୯ ମାସ ପରେ ସର୍ବସାଧାରଣ ଭକ୍ତଙ୍କୁ ମିଳିଲା କଳିଆ ଦର୍ଶନ  

ପୁରୀ : ୯ ମାସ ପରେ କଳିଆ ଦର୍ଶନ କରି ଶାନ୍ତ ହେଲା ମନ।ଶେଷରେ ବାହାର ଭକ୍ତଙ୍କୁ ମିଳିଲା ମହାପ୍ରଭୁଙ୍କ ଦର୍ଶନ। ଆଜିଠୁ ଶ୍ରୀମନ୍ଦିରରେ ଆରମ୍ଭ ହୋଇଛି ସାଧାରଣ ଦର୍ଶନ। ଚକା ଆଖିକୁ ଦେଖି ସଭିଏଁ ଭାବବିହୋଳ । କୋଭିଡ୍‌ ନେଗେଟିଭ୍‌ ରିପୋର୍ଟ ସହ ପରିଚୟପତ୍ର ଦେଖାଇ ଶ୍ରୀଜିଉଙ୍କୁ ଦର୍ଶନ କରିଛନ୍ତି ଶ୍ରଦ୍ଧାଳୁ । ମାର୍କେଟ ଛକ ଠାରୁ ସ୍ବତନ୍ତ୍ର ବ୍ୟାରିକେଡ଼ରେ ସିଂହଦ୍ବାର ଦେଇ ଶ୍ରୀମନ୍ଦିରରେ ଦର୍ଶନ କରିବା ପରେ ଉତ୍ତର ଦ୍ବାର ଦେଇ ପ୍ରସ୍ଥାନ କରିଛନ୍ତି । ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥାକୁ ସଭିଏଁ ସ୍ବାଗତ କରିବା ସହିତ ଜଗତରନାଥ ଜଗନ୍ନାଥଙ୍କୁ ଆଖି ପୁରାଇ ଦେଖି ଆତ୍ମସନ୍ତୋଷ ଲାଭ କରିଛନ୍ତି ।

ସର୍ବ ସାଧାରଣଙ୍କ ଦର୍ଶନ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଥିବା ବେଳେ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ବରିଷ୍ଠ ପୋଲିସ ଅଧିକାରୀଙ୍କ ସହ ନିଯୁକ୍ତ ହୋଇଥିଲେ ୧୮ ପ୍ଲାଟୁନ ପୋଲିସ ଫୋର୍ସ । ସେହିପରି ଜୋତା ଷ୍ଟାଣ୍ଡ ଠାରୁ ଆରମ୍ଭ କରି ପରିଚୟ ପତ୍ର ଯାଞ୍ଚ ପାଇଁ ୮ଟି କିଓସ୍କ ମେସିନର ବ୍ୟବସ୍ଥା କରାଯାଇଥିଲା । ଶ୍ରୀମନ୍ଦିର ପ୍ରଶାସନ ଏବଂ ସେବାୟତଙ୍କ ମଧ୍ୟରେ ସଫଳ ସମନ୍ବୟ ରକ୍ଷା ହୋଇଛି, ଫଳରେ ବିଭିନ୍ନ ଅଞ୍ଚଳର ହଜାର ହଜାର ଭକ୍ତ ଶ୍ରୀଜିଙ୍କ ଦର୍ଶନ କରି କୃପା ଲାଭ କରିଛନ୍ତି ।

ସ୍ଥିତି ସ୍ବାଭାବିକ ହୋଇନଥିଲେ ମଧ୍ୟ ଡିସେମ୍ବର ୨୩ରୁ ପୁନର୍ବାର ଦର୍ଶନ ଆରମ୍ଭ ହୋଇଛି। ଡିସେମ୍ବର ୨୩ରୁ ୨୫ ସେବାୟତ ପରିବାର ମହାପ୍ରଭୁଙ୍କୁ ଦର୍ଶନ କରିବା ପରେ ଡିସେମ୍ବର ୨୬ ରୁ ୩୧ ପୁରୀ ସହରବାସୀ ମହାପ୍ରଭୁଙ୍କ ଦର୍ଶନ କରିଥିଲେ। ଭିଡ଼ ଦୃଷ୍ଟିରୁ ଜାନୁଆରୀ ୧ ଓ ୨ ଦର୍ଶନ ବନ୍ଦ ରହିବା ପରେ ଆଜି ସର୍ବସାଧାରଣ ଦର୍ଶନ ଆରମ୍ଭ ହୋଇଛି…