନାଲରେ ପରାସ୍ତ ହୋଇ ତାଙ୍କୁ ରୌପ୍ୟ ପଦକରେ ସନ୍ତୁଷ୍ଟ  ହେବାକୁ ପଡ଼ିଥିଲା। ଏହା ପୂର୍ବରୁ ସିନ୍ଧୁ ୨୦୧୩ ଓ ୨୦୧୪ରେ କାଂସ୍ୟ ପଦକ ଓ ୨୦୧୭, ୨୦୧୮ରେ ରୌପ୍ୟ ପଦକ ଜିତିଥିଲେ। ମାତ୍ର ଗତ ଦୁଇ ଥର ସେ ସ୍ଵର୍ଣ୍ଣ ପଦକରୁ  ବଞ୍ଚିତ ହେଉଥିଲେ।

ଅଲିମ୍ପିକ, ବିଶ୍ଵ ଚମ୍ପିଆନସିପ୍, ଏସୀୟ କ୍ରୀଡ଼ା ଓ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଏହି ଚାରୋଟି ମେଗା ଇଭେଣ୍ଟରେ ଭାରତୀୟ ବ୍ୟାଡମିଣ୍ଟନ ତାରକା ସିନ୍ଧୁ ମହିଳା ଏକକ ବର୍ଗ ଫାଇନାଲରେ ପ୍ରବେଶ କରିଥିଲେ। ମାତ୍ର ଥରୁଟିଏ ବି ସ୍ଵର୍ଣ୍ଣ ପଦକ ନିଜ ନାମରେ କରି ପାରି ନଥିଲେ। ବିଶ୍ଵର ପଞ୍ଚମ ମାନ୍ୟତା ପ୍ରାପ୍ତ ସିନ୍ଧୁ ଏବଂ ତୃତୀୟ ମାନ୍ୟତା ପ୍ରାପ୍ତ ଖେଳାଳି ଓକୁହାରାଙ୍କ ମଧ୍ୟରେ ୧୫ଟି ମୁକାବିଲା ଖେଳାଯାଇଛି। ଏଥିରେ ସିନ୍ଧୁଙ୍କ ରେକର୍ଡ ୮-୭ ରହିଛି। ମାତ୍ର ଅାଜିର ବିଜୟ ପରେ ମୋଟ୍ ୧୬ଟି ମୁକାବିଲାରେ ସିନ୍ଧୁଙ୍କ ରେକର୍ଡ ୯-୭ରେ ପହଞ୍ଚିଛି। 

ସିନ୍ଧୁ ଶନିବାର ଅଲ ଇଂଲଣ୍ଡ ଚମ୍ପିଆନ ଚେନ ୟୁ ଫେଇଙ୍କୁ ସିଧାସଳଖ ଗେମରେ ପରାସ୍ତ କରି କ୍ରମାଗତ ତୃତୀୟ ଥର ବିଶ୍ଵ ଚମ୍ପିଆନସିପ ଫାଇନାଲରେ ପ୍ରବେଶ କରିଛନ୍ତି। ସିନ୍ଧୁ ଏହି ପ୍ରତିଷ୍ଠିତ ଟୂର୍ଣ୍ଣାମେଣ୍ଟର ଗତ ଦୁଇଟି ସଂସ୍କରଣରେ କ୍ରମାଗତ ରୌପ୍ୟ ପଦକ ଜିତିଛନ୍ତି। ଏହା ବ୍ୟତୀତ ତାଙ୍କ ନାମରେ ଗୋଟିଏ କାଂସ୍ୟ ପଦକ ରହିଛି। ଗତକାଲି ହାଇଦ୍ରାବାଦର ଏହି ଖେଳାଳି ୪୦ ମିନିଟ୍ ପର୍ଯ୍ୟନ୍ତ ଚାଲିଥିବା ସେମି ଫାଇନାଲରେ ଚୀନର ଖେଳାଳି ଚେନଙ୍କୁ ୨୧-୭, ୨୧-୧୪ରେ ପରାସ୍ତ କରିଥିଲେ ।

ଓକୁହାରା ଓ ସିନ୍ଧୁଙ୍କ ମଧ୍ୟରେ ଚଳିତ ବର୍ଷ ଏହା ହେବ ତୃତୀୟ ମୁକାବିଲା। ସିନ୍ଧୁ ଗତ ମାସ ଇଣ୍ଡୋନେସିଆ ଓପନର କ୍ଵାର୍ଟର ଫାଇନାଲରେ ଓକୁହାରାଙ୍କୁ ହରାଇ ଟାଇଟଲ  ଜିତିଥିଲେ। ସିନ୍ଧୁ ଏହି ମୁକାବିଲାକୁ ସିଧାସଳଖ ୨୧-୧୯. ୨୧-୧୭ ଗେମରେ  ହରାଇଥିଲେ।  ମାତ୍ର ସିଙ୍ଗାପୁର ଓପନ ସେମି ଫାଇନାଲରେ ଭାରତୀୟ ଏହି ତାରିକା ଖେଳାଳିଙ୍କୁ ଓକୁହାରା ପରାସ୍ତ କରିଥିଲେ।