ବାଇ-ଲ ପ୍ରତ୍ୟାହାର ପରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଧନ୍ୟବାଦ ଜଣାଇଲେ ଶ୍ରୀମନ୍ଦିର ସେବାୟତ

ଶ୍ରୀମନ୍ଦିର ବିକାଶ କାମ ଆହୁରି ତ୍ବରାନ୍ବିତ କରାଯିବ : ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ବାଇ-ଲ ପ୍ରତ୍ୟାହାର ହେବା ପରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଶ୍ରୀମନ୍ଦିର ସେବାୟତମାନେ ଧନ୍ୟବାଦ ଜଣାଇଛନ୍ତି। ବରିଷ୍ଠ ସେବାୟତ ରାମକୃଷ୍ଣ ଦାସ ମହାପାତ୍ରଙ୍କ ନେତୃତ୍ୱରେ ୧୦ରୁ ୧୫ ଜଣ ସେବାୟତ ନବୀନ ନିବାସ ଆସି ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି। ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପରେ ରାମକୃଷ୍ଣ ଦାସ ମହାପାତ୍ର  କହିଛନ୍ତି, ରାଜ୍ୟ ସରକାରଙ୍କ ଉଦ୍ୟମ ଫଳରେ ଏଭଳି ଏକ କଳା ଚିଠା ଅଧିନିୟମ ପ୍ରତ୍ୟାହାର ହେଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ତ୍ୱରିତ ପଦକ୍ଷେପ ଯୋଗୁ ଏହା ସମ୍ଭବ ହୋଇଛି। ସେ କହିଛନ୍ତି ଭାରତ ସରକାର ବାଇ-ଲ ପ୍ରତ୍ୟାହାର କରିନେଇଛନ୍ତି। ମୁଖ୍ୟମନ୍ତ୍ରୀ କାଲି ପୁରୀ ଯାଇ ଜଗନ୍ନାଥଙ୍କ ପାଖରେ ଯେଉଁଭଳି ପ୍ରାର୍ଥନା କରିଥିଲେ ଓ ଠିକ ବାହାରକୁ ଆସିବା ପରେ ଏହା ପ୍ରତ୍ୟାହାର ହୋଇଛି।
ପୁରୀରେ ଯେଉଁ ସବୁ କାର୍ଯ୍ୟ ହୋଉଛି ତାହା ବନ୍ଦ କରିବାକୁ ଯେଉଁ ଯୋଜନା ହୋଇଥିଲା ତାହା ଭଣ୍ଡୁର ହୋଇଛି। ସେଥିପାଇଁ ପୁରିବାସୀ, ସେବାୟତ ମାନେ ଖୁସି ଓ ଆନନ୍ଦ ଅନୁଭବ କରୁଛନ୍ତି। ତେଣୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେବାପାଇଁ ଆମେ ସେବାୟତ ମାନେ ଆସିଥିଲୁ ବୋଲି ସେ କହିଛନ୍ତି।

ପୁରୀର ସେବାୟତ ମାନଙ୍କର ଏକ ପ୍ରତିନିଧି ଦଳ ଆଜି ସଂଧ୍ୟାରେ ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଥିଲେ । ଜଗନ୍ନାଥ ମନ୍ଦିର ପାଇଁ ଜାତୀୟ ସ୍ମାରକୀ କର୍ତ୍ତୃପକ୍ଷଙ୍କ ଉପନିୟମ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ହସ୍ତକ୍ଷେପ ଯୋଗୁ କେନ୍ଦ୍ର ସରକାର ବାତିଲ କରିଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ସେମାନେ ଧନ୍ୟବାଦ ଜଣାଇଥିଲେ। ମହାପ୍ରଭୁଙ୍କ ଆଶୀର୍ବାଦରୁ ହିଁ ସବୁ କିଛି ସମ୍ଭବ ହେଲା ବୋଲି ମତ ଦେଇ ଶ୍ରୀମନ୍ଦିର ବିକାଶ କାମ ଆହୁରି ତ୍ବରାନ୍ବିତ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ଶ୍ରୀମନ୍ଦିର ବିକାଶ ପାଇଁ ପୁରୀବାସୀଙ୍କ ତ୍ୟାଗ କେବେ ବ୍ୟର୍ଥ ହେବ ନାହିଁ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ ଏବଂ ଏ ଦିଗରେ ସମସ୍ତଙ୍କ ସହଯୋଗ କାମନା କରିଥିଲେ।

ଆଲୋଚନା ସମୟରେ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଶ୍ରୀ ଭି.କେ. ପାଣ୍ଡିଆନ ଉପସ୍ଥିତ ଥିଲେ ।

 

puri shree mandira sevayata thanked to odisha cm withdrawal of the controversial nma letter by law