କଳା ପାହଡ ଠୁ ବଳିଗଲେ : ଖୋଲିଲାନି ପହଡ ଦିନ ସାରା ଉପବାସ ରହିଲା କାଳିଆ,ସଂଧ୍ୟା ୫ଟେ ହେଲା ସକାଳ ଧୂପ

ପୁରୀ : ସେ ବିଶ୍ୱ ନିୟନ୍ତା । ତାଙ୍କ ବିନା ଚରା ଚର ଅସମ୍ଭବ । ସେ ଜଗତର ନାଥ , କାଳିଆ ସାଆନ୍ତ । ହେଲେ ସେ ରହିଲେ ଉପବାସ । କେବଳ ଉପବାସ ନୁହେଁ ତ ଘର ଭିତରେ ଏକ ପ୍ରକାର ବନ୍ଦ ହୋଇ ରହିଲେ । ପାଣି ଟିକେ ବି ପହଁଚିଲାନି । ଷାଠିଏ ପଢଟି ଖିଆ କାଳିଆର ଦିନ କଟିଲା ଉପବାସରରେ । ଏଣେ କାଳିଆକୁ ଦର୍ଶନ ପାଇଁ ଆସିଥିବା ହଜାର ହଜାର ଭକ୍ତଙ୍କ ଆଖିରୁ ଲୁହ ଝରିଲା । ହେଲେ କେହି ଶୁଣିଲେନି । ନା ପ୍ରଶାନ । ନା ସେବାୟତ । ନା ପୁରୀ ଗଜପରି, ମନ୍ଦିର ମୁଖ୍ୟ ପ୍ରଶାସକ ସମସ୍ତେ ଯେମିତି ନିଜ ନିଜ ଜିଦରେ ଅଟଳ ରହିଲେ । ଭଗବାନଙ୍କୁ ଦର୍ଶନ ନପାଇ ଭକ୍ତଙ୍କ ଆଖିରୁ ଲୁହ ଝରିଲା । ପାଖାପାଖି ୧୩ ଘଣ୍ଟା ଧରି ନୀତିକାନ୍ତି ବନ୍ଦ ହୋଇପଡିଥିଲା, ଉପାସରେ ରହିଥିଲେ ଶ୍ରୀଜିଉ । ଶେଷରେ ସଂଧ୍ୟା ୫ଟାରେ ଖୋଲିଲା ପହଡ । ଏମିତି କଳଙ୍କିତ ଅଧ୍ୟାୟ ଆଜି ପୁରୀ ଶ୍ରୀ ମନ୍ଦିରରେ ଘଟିଲା । ଯାହା କେବେ ଆଗରୁ ଘଟି ନଥିଲା ।
ଆଜି ଯାହା ଘଟିଲା ଶ୍ରୀମନ୍ଦିର ଇତିହାସରେ କଲଙ୍କିତ ଅଧ୍ୟାୟ ହେଲା। ପୂର୍ବରୁ ଶ୍ରୀମନ୍ଦିରରେ ସେବାୟତ-ପୋଲିସ- ସେବାୟତ-ସେବାୟତ, ଭକ୍ତ –ସେବାୟତ କିମ୍ବା ପ୍ରଶାସନ ମଧ୍ୟରେ ଅନେକ ଥର ଝଗଡ଼ାଝାଟି ହୋଇଥିଲା କିନ୍ତୁ ଏମିତି କିଛି ହୋଇନଥିଲା। ଆଉ କାହିଁକେତେ ଦୂର ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବାକୁ ଆସିଥିବା ଭକ୍ତ ନିଜ ଭାଗ୍ୟକୁ ନିନ୍ଦୁ ଥିଲା। ଆଖିରୁ ତାର ବହୁଥିଲା ଅଶ୍ରୁ।

ଆଜି ଭୋରରୁ ଅପରାହ୍ନ ସାଢ଼େ ୪ଟା ପର‌୍ୟ୍ୟନ୍ତ ଶ୍ରୀମନ୍ଦିର ନୀତି ବନ୍ଦ ରହିଥିଲା, ପହଡ଼ ବି ଖୋଲିନଥିଲା। ସକାଳ ଧୂପଠାରୁ ଆରମ୍ଭ କରି ମଧ୍ୟାହ୍ନ ନୀତି ସବୁ କିଛି ଠପ୍ ହୋଇଯାଇଥିଲା । ଉପାସରେ ରହିଥିଲେ ମହାପ୍ରଭୁ ।

ଗତକାଲି ରାତିରେ ଘଟିଥିବା ଗୋଟିଏ ଛୋଟିଆ ଘଟଣାରୁ ଶ୍ରୀମନ୍ଦିରରେ ଅଚଳାବସ୍ଥା ସୃଷ୍ଟି କରିଥିଲେ କିଛି ସେବାୟତ। ଜିଲ୍ଲା ପ୍ରଶାସନ, ଶ୍ରୀମନ୍ଦିର ପ୍ରଶାସନର ସମସ୍ତ ଚେଷ୍ଟା ବିଫଳ ହୋଇଥିଲା । ଶେଷରେ ସେବାୟତମାନେ ନିଜ ତରଫରୁ ନୀତିକାନ୍ତି ଆରମ୍ଭ କରିଥିଲେ । ଅପରାହ୍ନ ୫ଟା ପରେ ଆରମ୍ଭ ହୋଇଥିଲା ସାଧାରଣ ଦର୍ଶନ। ତେବେ ଅସନ୍ତୋଷର ନିଆଁ ଏବେ ବି କୁହୁଳୁଛି, ଆହୁରି ଉଗ୍ର ରୂପ ମଧ୍ୟ ଦେଖିବାକୁ ମିଳିପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି ।

ଏହି ସମୟରେ ଘଂଟା ଘଂଟା ଧରି ସିଂହଦ୍ୱାର ଆଗରେ ହଜାର ହଜାର ଭକ୍ତ ଧାଡ଼ିରେ ଠିଆ ହୋଇ ରହିଥିଲେ। ବନ୍ଦ ରହିଥିଲା ଶ୍ରୀମନ୍ଦିରର ଭିତର ଦ୍ୱାର । ଗୋଟିଏ ପଟେ ବନ୍ଦ ପଡିଥିଲା ନୀତିକାନ୍ତି, ଉପାସରେ ରହିଥିଲେ ଶ୍ରୀଜିଉ, ଅନ୍ୟପଟେ ମହାପ୍ରଭୁଙ୍କ ଦର୍ଶନ ଲାଗି ଆତୁର ହୋଇ ପଡୁଥିଲେ ଶ୍ରଦ୍ଧାଳୁ । ପରିସ୍ଥିତି ବେଳକୁ ବେଳ ଅଣାୟତ ହୋଇଥିଲା, ପୋଲିସ ସହ ଧସ୍ତାଧସ୍ତି କରି ବାରିକେଡ୍ ଭାଙ୍ଗି ଧସେଇ ପଶିବାକୁ ଉଦ୍ୟମ କରିଥିଲେ କିଛି ଶ୍ରଦ୍ଧାଳୁ ।

ଏହି ବିବାଦ ସୃଷ୍ଟି ହୋଇଥିଲା ଗତକାଲି ରାତିରେ ଜଣେ ଭକ୍ତଙ୍କ ପ୍ରବେଶ ନେଇ ସେବାୟତ ଓ ପୋଲିସ ମଧ୍ୟରେ ଗୋଟିଏ ଛୋଟିଆ ଘଟଣାକୁ ନେଇ । ପୋଲିସ ମାଡ଼ ମାରିଥିବା ଅଭିଯୋଗ କରିଥିଲେ ଜଣେ ସେବାୟତ । ଏହି ଛୋଟିଆ ଘଟଣା ସେତିକି ବେଳେ ସାଂଘାତିକ ରୂପ ନେଇଥିଲା, ଯେତେବେଳେ ସେବାୟତମାନେ ନୀତିକାନ୍ତି ବନ୍ଦ କରି ଦେଇଥିଲେ, ଖୋଲି ନ ଥିଲା ଶ୍ରୀମନ୍ଦିର । ସେବାୟତ ଓ ଶ୍ରୀମନ୍ଦିର ପ୍ରଶାସକ ମଧ୍ୟରେ ତୁହାକୁ ତୁହା ବୈଠକ ହେଉଥିଲା, ହେଲେ ଫଳ କିଛି ମିଳୁ ନଥିଲା । ଶ୍ରଦ୍ଧାଳୁଙ୍କୁ ଶ୍ରୀମନ୍ଦିର ଭିତରକୁ ଛାଡିନଥିଲା ପୋଲିସ । ବିବାଦର ସମାଧାନ ପାଇଁ ଭକ୍ତଙ୍କୁ ଅପେକ୍ଷା କରିବାକୁ କହିଥିଲେ ପୁରୀ ଏସପି । ତେବେ ପୁରୀ ବେଳାଭୂମିରେ ବୁଲିବା ପାଇଁ ଏସପି ପରାମର୍ଶ ଦେବା ପରେ ଉତ୍ୟକ୍ତ ହୋଇ ଉଠିଥିଲେ ଭକ୍ତ ।

ପୁଣିଥରେ ଭକ୍ତଙ୍କ ଭାବାବେଗ ସହ ହୋଇଛି ସାଂଘାତିକ ଖେଳ । କୋଟି କୋଟି ଭକ୍ତଙ୍କ ଆବେଗକୁ ବେଖାତିର କରି ନିଜ ଜିଦ୍ ପାଇଁ ସେବାୟତମାନେ ଶ୍ରୀମନ୍ଦିରରେ ଅଚଳାବସ୍ଥା ସୃଷ୍ଟି କରିଥିବା ଅଭିଯୋଗ ହୋଇଛି । ଏହି ଘଟଣାରେ କ୍ଷୋଭ ପ୍ରକାଶ କରି ସରକାରଙ୍କ ହସ୍ତକ୍ଷେପ ଲୋଡ଼ିଥିଲେ ଶ୍ରୀଜିଉଙ୍କ ପ୍ରଥମ ସେବକ ପୁରୀ ଗଜପତି । ନୂଆ ବର୍ଷ ଅବସରରେ ପ୍ରତିଦିନ ହଜାର ହଜାର ଭକ୍ତ ଦର୍ଶନ ପାଇଁ ଯାଉଥିବା ବେଳେ ଏପରି ସ୍ଥିତି ପୁଣିଥରେ ଶ୍ରୀମନ୍ଦିରର ଶୃଙ୍ଖଳା ଉପରେ ବଡ଼ ପ୍ରଶ୍ନଚିହ୍ନ ଲଗାଇ ଦେଇଛି । ସବୁସୀମା ଟପି ଯାଇଛି ଆଜିର ବିଶୃଙ୍ଖଳା ।

ତେବେ ବହୁ ବିଳମ୍ବରେ ସମସ୍ତେ ବୁଝିଥିଲେ ବହୁ ବାଦ ବିବାଦ ପରେ ଶ୍ରୀମନ୍ଦିରରେ ନୀତିକାନ୍ତି ଆରମ୍ଭ ହୋଇଛି । ଖୋଲିଛି ଶ୍ରୀମନ୍ଦିରର ଜୟ ବିଜୟ ଦ୍ୱାର । ସେବାୟତ-ପୋଲିସ୍‌ ବିବାଦ ଏବଂ ପରେ ଭକ୍ତଙ୍କ ଧସେଇ ପଶିବା ପରେ ଶ୍ରୀମନ୍ଦୀରେ ମହାପ୍ରଭୂଙ୍କ ପୂଜନ ହୋଇନଥିଲା ।
ଏପରିକି ଆଜି ମହାପ୍ରଭୂ ଓପାସ ରହିଥିଲେ । ଦୀର୍ଘ ୧୨ ଘଣ୍ଟା ବିଳମ୍ବରେ ମହାପ୍ରଭୁଙ୍କ ମଙ୍ଗଳ ଆରତୀ ଆରମ୍ଭ ହୋଇଛି । ବିଳମ୍ବିତ ରାତି ପର‌୍ୟ୍ୟନ୍ତ ଦର୍ଶନ ଚାଲୁ ରହିବ ବୋଲି ସୂଚନା ମିଳିଛି ।