ସରକାରଙ୍କୁ ଦୋଷ ଦେଲେ ଗଜପତି, କାର୍ଯ୍ୟାନୁଷ୍ଠାନ ନେବେ କହିଲେ ମୁଖ୍ୟ ପ୍ରଶାସକ

ଶ୍ରୀ ମନ୍ଦିରର ଦ୍ବାର ନଖୋଲିବା ପ୍ରସଙ୍ଗ

ଭୁବନେଶ୍ବର  : ଶ୍ରୀମନ୍ଦିର ନୀତି ବିଭ୍ରାଟ ପ୍ରସଙ୍ଗରେ ସରକାରଙ୍କୁ ପରୋକ୍ଷରେ ଦାୟୀ କଲେ ଗଜପତି ମହାରାଜ । ବର୍ତ୍ତମାନ ଶାସକଙ୍କ ଯୋଗୁ ଧର୍ମ ଅବକ୍ଷୟମୂଖୀ,  କାରଣ ସେମାନେ ଧର୍ମ ରକ୍ଷାକୁ ନିଜ ଦାୟିତ୍ବ ବୋଲି  ମାନୁନାହାନ୍ତି ବୋଲି କ୍ଷୋଭର ସହ କହିଛନ୍ତି ଗଜପତି । ଧର୍ମର ପ୍ରଚାର ପ୍ରସାର କିଏ କରିବ? କିଛି ମୁଷ୍ଟିମେୟ ସଂସ୍ଥା ଯୋଗୁ ଜଗନ୍ନାଥ ଚେତନା ଦୀପ ପ୍ରଜ୍ଜ୍ଵଳିତ ହୋଇ ରହିଛି ।  ଗଜପତି ମାନେ ଜଗନ୍ନାଥ ମନ୍ଦିର ପରିଚାଳନା ଓ ଧର୍ମକୁ ନିଜର ରାଜଧର୍ମ ପରି ପାଳନ କରୁଥିଲେ । ତେଣୁ ବର୍ତ୍ତମାନ ସରକାର ଶ୍ରୀମନ୍ଦିର ପରିଚାଳନାକୁ ନିଜର  ପ୍ରାଥମିକତା ଯୋଜନାରେ ଅନ୍ତର୍ଭୁକ୍ତ କରିବା ଦରକାର ବୋଲି ଗଜପତି ପ୍ରତିକ୍ରିୟା ଦେଇ କହିଛନ୍ତି ।

ସେପଟେ ସେବାୟତ-ପୋଲିସ ବିବାଦରୁ ଶ୍ରୀମନ୍ଦିର ନୀତି ବିଭ୍ରାଟ ହେବା ଘଟଣାକୁ ଦୁଃଖଦ ବୋଲି କହିଛନ୍ତି ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ର । ଏଥିପାଇଁ ଆମେ ପଶ୍ଚାତାପ କରୁଛୁ, ଘଟଣାର ତଦନ୍ତ ହେବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି । ଯେଉଁମାନେ ଦୋଷୀ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ । ପୋଲିସ-ସେବାୟତ ଗଣ୍ଡଗୋଳ ଘଟଣାର ସିସିଟିଭି ଫୁଟେଜ୍ ଯାଞ୍ଚ ହେବ । ଛତିଶା ନିଯୋଗ ଓ ମନ୍ଦିର ପରିଚାଳନା କମିଟି ବୈଠକରେ ଏହି ଘଟଣା ଆଲୋଚନା ହେବ । କୌଣସି ଘଟଣା ପାଇଁ ଠାକୁରଙ୍କ ନୀତି ବନ୍ଦ କରିବା ଅନୁଚିତ, ପୂଜା କରିବା ଦାୟିତ୍ବ ସେବାୟତମାନଙ୍କର, ତାହା ଆମ ହାତରେ ନାହିଁ, ସେବାୟତମାନେ ଦାୟିତ୍ବବାନ ଏବଂ ଯତ୍ନଶୀଳ ହେବା ଉଚିତ ବୋଲି ମୁଖ୍ୟପ୍ରଶାସନ କହିଛନ୍ତି ।