ପୁରୀ ଉଚ୍ଛେଦ ପ୍ରକ୍ରିୟା ସରକାରଙ୍କ ଠିକ୍ ନିଷ୍ପତି: ଆମିକସ୍ କ୍ୟୁରୀ

ଭୁବନେଶ୍ୱର :ପୁରୀକୁ ବିଶ୍ୱ ଐତିହ୍ୟରେ ପରିଣତ କରିବା ପାଇଁ ଜାରି ରହିଥିବା ଉଚ୍ଛେଦ ପ୍ରକ୍ରିୟାକୁ ନେଇ ଶ୍ରୀମନ୍ଦିର କାର‌୍ୟ୍ୟାଳୟରେ ଆମିକସ କ୍ୟୁରୀଙ୍କ ବୈଠକ ଶେଷ ହୋଇଛି ।  ଐତିହ୍ୟ ସ୍ଥଳର ଏହି କାର‌୍ୟ୍ୟକୁ ସ୍ୱାଗତ କରି ସରକାର ଠିକ୍ ନିଷ୍ପତି ନେଇଛନ୍ତି ବୋଲି ବୈଠକ ପରେ ଆମିକସ କ୍ୟୁରୀ ରଞ୍ଜିତ କୁମାର ପ୍ରତିକ୍ରିୟା ଦେଇଛନ୍ତି ।

ଆଜି ପୁରୀ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଉଚ୍ଛେଦ ପ୍ରସଙ୍ଗ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଶେଷ ହୋଇଛି । ପୁରୀକୁ ବିଶ୍ୱ ଐତିହ୍ୟରେ ସାମିଲ କରିବା ସହ ସୁରକ୍ଷା ଓ ସୈାନ୍ଦର୍ଯ୍ୟକରଣ ପାଇଁ ଶ୍ରୀମନ୍ଦିରରୁ ୭୫ମିଟର ଚାରିପାଶ୍ୱର୍ ଉଚ୍ଛେଦ କାର୍ଯ୍ୟ ଅନୁଧ୍ୟାନ କରି ସରକାରଙ୍କ ନିଷ୍ପତ୍ତି ଠିକ୍‌ ରହିଛି ବୋଲି ଆମିକସ କ୍ୟୁରୀ କହିଛନ୍ତି । ଆଜି ବୈଠକରେ ଏନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳଙ୍କ ସହ ଆମିକସ୍ କ୍ୟୁରୀ ଆଲୋଚନା କରିଥିଲେ । ଏହା ସହ ସେ କହିଛନ୍ତି ଯେ,  ଏହା ଆଲୋଚନା ଓ ସହମତି ଭିତ୍ତିରେ ଉଚ୍ଛେଦ ହେଉଛି । ଆସନ୍ତା ବର୍ଷ ମହାପ୍ରଭୁଙ୍କ ନାଗାର୍ଜୁନ ବେଶ କରାଯିବ ।  ୨୫ ବର୍ଷରେ ଥରେ ନାଗାର୍ଜୁନ ବେଶ ହୁଏ ।  ଏହି କାର୍ଯ୍ୟକ୍ରମ ପାଇଁ ସମସ୍ତଙ୍କ ସହଯୋଗ ଆବଶ୍ୟକ ରହିଛି । ଏହା ସହ ଆମିକସ କ୍ୟୁରୀ ପ୍ରଶାସନର ଆଗାମୀ ଯୋଜନାର ବ୍ଲୁପ୍ରିଣ୍ଟ ଦେଖିଛନ୍ତି । ପୁରୀର ବିକାଶ ହେଲେ ଜଗନ୍ନାଥ ସଂସ୍କୃତିର ପ୍ରଚାର ହୋଇପାରିବ ବୋଲି ବୈଠକ ପରେ ଆମିକସ କ୍ୟୁରୀ ରଞ୍ଜିତ କୁମାର ପ୍ରତିକ୍ରିୟା ଦେଇଛନ୍ତି ।

ସୁପ୍ରିମକୋର୍ଟ ନିର୍ଦ୍ଦେଶ କ୍ରମେ ଆମିକସ୍ କ୍ୟୁରୀ ରଞ୍ଜିତ କୁମାର ଓ ସଲିସିଟର ଜେନେରାଲ ତୁଷାର ମେହେତା ଗତକାଲି ପୁରୀରେ ପହଂଚିଥିଲେ । ଦୁହେଁ ଦୁଇ ଦିନିଆ ଗସ୍ତରେ ଆସି ପୁରୀର ସୁରକ୍ଷା ଓ ସୈାନ୍ଦର୍ଯ୍ୟ ପାଇଁ  ଉଚ୍ଛେଦ ପ୍ରକ୍ରିୟାର ସ୍ଥିତି ଅନୁଧ୍ୟାନ କରୁଛନ୍ତି । ଆଜି ପୁରୀ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଉଚ୍ଛେଦ ପ୍ରସଙ୍ଗ ନେଇ ବସିଥିବା ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳଙ୍କ ଉପସ୍ଥିତ ଥିଲେ ।

ସୂଚନାଯୋଗ୍ୟ, ପୁରୀକୁ ବିଶ୍ୱ ଐତିହ୍ୟ ଓ ସୁରକ୍ଷା ଏବଂ ସୈାନ୍ଦର‌୍ୟ୍ୟକରଣ ପାଇଁ ଶ୍ରୀମନ୍ଦିର ଚତୁଃପାଶ୍ୱର୍ରେ ୭୫ମିଟର ଉଚ୍ଛେଦ ପ୍ରକ୍ରିୟାକୁ ସାଧାରଣ ଲୋକେ ବିରୋଧ କରି ସୁପ୍ରିମକୋର୍ଟରେ ଦୁଇଟି ଯାଚିକା ଦାଖଲ ହୋଇଥିଲା । ସୁପ୍ରିମକୋର୍ଟ ଏହାକୁ ଖାରଜ କରିଥିଲେ । ଏହା ସହିତ ଶ୍ରୀମନ୍ଦିର ପ୍ରଶାସନ ଓକିଲ ଆମିକସ୍ କ୍ୟୁରୀ ଓ ସଲିସିଟର୍‌ ଜେନେରାଲଙ୍କୁ ଘଟଣାସ୍ଥଳକୁ ଆସି ସ୍ଥିତି ସମୀକ୍ଷା କରିବାକୁ ଅନୁରୋଧ କରିଥିଲେ । ଉଭୟ ପୁରୀ ଆସିବାକୁ ସହମତି ପ୍ରକାଶ କରିଥିଲେ ।