ରାତିସାରା ଉଜାଗର ରହିଲେ ମହାପ୍ରଭୁ

ପୁରୀ: ଆଜି ସୂର୍ଯ୍ୟୋପରାଗ ଯୋଗୁଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତି କରାଯାଉଛି । ତେବେ ଏନେଇ ରାତିସାରା ମହାପ୍ରଭୁ ଉଜାଗର ରହିଛନ୍ତି । ରାତିସାରା ଶ୍ରୀମନ୍ଦିର ଖୋଲା ହୋଇଥିବା କାରଣରୁ ରାଜ୍ୟ କିମ୍ବା ରାଜ୍ୟ ବାହାରୁ ଆସିଥିବା ଭକ୍ତମାନେ ମହାପ୍ରଭୁଙ୍କୁ ଦର୍ଶନ କରିବାର ସ୍ୱଭାଗ୍ୟ ଲାଭ କରିଥିଲେ । ବର୍ଷ ବର୍ଷ ଧରି ହୋଇ ନଥିବା ଏଭଳି ଘଟଣା ଦେଖିବାକୁ ମିଳିଛି, ଯାହା ବିରଳ ବୋଲି ସେବାୟତମାନେ କହିଛନ୍ତି ।

ଜ୍ୟୋତିଷଶାସ୍ତ୍ର ଅନୁସାରେ, ଏହା ଖଣ୍ଡଗ୍ରାସ, କେତୁଗ୍ରସ୍ତ ସୂର୍ଯ୍ୟପରାଗ । ତେଣୁ ଏହାର ୧୨ ଘଂଟା  ପୂର୍ବରୁ ଅର୍ଥାତ୍ ଗତକାଲି ରାତି ୮ଟା ୨୦ ଠାରୁ ପାକତ୍ୟାଗ ଓ ଦେବନୀତି ନିଷେଧ ରହିଛି । ଆଜି ସକାଳ ୮ଟା ୨୦ ମିନିଟ୍ ୮ ସେକେଣ୍ଡରେ ନୀତିକାନ୍ତି ଆରମ୍ଭ ହେବ ।

ଆଜି ସୂର୍ଯ୍ୟଙ୍କୁ ପରାଗ ସ୍ପର୍ଶ କରିବା ପରେ ନୀତିକାନ୍ତି ଆରମ୍ଭ ହେବ । ଶ୍ରୀମନ୍ଦିରରେ ଗ୍ରହଣ ମହାସ୍ନାନ ଅନୁଷ୍ଠିତ ହେବ । ପ୍ରାୟ ୧ ଘଂଟା ଧରି ଚାଲିବ ମହାପ୍ରଭୁଙ୍କ ଏହି ଗ୍ରହଣ ମହାସ୍ନାନ ନୀତି ।  ଏହାପରେ ଗ୍ରହଣ ଖଇକରା ଭୋଗ ଅନୁଷ୍ଠିତ ହେବ ।  ଏହାପରେ ମଙ୍ଗଳ ଆଳତୀ, ମଇଲମ, ତଡ଼ପଲାଗି, ଅବକାଶ, ପହିଲିଭୋଗ, ଗୋପାଳବଲ୍ଲଭ ଓ ସକାଳଧୂପ ଅନୁଷ୍ଠିତ ହେବ।