ଶ୍ରୀମନ୍ଦିର ସେବାୟତଙ୍କୁ ଦିଆଯିବ ହୋମିଓପାଥିକ ଔଷଧ

ପୁରୀ : ମହାମାରୀ କୋରୋନା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ଶ୍ରୀମନ୍ଦିର ସେବାୟତଙ୍କ ମଧ୍ୟରେ ରୋଗ ପ୍ରତିଷେଧକ ଶକ୍ତି ବୃଦ୍ଧି କରିବା ପାଇଁ ହୋମିଓପାଥିକ ଔଷଓ ପ୍ରଦାନ କରାଯିବ । ଏଥିପାଇଁ ଆବଶ୍ୟକ ବ୍ୟବସ୍ଥା କରିବାକୁ କେନ୍ଦ୍ର ଆୟୁଷ ମନ୍ତ୍ରଣାଳୟର ପୁରୀସ୍ଥିତ ଆୟୁର୍ବେଦ ଗବେଷଣା ପ୍ରତିଷ୍ଠାନ (ହୋମିଓପାଥି)ର ଭାରପ୍ରାପ୍ତ ଅଧିକାରୀଙ୍କୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି।

ଆସନ୍ତା ୯ରୁ ୧୩ ତାରିଖ ମଧ୍ୟରେ ପର୍ଯ୍ୟାୟକ୍ରମେ ବିଭିନ୍ନ ସେବାୟତ ନିଯୋଗ ମଧ୍ୟରେ ହୋମିଓପାଥି ଔଷଧ ବଣ୍ଟନ ପାଇଁ ନୀଳାଦ୍ରି ଭକ୍ତନିବାସରେ ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହେବ। ଏଥିଲାଗି ପ୍ରତ୍ୟେକ ପରିବାରର ଜଣେ ବ୍ୟକ୍ତି ଶିବିରକୁ ଆସି ପୂରା ପରିବାର ପାଇଁ ଔଷଧ ନେଇପାରିବେ। ୯ରେ ଦଇତାପତି ନିଯୋଗ, ୧୦ରେ ପ୍ରତିହାରୀ ନିଯୋଗ, ୧୧ରେ ସୁଆର ମହାସୁଆର ନିଯୋଗ, ୧୨ରେ ପୂଜାପଣ୍ଡା ନିଯୋଗ ଏବଂ ୧୩ରେ ଗରାବଡ଼ୁ ନିଯୋଗ ମଧ୍ୟରେ ଔଷଧ ବଣ୍ଟନ ଲାଗି ଯୋଜନା ହୋଇଛି। ସବୁ ନିଯୋଗ ଏହାକୁ ସଫଳ କରିବା ଲାଗି ମନ୍ଦିର ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି ।