ପୁରୀ ଗସ୍ତରେ ସୁପ୍ରିମକୋର୍ଟ ଆମିକସ୍ କ୍ୟୁରୀ

ପୁରୀ :  କାଲି ଓଡିଶା ଆସୁଛନ୍ତି ସୁପ୍ରିମକୋର୍ଟଙ୍କ ଦ୍ବାରା ନିଯୁକ୍ତ କୋର୍ଟ ମିତ୍ର ଗୋପାଲ ସୁବ୍ରମଣ୍ୟାମ। ଶ୍ରୀମନ୍ଦିର ସଂସ୍କାର ନେଇ ବିଭିନ୍ନ ପକ୍ଷଙ୍କ ମତ ଶୁଣିବେ।  ଶୁକ୍ରବାର ଓ ଶନିବାର ଦୁଇ ଦିନ ଧରି ଗଜପତି ମହାରାଜା ଦିବ୍ୟସିଂହଦେବ, ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ବତୀ, ଜିଲ୍ଲା ଜଜ୍,ଛତିଶାନିଯୋଗ,ପରିଚାଳନା କମିଟି ସମସ୍ତଙ୍କ ସହ ପୁଂଖାନୁପୁଖ ଭାବେ ଆଲୋଚନା କରିବେ ଆମିକସ କ୍ୟୁରି। ଜୁନ ୮ ଏବଂ ଜୁଲାଇ ୫ରେ ଶ୍ରୀମନ୍ଦିର ସଂସ୍କାର ନେଇ ଆଗତ  ଆବେଦନର ଶୁଣାଣିପରେ ସର୍ବୋଚ୍ଚ ଅଦାଲତ ଶ୍ରୀମନ୍ଦିରରରେ 12 ସୂତ୍ରୀ ଶୃଙ୍ଖଳାମୂଳକ ପ୍ରସ୍ତାବକୁ କାର୍ଯ୍ୟକାରୀ କରିବାକୁ ମନ୍ଦିର ପ୍ରଶାସନକୁ ନିର୍ଦେଶ ଦେଇଥିଲେ। ଏବେ ସୁପ୍ରିମକୋର୍ଟ ଦେଇଥିବା ସୁପାରିଶ  ଏବଂ ଏହାର କାର୍ଯ୍ୟକାରିତା ନେଇ ବିଭିନ୍ନ ପକ୍ଷ ସହ ଆଲୋଚନା କରିବେ। ଶ୍ରୀମନ୍ଦିର ପ୍ରଶାସନ ସହ ଆମିକସ କ୍ୟୁରିଙ୍କ ପ୍ରଥମ ବୈଠକ ହେବ । ଶ୍ରୀଜଗନ୍ନାଥ ମନ୍ଦିରର ସଂସ୍କୃତି, ପରମ୍ପରା, ରୀତିନୀତି ଏ ସମସ୍ତ ବ୍ୟବସ୍ଥାକୁ ଆମିକସ କ୍ୟୁରିଙ୍କୁ ଅବଗତ କରାଯିବ ।

ଆମିକସ୍ କ୍ୟୁରୀଙ୍କ ଗସ୍ତ ପୂର୍ବରୁ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ପ୍ରାକ୍ ପ୍ରସ୍ତୁତି ବୈଠକ ବସିଥିଲା। ବୈଠକରେ ସେବାୟତଙ୍କ ବଂଶାନୁକ୍ରମିକ ସେବା ପ୍ରଥା ଉଛେଦ ନେଇ ବିସ୍ତୃତ ଆଲୋଚନା ହୋଇଥିଲା। ମହାପ୍ରଭୁଙ୍କ ଦୈନନ୍ଦିନ ସେବା, ପ୍ରଥା ଓ ପରମ୍ପରାକୁ ଅକ୍ଷୁର୍ଣ୍ଣ ରଖିବା ପାଇଁ ବଂଶାନୁକ୍ରମିକ ସେବା ପ୍ରଥା ଉଛେଦ କରାନଯାଇ ସେବାୟତଙ୍କ ସଂଖ୍ୟା କମ୍ ରଖିବାକୁ ଆମିକସ୍ କ୍ୟୁରୀଙ୍କୁ ପ୍ରସ୍ତାବ ଦିଆଯିବାକୁ ନିଷ୍ପତ୍ତି ହୋଇଛି। ସେବାୟତଙ୍କ ଦାନ ଦକ୍ଷିଣା ଉପରେ ଅଙ୍କୁଶ ଓ ଶ୍ରୀମନ୍ଦିର ଆଇନରେ ସଂଶୋଧନ ନେଇ ଗଠିତ ସବ୍ କମିଟିର ବିଭିନ୍ନ ପ୍ରସ୍ତାବ ଉପରେ ମଧ୍ୟ ବୈଠକରେ ଆଲୋଚନା କରାଯାଇଥିଲା। ଶ୍ରୀମନ୍ଦିରରେ ପରିଚାଳନାଗତ ସଂସ୍କାର, ଶୃଙ୍ଖଳିତ ଦର୍ଶନ ନେଇ ମାନ୍ୟବର ସୁପ୍ରିମକୋର୍ଟ ଦର୍ଶାଇଥିବା 12 ଟି ପ୍ରସ୍ତାବ ମଧ୍ୟରୁ ୩ ଟି ପ୍ରସ୍ତାବ ଉପରେ ସହମତି ହୋଇପାରି ନଥିବାରୁ ଏହାକୁ ଦୃଷ୍ଟିରେ ରଖି ଆମିକସ୍ କ୍ୟୁରୀଙ୍କୁ ଶ୍ରମୀନ୍ଦିର ପ୍ରଶାସନ ପ୍ରସ୍ତାବ ଦେବାକୁ ନିଷ୍ପତ୍ତି ହୋଇଛି।

ଶ୍ରୀମନ୍ଦିର ସଂସ୍କାର ନେଇ ବିଭିନ୍ନ ପକ୍ଷଙ୍କ ମତ ଶୁଣିବାପରେ ସୁପ୍ରିମକୋର୍ଟଙ୍କୁ ରିପୋର୍ଟ ଦେବେ ଆମିକସ୍ କ୍ୟୁରୀ ଗୋପାଳ ସୁବ୍ରମଣ୍ୟମ୍ ।